ସୀମାରେ ହାଇଆଲର୍ଟ ! ଜମ୍ମୁ-କଶ୍ମୀରର ମେଣ୍ଢ଼ର ଆକାଶରେ ତୀବ୍ର ବେଗରେ ଚକ୍କର କାଟିଲା ବାୟୁସେନା ବିମାନ

576

କନକ ବ୍ୟୁରୋ : ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ପାକିସ୍ତାନ । ଆଉ ଏହାର ଜବାବ ଦେବାପାଇଁ ସଦାସର୍ବଦା ପ୍ରସ୍ତୁତ ରହିଛି ଭାରତୀୟ ବାୟୁସେନା । ଆଜି ସକାଳେ ପୁଞ୍ଚର ମେଣ୍ଢ଼ରରେ ରହୁଥିବା ଭାରତୀୟ ବାୟୁସେନାର ବିମାନ ଆକଶମାର୍ଗରେ ତୀବ୍ର ବେଗରେ ଚକ୍କର କାଟିଥିଲା । ହଠାତ ଏପରି ପରିସ୍ଥିତି ଦେଖି ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକେ । ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ରଜୌରୀରେ ମଧ୍ୟ ବାୟୁସେନା ବିମାନର ଗତିବିଧିକୁ ଲୋକେମାନେ ଦେଖିବାକୁ ପାଇଥିଲେ ।

ପାକ୍ ବାରମ୍ବାର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିବା ସହ ଆକାଶ ମାର୍ଗରେ ଏବଂ ଭାରତ-ପାକ୍ ସୀମାରେ ଆକ୍ରମଣ କରୁଥିବାରୁ ଭାରତୀୟ ସେନା ଏବେ ସତର୍କ ଥିବା ଜଣାପଡ଼ିଛି । ଗତକାଲି ମେଣ୍ଢ଼ର ଅଞ୍ଚଳରେ ପାକିସ୍ତାନ ଫିଙ୍ଗିଥିବା ୩-୪ଟି ଅଫୁଟା ବୋମା ଜବତ କରି ନଷ୍ଟ କରାଯାଇଥିଲା । ଆଉ ତା’ପରେ ଆଜି ଭାରତୀୟ ବାୟୁସେନା ଆଲର୍ଟ ହୋଇ ଏଭଳି କରିଛି ।

ସୂଚନା ମୁତାବକ, ଏୟାର ଷ୍ଟ୍ରାଇକ୍ର ଗୋଟେ ଦିନ ପରେ ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ମିରେଜ୍-୩ ଲଢ଼ୁଆ ବିମାନ ସାହାଯ୍ୟରେ ଭାରତ ଉପରେ ୩-୪ଟି ବୋମା ପକାଇଥିଲା । ସୌଭାଗ୍ୟବଶତଃ ତାହା ଫୁଟି ପାରି ନଥିଲା । ଗତକାଲି ତାହାକୁ ଠାବ କରି ନଷ୍ଟ କରିଥିଲା ଭାରତୀୟ ସେନା । ଏୟାର ଷ୍ଟ୍ରାଇକ୍ ପର ଠାରୁ ପାକିସ୍ତାନ ଲଗାତାର ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡୁଛି ।