ଛାଡପତ୍ର ପରେ ସ୍ତ୍ରୀର ଭରଣପୋଷଣ ପାଇଁ ଫ୍ୟାମିଲି କୋର୍ଟରେ ହାଜର ହେଲେ ସ୍ୱାମୀ । କୋର୍ଟଙ୍କ ନିର୍ଦ୍ଦେଶ ମାନି କଏନ ଭରା ୫ଟି ବସ୍ତାରେ ଆଣିଲେ ୩୩ ହଜାର ଟଙ୍କା

748

କନକ ବ୍ୟୁରୋ: ୫ବସ୍ତା କଏନ ଧରି କୋର୍ଟରେ ପହଞ୍ଚିଗଲେ ସ୍ୱାମୀ । କାହିଁକି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସ୍ତ୍ରୀକୁ ଭରଣପୋଷଣ ଦେବା ପାଇଁ ଏକ ଫ୍ୟାମିଲି କୋର୍ଟ ରାୟ ଦେଇଥିଲେ । ଆଉ ତା ପରେ କୋର୍ଟରେ ୫ବସ୍ତା କଏନ ଧରି ପହଞ୍ଚି ଯାଇଥିଲେ ସ୍ୱାମୀ । ଏହି ଘଟଣା ଘଟିଛି ଛତିଶଗଡରେ ।

ପାମଗଡ ବାସିନ୍ଦା ପୁନିରାମ ସାହୁ ଏବଂ ସ୍ତ୍ରୀ ଯଶୋଧାରାଙ୍କ ମଧ୍ୟରେ ଛାଡପତ୍ର ମାମଲାର ବିଚାର ଦୀର୍ଘ ୨୦ବର୍ଷ ଧରି ଚାଲିଥିଲା । ଫ୍ୟାମିଲି କୋର୍ଟ ପକ୍ଷରୁ ଯଶୋଧାରାଙ୍କୁ ୩୩ହଜାର ୮ଶହ ଟଙ୍କା ଭରଣପୋଷଣ ବାବଦରେ ଦେବାକୁ ପୁନିରାମଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଚାଷୀ ପୁନିରାମ ନିଜ ପାଖରେ ଥିବା ଟଙ୍କିକିଆ, ୨ଟଙ୍କିଆ,୫ଟଙ୍କିଆ ତଥା ୧୦ ଟଙ୍କିଆ ଥିବା ୫ଟି ବସ୍ତା ନେଇ କୋର୍ଟରେ ପହଞ୍ଚିଥିଲେ ।

ବିଚାରପତି ଏହି କଏନ ଗଣିବାପାଇଁ ପୁନିରାମଙ୍କୁ କହିଥିଲେ । କୋର୍ଟ ପରିସରରେ ବସି କଏନ ଗଣିବା ପରେ ସ୍ତ୍ରୀ ଯଶୋଦାଙ୍କୁ ଦେଇଥିଲେ ପୁନିରାମ । ଏହି କଏନ ନେବାକୁ ଯଶୋଦା ମନାକରିବାରୁ ପୁନିରାମ ଏହାକୁ ବୋହି ବୋହି ତାଙ୍କ ଘରେ ଦେଇଥିବା ଜଣାପଡିଛି ।