ସିଏଏ ସମର୍ଥନ ସମାବେଶରେ ଶାହାଙ୍କୁ କ୍ଷମା ପ୍ରାର୍ଥନା : ଦଳକୁ ମଜବୁତ କରିବା ଦାୟିତ୍ୱରେ ସଫଳ ହୋଇନଥିବାରୁ ମଞ୍ଚ ଉପରୁ ଅମିତ ଶାହାଙ୍କୁ କ୍ଷମା ମାଗିଲେ ଧର୍ମେନ୍ଦ୍ର ପ୍ରଧାନ

1,889

କନକ ବ୍ୟୁରୋ : ଜନତା ମଇଦାନରେ ଦାୟିତ୍ୱ ଦେଇଥିଲେ ଅମିତ ଶାହା । ହେଲେ ଶାହା ଦେଇଥିବା ଗୁରୁଦାୟିତ୍ୱ ନିଭେଇ ପାରିଲେନି ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ । ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରେ ରାଜ୍ୟରେ ଆଶାଜନକ ପ୍ରଦର୍ଶନ କରିପାରିନଥିଲା । ଶାହା ଙ୍କ ୧୨୦ ମିଶନ୍ ଫେଲ ମାରିଥିଲା । ଆଉ ଏଥିପାଇଁ ଅମିତ ଶାହାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସିଏଏ ନେଇ ଦିଲ୍ଲୀରେ ହିଂସାକାଣ୍ଡ ଘଟିବା ପରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱରରେ ସିଏଏ ସମର୍ଥନ ସମାବେଶରେ ସାମିଲ ହୋଇଛନ୍ତି । ଜନତା ମଇଦାନରେ ଆୟୋଜିତ ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶାହଙ୍କୁ କ୍ଷମା ମାଗିଛନ୍ତି ।

ଜନତା ମଇଦାନରେ ଅମିତ ଶାହା, ଦଳକୁ ମଜଭୁତ କରିବାକୁ ଦାୟିତ୍ୱ ଦେଇଥିଲେ । ହେଲେ ଆମେ ଦଳକୁ ମଜଭୁତ କରିବାରେ ସଫଳ ହୋଇ ପାରିଲୁ ନାହିଁ । ଶୀର୍ଷ ନେତୃବୃନ୍ଦ ବାରମ୍ବାର ଆସି ବୁଥ ମଜୁଭୁତ ହେଲେ ଦଳ ମଜଭୁତ ହେବ ବୋଲି ଗୁରୁମନ୍ତ୍ର ଦେଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଦଳ ରାଜ୍ୟରେ ଆଶାଜନକ ପ୍ରଦର୍ଶନ କରିପାରିଲା ନାହିଁ । ତେବେ ୨୦୧୯ରେ ନହେଲେ ନାହିଁ, ୨୦୨୪ରେ ପୁଣି ଥରେ ପ୍ରତିଯୋଗିତା ହେବ । ଆଗକୁ ପ୍ରଚେଷ୍ଟା ଜାରି ରହିବ । ଆଉ ସେତେବେଳେ ରାଜ୍ୟରେ ପଦ୍ମ ଫୁଟିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଆ ଲୋକଙ୍କ ମନ ଜିଣିବା ପାଇଁ ଆହୁରି ପରିଶ୍ରମ କରିବ ଭାରତୀୟ ଜନତା ପାର୍ଟି । କଠୋର ପରିଶ୍ରମ କରି ଓଡ଼ିଆଙ୍କ ହୃଦୟ ଜିତିବ ଗେରୁଆ ଦଳ । ଓଡ଼ିଶା ଲୋକଙ୍କ ନିକଟରେ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ କଳ୍ପନାଙ୍କୁ ଠିଆ କରାଯିବ । ୨୦୨୪ରେ ବିଜେପି ଓଡ଼ିଶା ଜିତିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।