ଆଉ ଜଣେ ହରିଶ୍ଚନ୍ଦ୍ର ! ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହିଲେ ଅସହାୟ ସ୍ୱାମୀ

29

କଳାହାଣ୍ଡି : ଭବାନୀପାଟଣାରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଯେକୌଣସି ଲୋକଙ୍କ ହୃଦୟ ଚହଲିଯିବ। ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ବୋହି ନେଉଛି ଜଣେ ଗରିବ ଆଦିବାସୀ । ଏହି ଦୃଶ୍ୟ ବୟାନ କରୁଛି, କିଭଳି ଫେଲ ମାରିଛି ସରକାରଙ୍କ ଯୋଜନା । କିଭଳି ଆଜି ବି ଅସହାୟ ଭାବେ ଜିଇଁ ରହିଛନ୍ତି ଗରିବ ଆଦିବାସୀ ।

ଥୁଆମୁଳ ରାମପୁର ବ୍ଳକର ନାକୁରୁଣ୍ଡି ପଂଚାୟତରୁ ଧାନ ମାଝି ଚିକିତ୍ସା ପାଇଁ ସ୍ତ୍ରୀକୁ ୬୦ କିଲୋମିଟର ଦୂର ଭବାନୀପାଟଣା ନେଇ ଆସିଥିଲେ । ତେବେ ଡାକ୍ତରଖାନାରେ ସ୍ତ୍ରୀର ମୃତ୍ୟୁ ପରେ ଅସହାୟ ଧାନ ମାଝିଙ୍କ ମୁଣ୍ଡରେ ପଡିଥିଲା ଚଡକ । ମୃତ ଦେହକୁ ଗାଁକୁ ନେବା ଲାଗି ତାଙ୍କ ପାଖରେ କୌଣସି ଉପାୟ ନଥିଲା। ଯାହାକୁ ଦେଖିଲେ ନେହୁରା ହେଲେ କେହି ବି ସାହାଯ୍ୟ ପାଇଁ ଆଗେଇ ଆସିଲେ ନାହିଁ । ସରକାରଙ୍କ ଗଦା ଗଦା ଯୋଜନା କିଛି ବି କାମରେ ଆସିନଥିଲା ଏହି ଗରିବ ଆଦିବାସୀ ପାଇଁ । ଅସହାୟ ଲୋକଙ୍କ ନିବେଦନ ପ୍ରତି କାହାର ଦରଦ ନଥିଲା । ନା ପହଁଚିଲା ଆମ୍ବୁଲାନ୍ସ, ନା କେହି ସହାୟତାର ହାତ ବଢାଇଲେ।

ସବୁ ଉଦ୍ୟମ ଫେଲ ମାରିବା ପରେ ପତ୍ନୀର ମୃତଦେହକୁ କାନ୍ଧରେ ବୋହି ୬୦ କିଲୋମିଟର ଯିବାକୁ ଅଂଟା ଭିଡିଲେ। ୧୦ କିଲୋମିଟର ବାଟ ଯିବା ପରେ କିଛି ଯୁବକ ଅଟକାଇ ପ୍ରଶାସନକୁ ଖବର ଦେଲେ । କାଳାହାଣ୍ଡି ଜିଲ୍ଲାପାଳ ଏହି ଘଟଣାରେ ହସ୍ତକ୍ଷେପ କରିଥିବା ସୂଚନା ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, କାହା ପାଇଁ ସରକାରଙ୍କ ଯୋଜନା? ଉପାନ୍ତ ଇଲାକାରେ କିପରି କାର୍ଯ୍ୟ କରୁଛି ୧୦୮ ଓ ୧୦୨ ଆମ୍ବୁଲାନ୍ସ? କେତେବେଳେ ଖଟିଆରେ ଗର୍ଭବତୀ ମହିଳା ବୁହା ହେଉଥିବା ଖବର ଆସୁଛି ତ କେତେବେଳେ ସାଇକେଲରେ ମୃତଦେହ ବୁହା ହେଉଥିବା ଦେଖିବାକୁ ମିଳିଛି। ନିକଟରେ ଥୁଆମୁଳ ରାମପୁରରେ ୧୩ ଜଣ ଲୋକ ଅଜଣା ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ। ଏବେ ସ୍ତ୍ରୀର ମୃହଦେହକୁ ସ୍ୱାମୀ କାନ୍ଧରେ ବୋହି ଆଣିବା ସମ୍ବେଦନଶୀଳ ଲୋକଙ୍କୁ ବ୍ୟଥିତ କରିଛି। ନ୍ୟୁଜ ସହିତ ଦେଖିବା ଏହି ଭିଡିଓ :