ବିଧାନସଭାର ସ୍ୱାଧିକାର ଭଙ୍ଗ ନୋଟିସରେ ବାଚସ୍ପତିଙ୍କ ନିକଟରେ ହାଜର ହେଲେ ଜାଗି ପଣ୍ଡା । ଅଧା ରହିଲା ଆଲୋଚନା, ପ୍ରତିକ୍ରିୟାରେ କହିଲେ ମହିଳା ଉଦ୍ୟୋଗି ହିସାବରେ ମୁଁ ହତାସ

338

କନକ ବ୍ୟୁରୋ: ଗୃହର ସ୍ୱାଧୀକାର ଭଙ୍ଗ କରିବା ଘଟଣାରେ ଆଜି ବିଧାନସଭା ସ୍ୱାଧୀକାର କମିଟି ଆଗରେ ହାଜର ହୋଇଛନ୍ତି ଓଡିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା । ତେବେ ଆଜି ହୋଇଥିବା ଆଲୋଚନା ସମ୍ପୁର୍ଣ୍ଣ ହୋଇପାରିନଥିଲା । ପୁଣି ଥରେ ଦିନ ଧାର୍ଯ୍ୟ ହୋଇ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ଜାଗିଙ୍କୁ ହାଜର ହେବା ପାଇଁ କମିଟି ଜାନୁଆରୀ ୨୮ କିମ୍ବା ତା ପୂର୍ବରୁ ହାଜର ହେବାକୁ ନୋଟିସ ଦେଇଥିଲେ । ଗତବର୍ଷ ନଭେମ୍ବର ୧୯ ତାରିଖରେ ଓଟିଭିରେ ବିଧାନସଭା ସମ୍ପର୍କିତ ଏକ ଖବର ପ୍ରସାରଣ କରାଯାଇଥିଲା । ଏହା ବିଧାନସଭାର ଅପମାନ କରୁଥିବା ଅଭିଯୋଗ ହୋଇଥିଲା । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୃହରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ ।

ତେବେ ବାଚସ୍ପତିଙ୍କ ନିକଟରେ ହାଜର ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜାଗି ମଙ୍ଗତ ପଣ୍ଡା । ମହିଳା ଶିଳ୍ପ ଉଦ୍ୟୋଗୀ ହିସାବରେ ମୁଁ ହତାସ ବୋଲି କହିଛନ୍ତି ଜାଗି । ସେ ଆହୁରୀ ମଧ୍ୟ କହିଛନ୍ତି କି, ମୁଁ ଗତ ୨୨ ବର୍ଷ ହେଲା ଓଡିଶାରେ ଜଣେ ମହିଳା ଉଦ୍ୟୋଗପତି ଭାବରେ କାମ କରିଆସୁଛି । କିନ୍ତୁ ଏବେ ଆମକୁ ହତାସ କରାଯାଉଛି ବୋଲି ମୁଁ ଅନୁଭବ କରୁଛି । ଆମକୁ ବିଭିନ୍ନ ଦିଗରୁ ଆକ୍ରମଣ କରାଯାଉଥିବା ନେଇ ଓଡିଶା ଟେଲିଭିଜନ ଲିମିଟେଡର ପରିଚାଳନା ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି ।