କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା IASସଂଘ ।

41

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲା ଓଡିଶା ଆଇଏଏସ ସଂଘ । ଗତକାଲି ଆଇଟି ସଚିବ ଅଶୋକମୀନଙ୍କୁ ଏକ ଉଦଘାଟନୀ ସମାରୋହରେ ଧର୍ମେନ୍ଦ୍ର ଦେଇଥିବା ମନ୍ତବ୍ୟକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଇଛି ସଂଘ । ଗତକାଲି ଏନଡିସିର କାର୍ଯ୍ୟକ୍ରମରେ ଅଭିଭାଷଣ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜ ନାଁ କରି ବାହା ବାହା ନେଉଛନ୍ତି । ଏହାସହ ସଭାରେ ଉପସ୍ଥିତ ଥିବା ଆଇଟି ସଚିବ ଅଶୋକ ମୀନାଙ୍କୁ ଧର୍ମେନ୍ଦ୍ର କହିଥିଲେ ଯେ ଏମିତି କରନ୍ତୁ ନାହିଁ ମୀନା ସାହେବ ।

ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟକୁ ବିରୋଧ କରିଛନ୍ତି ଓଡିଶା ଆଇଏଏସ ସଂଘ ସହ ବିଭିନ୍ନ ପ୍ରଶାସନିକ ଅଧିକାରୀ ସଂଘ । ଯାହାକୁ ନେଇ ଆଇଏଏସ, ଓଏଏସ ଏବଂ ଓଏଫଏଓ ସଂଘର ସମସ୍ତ ଅମଲାତନ୍ତ୍ରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫେରାଦ ହୋଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଅଭିଯୋଗ କରିଛନ୍ତି । ତେବେ ଆଇଏଏସ ସଂଘ ସମ୍ପାଦକ ବିଶାଲ ଦେବ କହିବା ଅନୁଯାୟୀ ଅଫିସର ମାନେ ତାଙ୍କ କାର୍ଯ୍ୟ ଠିକ କରୁଛନ୍ତି । କାହିଁକି ବାରମ୍ବାର ବରିଷ୍ଠ ଆଇଏଏସ ଅଫିସରଙ୍କୁ ଟାର୍ଗେଟ କରାଯାଉଛି । କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକ୍ରମ ଜରିଆରେ ଏଭଳି ଅଫିସର ମାନଙ୍କୁ ଟାର୍ଗେଟ କରିବା ଘଟଣା ନିନ୍ଦନୀୟ । କାରଣ ଏହାଦ୍ୱାରା ଅଫିସର ମାନଙ୍କ ମାନସିକ ସ୍ତରରେ ପ୍ରଭାବିତ ହେବେ । ଏହା ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଶୋଭା ଦେଉ ନାହିଁ ବୋଲି ବିଶାଲ ଦେବ କହିଛନ୍ତି ।

ଅନ୍ୟପଟେ ଓଡିଶା ଅର୍ଥ ସେବା ସଂଘ ସଭାପତି ନିହାର ସ୍ୱାଇଁଙ୍କ କହିବା ମୁତାବକ ଯଦି କେନ୍ଦ୍ରମନ୍ତ୍ରୀଙ୍କର କିଛି ଅଭିଯୋଗ ଥିଲା ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଚିଠି ଦ୍ୱାରା ଜଣାଇ ପାରିଥାନ୍ତେ । ହେଲେ ଏଭଳି ଏକ ସଭାରେ ଜଣେ ଆଇଏଏସ ଅଫିସରଙ୍କୁ କାଠ ଗଡାକୁ ଟାଣିବା ସହ ଆକ୍ଷେପ କରିବା ଶୋଭା ପାଉନି । ପୂର୍ବରୁ ମଧ୍ୟ ଜଣେ ଆଇଏଏସ ଅଧିକାରୀଙ୍କ ଘର ଉପରକୁ ଆକ୍ରମଣ କରାଯାଇଥିଲା । ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଥିବା ଗଣତାନ୍ତ୍ରିକ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖାଦେଇଛି । ଅମଲାତନ୍ତ୍ରଙ୍କ ନୈତିକ ଭାବ କ୍ଷୂର୍ଣ୍ଣ ନହେବା ପାଇଁ ସରକାରଙ୍କୁ ଚିନ୍ତା କରିବାକୁ ପଡିବ ବୋଲି ନିହାର ସ୍ୱାଇଁ କହିଛନ୍ତି ।