ଏମିତି ସରକାରୀ ବିଦ୍ୟାଳୟ ! ପଢନ୍ତି ଜିଲ୍ଲାପାଳ ଓ ଏସପିଙ୍କ ପିଲା, ଖାଆନ୍ତି ମଧ୍ୟାହ୍ନ ଭୋଜନ

83

ଆଜିକାଲି ସରକାରୀ ସ୍କୁଲରେ ପାଠପଢାଇବାକୁ ନେଇ ଅଭିଭାବକଙ୍କ ଦୃଷ୍ଟିଭଙ୍ଗୀ ବଦଳିଯାଇଛି । ସରକାରୀ ସ୍କୁଲ ନାଁ ଶୁଣିଲେ ନାକ ଟେକୁଛନ୍ତି ଅଭିଭାବକ । କାରଣ ନାନା ଅବ୍ୟବସ୍ଥାରେ ରହିଛି ସରକାରୀ ବିଦ୍ୟାଳୟ । ଏଥିପାଇଁ ସରକାରୀ ବିଦ୍ୟାଳୟ ଅପେକ୍ଷା,ଇଂରାଜୀ ମାଧ୍ୟମ ସ୍କୁଲକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଅଭିଭାବକ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟହେବେ, ଏମିତି ସରକାରୀ ବିଦ୍ୟାଳୟ ଅଛି ଯେଉଁଠି କଲେକ୍ଟର ଓ ଏସପିଙ୍କ ପିଲାବି ପାଠପଢୁଛନ୍ତି ।

ସାଧାରଣ ଲୋକଙ୍କର ମାନସିକତାକୁ ବଦଳାଇବା ଉଦ୍ଦେଶ୍ୟରେ ଛତିଶଗଡର ଦୁଇ ଜଣ ଅଧିକାରୀ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦୁଇ ଅଧିକାରୀ ସେମାନଙ୍କ ଝିଅଙ୍କ ନାଁ ସରକାରୀ ସ୍କୁଲରେ ଲେଖାଇଛନ୍ତି । ଫଳରେ ସ୍କୁଲର ଶିକ୍ଷକମାନେ ଉତ୍ସାହିତ ହେବା ସହ ପାଠପଢାସ୍ତର ବଦଳିବାରେ ଲାଗିଛି

ରାୟପୁରର ଏକ ସରକାରୀ ବିଦ୍ୟାଳୟରେ ଝିଅ ଦିବ୍ୟାଂଜଳିର ନାଁ ଲେଖାଇଥିଲେ ଏସଆଇଟି ଏସପି ଡି.ରବିଶଙ୍କର । ଦିବ୍ୟାଂଜଳୀ ବର୍ତମାନ ଦ୍ୱିତୀୟ ଶ୍ରେଣୀରେ ପଢୁଛନ୍ତି । ଅଦିନିଆ ବର୍ଷା ଭଳି ଦିବ୍ୟାଂଜଳି ସ୍କୁଲକୁ ଆସିଥିଲେ ଯାହା ସ୍କୁଲର ପୂରା ପରିବେଶ ବଦଳାଇଦେଇଥିଲା । ଶୀତତାପ ନିୟନ୍ତ୍ରିତ କୋଠରୀରେ ରହୁଥିବା ଦିବ୍ୟାଂଜଳି ସମସ୍ତଙ୍କ ଭଳି ବିଦ୍ୟାଳୟର ମ୍ୟାଟ ଉପରେ ବସୁଛନ୍ତି । ଅନ୍ୟ ସାଙ୍ଗ ଝିଅଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ଆଇପିଏସ ଅଫିସରଙ୍କ ଝିଅ ସ୍କୁଲରେ ପଢିବା ପରେ ଅନ୍ୟ ଅଭିଭାବକମାନେ ଗର୍ବ କରୁଛନ୍ତି ।

ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ନେଇ ଅଭିଭାବକମାନଙ୍କ ବିଶ୍ୱାସ ବଢିଛି । ଦିବ୍ୟାଂଜଳି ଗୋଟିଏ ବି ଦିନ ସ୍କୁଲ ବନ୍ଦ କରୁନାହାନ୍ତି । ସ୍କୁଲର ଅବସ୍ଥାରେ ବି ପରିବର୍ତନ ହୋଇଛି । ଶିକ୍ଷକମାନେ ନିୟମିତ ଆସୁଛନ୍ତି ଓ ଗୁଣାତ୍ମକ ଶିକ୍ଷାଦାନ କରୁଛନ୍ତି । ଦିବ୍ୟାଙ୍କ ମାଆ ସ୍କୁଲକୁ ଆସି ପିଲାଙ୍କୁ ଇଂରାଜୀ ପଢାଉଛନ୍ତି । ଆଇପିଏସ ଅଫିସରଙ୍କ ଝିଅ ସ୍କୁଲରେ ପଢିବା ପରେ ଅନ୍ୟ ଅଭିବାବକ ମାନେ ଖୁସି ହେବା ସହ ସରକାରୀ ସ୍କୁଲ ଉପରେ ସେମାନଙ୍କର ଆସ୍ଥା ବଢିଥିବା କହୁଛନ୍ତି । ପ୍ରଧାନଶିକ୍ଷକ ମଧ୍ୟ ବହୁତ ଖୁସିଅଛନ୍ତି । ରବିଶଙ୍କର କହିଛନ୍ତି, ଅନେକ ଅଭିଭାବକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢାଇବା ପାଇଁ ଲମ୍ବା ଲାଇନ ଲଗାଉଛନ୍ତି । କିନ୍ତୁ ଅନେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅବସ୍ଥା ସରକାରୀ ବିଦ୍ୟାଳୟ ଭଳି । ଯଦି ଲୋକମାନେ ଚେଷ୍ଟା କରନ୍ତେ ସରକାରୀ ବିଦ୍ୟାଳୟର ଅବସ୍ଥା ଆହୁରି ବଦଳି ପାରନ୍ତା ବୋଲି ସେ କହିଛନ୍ତି । ପିଲାମାନେ ଭଲ ପରିବେଶରେ ସେମାନଙ୍କ ପାଠପଢାର ମୂଳଦୂଆ ପକାଇପାରନ୍ତେ । ସେମାନଙ୍କ ମାନଶିକ ବିକାଶ ପାଇଁ ଏହିଭଳି ପରିବେଶ ଏକାନ୍ତ ଆବଶ୍ୟକ ।

ଛତିଶଗଡ କ୍ୟାବିନେଟ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ କହିଛନ୍ତି, ରାଜ୍ୟ ସରକାର ଶୈକ୍ଷିକ ବିକାଶ ଆଗକୁ ବଢୁଛି । ଏଥିପାଇଁ ସରକାର ନୂଆ ନିୟମ ଆଣିଛନ୍ତି । ଆପିଏସ ଅଫିସରଙ୍କ ଝିଅ ସ୍କୁଲରେ ପଢାଇବା ପରେ ସ୍କୁଲର ଶୃଙ୍ଖଳାରେ ଅନେକ ସୁଧାର ଆସିଛି । ସବୁ ସରକାରୀ ବିଦ୍ୟାଳୟରେ ଏଭଳି ସୁଧାର ଆସିବା କଥା ବୋଲି ସେ କହିଛନ୍ତି ।

ଛତିଶଗଡ ବଳରାମପୁର ଜିଲ୍ଲାର ଜିଲ୍ଲାପାଳ ଅଭିଂଶ କୁମାର ଶରଣ ପ୍ରଥମେ ଏଭଳି ନିଷ୍ପତ୍ତି ନେଇଥିଲେ । ବଳରାମପୁର ମୁଖ୍ୟାଳୟର ଏକ ସରକାରୀ ବିଦ୍ୟାଳରେ ତାଙ୍କ ଝିଅର ନାଁ ଲେଖାଇଥିଲେ । ପାଂଚ ବର୍ଷିୟ ଝିଅ ବେବିକା ବର୍ତମାନ ବଳରାମପୁରର ପ୍ରାଥମିକ ବିଦ୍ୟାଳୟରେ ପଢୁଛି । ତା ପୂର୍ବରୁ ତାଙ୍କ ଝିଅ ଅଙନୱାଡି ସେଂଟରରେ ପଢୁଥିଲା । ପତ୍ଥ୍ୟଲଗାଓଁ ବିଧାୟକ ଓ ଯଶପୁର ଜିଲ୍ଲାର ସଂସଦୀୟ ସଚିବ ଶିବଶଙ୍କରସାଇ ପାକ୍ରା ବି ଫଛରେ ପଡିନାହାନ୍ତି । ସେ ତାଙ୍କର ଦୁଇ ଝିଅଙ୍କୁ ସରକାରୀ ସ୍କୁଲରେ ପଢାଇବା ପରେ ନିକଟରେ ତାଙ୍କ ପୁ୍ଅ କାର୍ତ୍ତିକେୟକୁ ମଧ୍ୟ ସରକାରୀ ବିଦ୍ୟାଳୟରେ ପଢାଉଛନ୍ତି । ବିଧାୟକ, ଜିଲ୍ଲପାଳ ଓ ଏସପିଙ୍କ ଏଭଳି ଅଭିନବ ପଦକ୍ଷେପ ସମାଜରେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ । ତାସହ ସବୁଠି ‘ସମସ୍ତଙ୍କ ପାଇଁ ଗୋଟିଏ ଶିକ୍ଷା ବ୍ୟବସ୍ଥା’ ଦେଖିବାକୁ ମିଳିବ । ପ୍ରଶାସନର ବଡ ପଦବୀରେ ରହି ବି ଏଭଳି ଚିନ୍ତାଧାରେ ଦେଶ ବିକାଶରେ ନିଶ୍ଚିତ ଭାବେ ସାହାଯ୍ୟ କରିବ ।