ପାଣ୍ଡିଆନଙ୍କ ବାସଭବନକୁ ଆକ୍ରମଣ ଘଟଣା ! ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହେଲା ଆଇଏଏସ, ଓଏଏସ ସଂଘ

27

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଇଏଏସ ଓ ଓଏଏସ ସଂଘ । ପାଣ୍ଡିଆନଙ୍କ ବାସଭବନ ଉପରେ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଆଇଏଏସ, ଓଏଏସ ସଂଘ ଓ ଅଣ ଗେଜେଟେଡ୍ ସମନ୍ୱୟ ସରକାରୀ ସଂଘ । ପାଣ୍ଡିଆନ ଘର ଉପରେ ଯେଭଳି ଆକ୍ରମଣ କରାଗଲା ତାକୁ ନିନ୍ଦା କରିଛନ୍ତି । ଏହାସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସାରା ରାଜ୍ୟର ବହୁ ସଂଘ ଏନେଇ ଅଭିଯୋଗ କରିଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସରକାରୀ ବାସଭବନକୁ ଧସେଇ ପଶି ଭଙ୍ଗାରୁଜା ଓ ଗୋବର ମାଡ଼ କରିବା ସହ ବିଜେପି ପତାକା ଉଡାଇ କର୍ମୀମାନେ ଦେଇଥିଲେ ପାଣ୍ଡିଆନ୍ ହାୟ ହାୟ ନାରାବାଜି । ଏହି ଘଟଣାକୁ ନେଇ ଦିନ ତମାମ ଚାଲିଥିଲା ଛକାପଂଝା । ବିଜେଡି-ବିଜେପି ମଧ୍ୟରେ ଜୋରଦାର ଟକ୍କର ଚାଲିଥିଲା । ନେତାଙ୍କୁ ଛାଡି ଅଫିସରଂକୁ ଘେରିବା ରାଜ୍ୟ ରାଜନୀତିକୁ ହଲଚଲ କରିଦେଇଥିଲ । ତେବେ ଏନେଇ ଗତକାଲି ପାଣ୍ଡିଆନଙ୍କ ସପକ୍ଷରେ ଏକାଠି ହୋଇଥିଲେ ଆଇଏଏସ ସଂଘ । ଓଡ଼ିଶା କ୍ୟାଡରର ଅଧିକାଂଶ ଆଇଏଏସ ଅଧିକାରୀ, ବୈଠକରେ ବସି ପାଣ୍ଡିଆନଙ୍କ ଘର ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିଥିଲେ । ଦୋଷୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା ।