ନିଆଳିରେ ବୁଲୁଛି ହେଟାବାଘ ! ରାମଶିଆଳର ଆତଙ୍କ ଭିତରେ କନକ ନ୍ୟୁଜ୍ କ୍ୟାମେରାରେ କଏଦ୍ ହେଲା ହେଟାବାଘର ଦୃଶ୍ୟ

155

କନକ ବ୍ୟୁରୋ : ରାମଶିଆଳ ପରେ ନିଆଳିରେ ଏବେ ହେଟାବାଘ ଆତଙ୍କ । ଗତକାଲି ରାତି ପାଖାପାଖି ୧୧ଟା ସମୟରେ ଗାଁ କେନାଲ ଭିତରକୁ ଦେଇ ଏକ ହେଟାବାଘ ପଶିବାର ଦେଖାଦେଇଛି । କନକ ନ୍ୟୁଜ୍ କ୍ୟାମେରାରେ ହେଟାବାଘର ଦୃଶ୍ୟ କଏଦ ହୋଇଛି । ସେପଟେ ରାମଶିଆଳକୁ ନେଇ ହଜିଯାଇଛି ନିଆଳିର ନିଦ ।

ରାତି ତମାମ ଉଜାଗର ରହି ଗାଁ ଜଗୁଛନ୍ତି ଲୋକେ । ପୁରୁଷ ମହିଳା ସମସ୍ତେ ସାରା ରାତି ଲାଠି ଓ ଟର୍ଚ୍ଚ ଲାଇଟ ଧରି ପଇଁତରା ମାରୁଛନ୍ତି । କାରଣ ଆଖି ପିଛୁଳାକେ ରହିଛି ବନ୍ୟଜନ୍ତୁ ଆକ୍ରମଣର ଭୟ । ଗତକାଲି ରାତରେ ବି ନିଆଳିର ବିଭିନ୍ନ ସ୍ଥାନରେ ମେଣ୍ଢା ଗୁହାଳକୁ ଆକ୍ରମଣ କରିଛି ରାମଶିଆଳ । ଏମିିତିକି ଏହି ଜଙ୍ଗଲୀ ଜନ୍ତୁର ଚଳପ୍ରଚଳରେ ଗାଁ ଦାଣ୍ଢର କୁକୁର ବି ନୀରବ ହୋଇ ଯାଉଛନ୍ତି ।

କାଁ ଭାଁ ଶବ୍ଦ ଶୁଣାଗଲେ ଚେଇଁ ଉଠୁଛନ୍ତି ଗ୍ରାମବାସୀ । ହେଲେ ସେତେବେଳକୁ ମିଳୁଛି କେବଳ ମେଣ୍ଢା ମଡକ ସୂଚନା । ଏଣୁ ଏବେ କିଏ ଉଜାଗର ରହି ଗୁହାଳ ଜଗୁଛି ତ ପୁଣି କିଏ ଗାଁ ଦାଣ୍ଡରେ ଜଗି ବସିଛି । ଏମିତିକି କିଛି ଲୋକ ଆଖପାଖ ଜଙ୍ଗଲ ଓ ବୁଦା ଭିତରେ ବି ପଇଁତରା ମାରୁଛନ୍ତି । ତେବେ ହେଟାବାଘର ପିଛା କରୁ କରୁ ପଦଚିହ୍ନ ଠାବ ହୋଇଥିଲା । ବନ ବିଭାଗ ମଧ୍ୟ ଏହା ହେଟାବାଘ ବୋଲି ସ୍ପଷ୍ଟ କରିଛି ।