୯ ପୁଅ ହେଲେ ପର, ଟ୍ରାଫିକ ପୋଲିସ ହେଲେ ନିଜର ! ରାସ୍ତାକଡରେ ତିନି ଦିନ ଧରି ଭୋକିଲା ଥିବା ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇଲେ ଟ୍ରାଫିକ ପୋଲିସ

46

ଆଜିର ଶିକ୍ଷିତ ସମାଜରେ ମା’କୁ ପୁଅ ପର କରି ଦେଉଥିବାର ଅନେକ ନଜିର ରହିଛି । କେତେବେଳେ ଜନ୍ମଦାତ୍ରୀ ମା’କୁ ପୁଅ ବୃଦ୍ଧାଶ୍ରମରେ ଛାଡି ଦେଉଛି ତ ପୁଣି କେତେବେଳେ ବୟସ ଗଡିଯିବା ପରେ ମା’ ଉପରେ ପୁଅର ଅତ୍ୟାଚାର ଭଳି ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି । କିନ୍ତୁ ଏବେ ବି ମାନବିକତା ବଞ୍ଚି ରହିଛି । ଆଉ ଏହାର ଉଦାହରଣ ହେଉଛନ୍ତି ଟ୍ରାଫିକ ପୋଲିସ ହୋମଗାର୍ଡ ବି ଗୋପାଳ । ଯାହାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ହାଇଦ୍ରାବାଦ କୁକୁଟପଲ୍ଲୀ ଟ୍ରାଫିକ ପୋଲିସ ହୋମଗାର୍ଡ ବି ଗୋପାଳ ଜଣେ ବେସାହାରା ବୃଦ୍ଧାଙ୍କୁ ଖାଇବାକୁ ଦେଉଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋକୁ ୩ ହଜାର ଥରରୁ ଅଧିକ ରିଟ୍ୱିଟ୍ କରାଗଲାଣି । ତେବେ ଏହି ଫଟୋ ପଛରେ ଏଭଳି ଏକ କାହାଣୀ ଲୁଚି ରହିଛି ଯାହା ଜାଣିଲେ ଆପଣ ହୃଦୟ ନିଶ୍ଚୟ କାନ୍ଦି ଉଠିବ । ଏହାଛଡା ଟ୍ରାଫିକ ପୋଲିସକୁ ସଲାମ କରିବାକୁ ଇଚ୍ଛା ହେବ ।


ଜବାହାରଲାଲ ନେହେରୁ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟ ପାଖରେ ଥିବା ଏକ ଚା ଦୋକାନ ପାଖରେ ଦୀର୍ଘ ତିନି ଧରି ବେସାହାରା ବୃଦ୍ଧା ବସି ରହୁଥିଲେ । ଅନେକ ଲୋକ ସେହି ବାଟ ଯାଉଥିଲେ ମଧ୍ୟ ଧୂଳି ସରସର ବୃଦ୍ଧାଙ୍କ ଆଡେ କାହାର ଟିକିଏ ବି ନଜର ପଡୁନଥିଲା । ଏପରିକି ସେଠାରେ କାର୍ଯ୍ୟରତ ଥିବା ଟ୍ରାଫିକ ପୋଲିସ ବି ଗୋପାଳ ମଧ୍ୟ ଏହାକୁ ଏତେ ଗୁରୁତର ସହ ନେଇ ନଥିଲେ । କିନ୍ତୁ ତିନି ଦିନ ବୃଦ୍ଧା ଅଖିଆ ଅପିଆ ରହିଥିବା ଜାଣିବା ପରେ ଗୋପାଳ ଯାହା କରିଥିଲେ ତାହା ହୁଏତ ବୃଦ୍ଧାଙ୍କ ପାଇଁ ନିଜ ପୁଅ ମଧ୍ୟ କରିନଥିବେ । ଅସହାୟ ଭୋକିଲା ବୃଦ୍ଧାଙ୍କୁ ଚା’ ଓ ଅନ୍ୟ କିଛି ଖାଦ୍ୟ ଆଣି ଖାଇବାକୁ ଦେଇଥିଲେ । କିନ୍ତୁ ବୃଦ୍ଧା ଜଣକ ଏତେ ଦୁର୍ବଳ ହୋଇଯାଇଥିଲେ ଯେ, ନିଜ ହାତରେ ଖାଇବା ପାଇଁ ମଧ୍ୟ ସକ୍ଷମ ହୋଇନଥିଲେ । ଫଳରେ ନିଜ ହାତରେ ବୃଦ୍ଧାଙ୍କୁ ଖୁଆଇଦେଇ ଟ୍ରାଫିକ ପୋଲିସ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଥିଲେ ।

ଏହାପରେ ବୃଦ୍ଧା ଜଣଙ୍କୁ ବୃଦ୍ଧାଶ୍ରମରେ ଛାଡିବାର ବନ୍ଦବୋସ୍ତ ମଧ୍ୟ କରିଥିଲେ । ବୃଦ୍ଧା ଜଣଙ୍କୁ ଖୁଆଇ ଦେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବି ଗୋପାଳଙ୍କ ପାଇଁ ଚାରିଆଡୁ ପ୍ରଂଶସାର ସୁଅ ଛୁଟୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ମହିଳାଙ୍କର ୯ ଜଣ ସନ୍ତାନ ଥିଲେ ମଧ୍ୟ ମା’ କଥା ବୁଝିବା ପାଇଁ କାହା ପାଖରେ ସମୟ ନାହିଁ । ଏଥିପାଇଁ ମା’କୁ ରାସ୍ତାକଡରେ ଜୀବନ ବିତାଉବାକୁ ପଡୁଛି ବୋଲି କହିଛନ୍ତି ଗୋପାଳ । ଏପରିକି ବୃଦ୍ଧା ଅବସ୍ଥାରେ ମା’ର ସେବା କରିବା ବଦଳରେ ରାସ୍ତା କଡରେ ଛାଡି ଦେଇଛନ୍ତି ପୁଅ ।