ଯୁଦ୍ଧ ବିମାନ ମିଗ୍-୨୧ ଉଡାଇଲେ ବାୟୁ ସେନା ମୁଖ୍ୟ ବିଏସ ଧନୱା : ଭାରତ-ପାକ ସୀମାରେ ଦେଖାଇଲେ ନିଜ ପରାକ୍ରମ

27

କନକ ବ୍ୟୁରୋ : ଯୁଦ୍ଧ ବିମାନ ମିଗ୍-୨୧ ଉଡାଇଲେ ବାୟୁସେନା ମୁଖ୍ୟ ବିଏସ ଧନୱା । ଭାରତ-ପାକିସ୍ତାନ ସୀମାରେ ନିଜର ପରାକ୍ରମ ଦେଖାଇଛନ୍ତି ନୂତନ ବାୟୁସେନା ମୁଖ୍ୟ । ବିଗତ କିଛି ବର୍ଷ ମଧ୍ୟରେ ଯୁଦ୍ଧ ବିମାନ ମିଗ୍-ଟ୍ୱେଂଟି ୱାନ ଉଡାଇଥିବା ପ୍ରଥମ ବାୟୁସେନା ମୁଖ୍ୟ ହେଉଛନ୍ତି ଧନୱା । ରାଜସ୍ଥାନର ବାଡମେର ନିକଟ ଉତରଲାଇ ଏୟାରଫୋର୍ସ ଷ୍ଟେସନରୁ ଏୟାର ଚିଫ ମାର୍ଶଲ ଧନୱା ମିଗ୍-୨୧ ଉଡାଇଛନ୍ତି ।

ବାୟୁସେନା ମୁଖ୍ୟ ଦାୟିତ୍ୱ ନେବା ପରେ ସେ ପ୍ରଥମ ଥର ପାଇଁ କାର୍ଯ୍ୟର ସମୀକ୍ଷା କରିବା ସହ ଯବାନଙ୍କ ମନୋବଳ ବଢାଇବା ପାଇଁ ଫରୱାର୍ଡ ଅପରେସନାଲ ବେସରେ ପହଂଚିଥିଲେ । ୧୯୭୮ରେ ବାୟୁସେନାର ସେ ପାଇଲଟ ଭାବେ ସାମିଲ ହୋଇଥିଲେ । ଜାଗୁଆର, ମିଗ୍- ଟ୍ୱେଂଟି ନାଇନ ଓ ସୁଖୋଇ ପରି ବିମାନ ଚଳାଇବାରେ ସେ ଦକ୍ଷତା ଅର୍ଜନ କରିଛନ୍ତି  ।

ବାୟୁସେନାର ସବୁଠୁ ପୁରୁଣା ଯୁଦ୍ଧ ବିମାନ ମିଗ୍- ଟ୍ୱେଂଟି ୱାନ ଉଡାଇଛନ୍ତି ଧନୱା । କାର୍ଗିଲ ଯୁଦ୍ଧ ସମୟରେ ବି ଏହି ବିମାନ ଉଡାଣ କରିଥିଲେ ଧନୱା । ସେହି ସମୟରେ ସେ କମାଣ୍ଡିଂଗ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ବିଏସ ଧନୱାଙ୍କ ପୂର୍ବରୁ ପୂର୍ବତନ ବାୟୁସେନା ମୁଖ୍ୟ ଅରୂପ ରାହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସରେ ଉଡାଣ ଭରିଥିଲେ  ।