ଜାଗୁଆର ପାଇଲଟଙ୍କୁ ସଲାମ ! ଲୋକଙ୍କ ପାଇଁ ଜୀବନ ଦେଲେ ପାଇଲଟ ସଂଜୟ ଚୌହାନ

22

ଗତକାଲି ଗୁଜୁରାଟ କଚ୍ଛ ଠାରେ ଭାରତୀୟ ବାୟୁସେନାର ଫାଇଟର ଏୟାରକ୍ରାଫ୍ଟ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାଫଳରେ ଜାଗୁଆରର ପାଇଟ କମ୍ପାଣ୍ଡର ସଂଜୟ ଚୌହାନଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜାମନଗରର ଏୟାରବେସ ଠାରୁ ଉଡାଣ ଭରି ରୁଟିନ ତାଲିମ ପାଇଁ ଜାଗୁଆରକୁ ନେଇ ବାହାରିଥିଲେ ପାଇଲଟ ସଂଜୟ । କିଛି ସମୟ ପରେ ବେରଜା-ରମନିୟା ଗାଁ ନିକଟରେ ଜାଗୁଆର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଥିବା ପାରାଚ୍ୟୁଟକୁ ଖୋଲିବାରେ ସମର୍ଥ ହୋଇ ନ ଥିଲେ ସଂଜୟ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏୟାର ବେସ ଠାରୁ ୩୦ କିଲୋମିଟର ଦୂରତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଗୁଆର ବିମାନର ଭଗ୍ନାବଶେଷ ଖଣ୍ଡ ବିଖଣ୍ଡିତ ହୋଇ ବେରଜା-ରମନିୟା ଗାଁ ଠାରୁ କିଛି ଦୂରତାରେ ପଡିଥିଲା । ସ୍ଥାନୀୟ ଲୋକ ଏ ବିଷୟରେ ଜାଣିବା ପରେ ତୁରନ୍ତ ନିକଟସ୍ଥ ପୋଲିସ ଓ ଅନ୍ୟ ଅଧିକାରୀଙ୍କୁ ସୁଚନା ଦେଇଥିଲେ ।

ଲୋକମାନଙ୍କ କହିବା ଅନୁସାରେ ବିମାନର ଧ୍ୱଂସାବଶେଷ ଗାଁ ନିକଟରେ ଥିବା କ୍ଷେତରେ ପଡିଥିଲା, ଯାହାଫଳରେ କ୍ଷେତରେ ଚରୁଥିବା କିଛି ଗାଇ, ଛେଳି ଓ ଗୃହପାଳିତ ପଶୁମାନଙ୍କର ମୃତ୍ୟୁ ହୋଇଥିବା ଗାଁ ଲୋକେ କହିଛନ୍ତି । ଭାରତୀୟ ବାୟୁସେନା ମୁଖ୍ୟାଳୟରୁ ଜାଗୁଆର ପାଇଲଟ କାହିଁକି ଏବଂ କେଉଁ କାରଣରୁ ଦୁର୍ଘଟଣାଗ୍ରସ୍ତ ହେଲା ସେଥିପାଇଁ କୋର୍ଟ ଅଫ ଇନକ୍ୱ୍ୟାରୀ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିମାନଟି ଗାଁ ଉପରେ ଉଡୁଥିବା ହେତୁ ଏକ ବଡ ଧରଣର କ୍ଷୟକ୍ଷତିକୁ ଏଡାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଦେଲେ ଲଢ଼ୁଆ ପାଇଲଟ ସଂଜୟ । ବିମାନଟି ଯେତେବେଳେ ଆକାଶରେ ଦୁର୍ଘଟଣାଗ୍ରସ୍ତ ହେଲା ସଂଜୟ ଚାହିଁଥିଲେ ସେ ସମୟରେ ବିମାନକୁ ଛାଡି ପାରାଚ୍ୟୁଟ ସହାୟତରେ ଡେଇଁ ପାରିଥାନ୍ତେ, କିନ୍ତୁ ସଂଜୟ ତାହା ନ କରି ଦୁର୍ଘଟଣାଗ୍ରସ୍ତ ବିମାନକୁ ଗାଁ ଠାରୁ ଦୁରକୁ ନେଇଯିବାରେ ସଫଳ ହୋଇଥିଲେ । ହେଲେ ନିଜ ଜୀବନକୁ ବଞ୍ଚାଇବାରେ ବିଫଳ ହୋଇଗଲେ ଏହି ଲଢ଼ୁଆ ପାଇଲଟ ।

ପାଇଲଟ ସଂଜୟ ଚୌହାନଙ୍କ ବଳିଦାନ ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ବିପଦ ମୁଖରୁ ବର୍ତ୍ତିଥିବା ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ଦେଶବାସୀ ଏବେ ସଂଜୟଙ୍କୁ ସଲାମ କରୁଛନ୍ତି । ଲଢ଼ୁଆ ପାଇଲଟ ସଂଜୟ ଚୌହାନ ୧୯୮୯ ମସିହାରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ଭାରତୀୟ ବାୟୁସେନାର ଅଧିକାରୀଙ୍କ କହିବା ଅନୁସାରେ ୫୦ ବର୍ଷୀୟ ସଂଜୟ ତାଙ୍କ ସର୍ଭିସ କ୍ୟାରିଅରରେ ୩ହଜାର ୮ଶହ ଘଣ୍ଟା ବିମାନ ଉଡାଇବାର ଦକ୍ଷତା ରଖିଥିଲେ । ସେଥିପାଇଁ ୨୦୧୦ ମସିହାରେ ସଂଜୟଙ୍କୁ ବାୟୁସେନା ମେଡାଲ ମିଳିଥିଲା ।

ସଂଜୟ ବାୟୁସେନାରେ ଯୋଗଦେବା ପରଠାରୁ ଭାରତୀୟ ବାୟୁସେନାର ଜାଗୁଆର, ମିଗ-୨୧, ହଣ୍ଟର, ଏଚ.ପି.ଟି-୩୨, ଇସକାର, କିରନ , ଆଭ୍ରୋ-୭୪୮, ଏଏନ-୩୨, ବୋଇଂ ଭଳି ୧୭ଟି ଲଢ଼ୁଆ ବିମାନ ସହ ରାଫେଲ , ଗ୍ରିପେନ ଓ ୟୁରୋ ଭଳି ବିଦେଶୀ ବିମାନ ଉଡାବାର ଦକ୍ଷତା ରଖିଥିଲେ ଏହି ଲଢ଼ୁଆ ପାଇଲଟ । ଗାଁରେ ବସବାସ କରୁଥିବା ହଜାର ହଜାର ଲୋକଙ୍କୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ସଂଜୟ । କିନ୍ତୁ ନିଜ ଜୀବନ ବାଜି ଲଗେଇଥିବା ସଂଜୟଙ୍କ ମୃତ୍ରୁ୍ୟ ପରେ ତାଙ୍କ ବଳିଦାନକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ରାଜନେତା ଓ ଭାରତୀୟ ଯବାନ । ଭାରତୀୟ ସେନାର ପୂର୍ବତନ ସ୍ୱତନ୍ତ୍ର ବଳ ଅଫିସର ସୁରେନ୍ଦ୍ର ପୁନିଆ ନିଜ ଟ୍ୱିଟ ମାଧ୍ୟମରେ ସଂଜୟଙ୍କୁ ରିୟଲ ହିରୋ ଭାବେ ସମ୍ବର୍ଦ୍ଧିତ କରିଛନ୍ତି । ପୁନିଆ କହିଛନ୍ତି ଯେ ସଂଜୟ ପାରାଚ୍ୟୁଟ ଖୋଲି ନଥିଲେ କାରଣ ଦୁର୍ଘଟଣାଗ୍ରସ୍ତ ବିମାନଟି ଗାଁ ଉପରେ ଉଡୁଥିଲା, ଯେଉଁଥିରେ ଗ୍ରାମବାସୀଙ୍କୁ ବିପଦ ମୁଖରୁ ବଞ୍ଚାଇ ନିଜେ ମରଣ ମୁହଁକୁ ଚାଲିଗଲେ ।