କ୍ୟାପିଟାଲ ହସ୍ପିଟାଲରେ ତିଆରି ହେବ ୧୦ଟି ହାଇବ୍ରିଡ୍‌ ଶୌଚାଳୟ ! ବିଏମସି ପକ୍ଷରୁ ଜାଗା ଚିହ୍ନଟ

65

କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଆଟେଣ୍ଡାଣ୍ଟଙ୍କ ଶୌଚାଳୟ ଜନିତ ଅସୁବିଧା ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ବିଏମସି ଜରିଆରେ ହସ୍ପିଟାଲରେ ୧୦ଟି ହାଇବ୍ରିଡ୍‌ ଶୌଚାଳୟ ପାଇଁ ଜାଗା ଚିହ୍ନଟ ହୋଇଛି । ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି । ସେହିପରି ହସ୍ପିଟାଲରେ ପ୍ରବେଶ ପାଇଁ ଏବେ ୮ଟି ପ୍ରବେଶ ଦ୍ୱାର ରହିଛି । ତେବେ ହସ୍ପିଟାଲ ପରିସରରେ ଥିବା ‘ଆହାର’ କେନ୍ଦ୍ର ଓ ଗାଡ଼ ଷ୍ଟାଣ୍ଡ ମଧ୍ୟରେ ଥିବା ଗେଟ୍‌ରେ ପ୍ରବଳ ଗହଳି ହେଉଛି । ତେଣୁ ଏହି ଗେଟ୍‌କୁ ବନ୍ଦ କରି କାଜୁଆଲ୍‌ଟି ସମ୍ମୁଖରେ ଏକ ଗେଟ୍‌ ଖୋଲିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହାସହ ହସ୍ପିଟାଲରେ ଆଲୋକୀକରଣ ପାଇଁ ୨୦ଟି ସ୍ଥାନରେ ଏଲଇଡି ବଲ୍‌ବ ଲଗାଇବା ପାଇଁ ଯୋଜନା କରାଯାଇଥିବା ହସ୍ପିଟାଲ କର୍ତୃପକ୍ଷ କହିଛନ୍ତି ।

କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ନିକଟରେ ଏକ ଶୌଚାଳୟ ରହିଛି । ତେବେ ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ଏହା ଉପଯୋଗୀ ହେଉନାହିଁ । ଲୋକମାନେ ଏଣେତେଣେ ମନଇଚ୍ଛା ପରିସ୍ରା କରୁଛନ୍ତି । ତେଣୁ ହସ୍ପିଟାଲରେ ଶୌଚାଳୟର ସୁବିଧା କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଓ ବିଏମ୍‌ସି ସହିତ ଆଲୋଚନା ହୋଇଛି । ଏଥିପାଇଁ ହସ୍ପିଟାଲରେ ୧୦ଟି ହାଇବ୍ରିଡ୍‌ ଶୌଚାଳୟ ଲଗାଯିବ । ହସ୍ପିଟାଲ ପରିସରରେ ଥିବା ‘ନିରାମୟ’ କାଉଣ୍ଟର ସମ୍ମୁଖରେ ଏହି ହାଇବ୍ରିଡ୍‌ ଶୌଚାଳୟ ବସିିବ । ଏଥିରେ ଭିନ୍ନକ୍ଷମ ଓ ଶିଶୁଙ୍କ ପାଇଁ ଗୋଟିଏ ଶୌଚାଳୟ ସଂରକ୍ଷିତ ରହିବ। ଅନ୍ୟ ୯ଟି ମଧ୍ୟରୁ ୫ଟି ପୁରୁଷ ଓ ୪ଟି ମହିଳା ବ୍ୟବହାର କରିବେ । ଏଥିରେ ଜଣେ ମାଗଣାରେ ପରିସ୍ରା କରିପାରିବ, ମାତ୍ର ଝାଡ଼ା ଯିବା ପାଇଁ ଅର୍ଥ ଦେବାକୁ ହେବ। ସୁଲଭ ଇଣ୍ଟରନାସନାଲ ଏହାର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି ।

ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲରେ ହାଇବ୍ରିଡ୍‌ ଶୌଚାଳୟ ପାଇଁ ମେୟରଙ୍କ ସହ ଆଲୋଚନା ହୋଇଥିଲା । ପ୍ରଥମେ ଏଥିପାଇଁ ୧୦ଟି ଶୌଚାଳୟ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ତେବେ ଲୋକଙ୍କ ଗହଳିକୁ ଦେଖି ଆହୁରି ୧୦ଟି ହାଇବ୍ରିଡ୍‌ ଶୌଚାଳୟ ହସ୍ପିଟାଲର ଏମ୍‌ସିଏଚ୍‌ ବିଲ୍ଡିଂ ନିର୍ମାଣ ପାଇଁ ବିଏମ୍‌ସିକୁ ପ୍ରସ୍ତାବ ଦିଆଯିବ। ଯଦି ବିଏମସି ଏଥିପାଇଁ ରାଜି ହୁଏ ତେବେ ହସ୍ପିଟାଲର ଶୌଚାଳୟ ନେଇ ସମସ୍ୟା ଦୂର ହୋଇପାରିବ ।

ଏହାସହ ହସ୍ପିଟାଲର ‘ଆହାର’ କେନ୍ଦ୍ର ନିକଟ ଗେଟ୍‌କୁ ବନ୍ଦ କରି ଦିଆଯିବ। ଆହାର କେନ୍ଦ୍ର ଓ ଗାଡ଼ି ଷ୍ଟାଣ୍ଡ ମଧ୍ୟରେ ଥିବା ଗେଟ୍‌ର ଗାଡ଼ି ଯିବାଆସିବାରେ ସମସ୍ୟା ହେଉଛି । ତେଣୁ ଏହି ଗେଟ୍‌କୁ ବନ୍ଦ କରି କାଜୁଆଲ୍‌ଟି ସମ୍ମୁଖରେ ଏକ ଗେଟ୍‌ ଖୋଲାଯି ବ। ଏହାର ଦୁଇ ପାଖରେ ଗାଡ଼ି ଷ୍ଟାଣ୍ଡ କରାଯିବ । ପୁରୁଣା ଗାଡ଼ି ଷ୍ଟାଣ୍ଡରେ ଲୋକମାନେ ମାଗଣାରେ ଗାଡ଼ି ରଖିପାରିବେ । ଗାଡ଼ି ଷ୍ଟାଣ୍ଡ ପାଇଁ ନିଆଯିବା ଲିଜ୍‌ର ସମାପ୍ତ ହେଉଥିବାରୁ ଏହାକୁ ଆଉଥରେ ନିଲାମ ନ କରିବାକୁ ନିଷ୍ପତ୍ତି ହୋଇଛି । ଅପରପକ୍ଷରେ ହସ୍ପିଟାଲରେ ଆଲୋକ ପାଇଁ ଆବଶ୍ୟକ ସଂଖ୍ୟକ ଲାଇଟ୍‌ର ବ୍ୟବସ୍ଥା ନାହିଁ । ଯାହାଫଳରେ ଅନେକ ଅସାମାଜିକ ବ୍ୟକ୍ତି ଏଠାରେ ବିଭିନ୍ନ କାର୍ଯ୍ୟକଳାପ କରୁଛନ୍ତି ।ତେଣୁ ଆଲୋକୀକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ହସ୍ପିଟାଲର ୨୦ଟି ସ୍ଥାନରେ ଏଲଇଡି ଲାଇଟ୍‌ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି ।