ଡାକ୍ତର ହେବ ତ ଏମିତି ! ଡାକ୍ତରଖାନାରୁ ବିଦାୟ ନେବା ବେଳେ କାନ୍ଦିଲା ପୂରା ଗାଁ, ଜାଣନ୍ତୁ ଭଗବାନ-ରୂପୀ ଡାକ୍ତର କିଶୋରଙ୍କ ପୂରା କାହାଣୀ

72

କନକ ବ୍ୟୁରୋ : ଜଣେ ଡାକ୍ତରଙ୍କ ବିଦାୟ ବେଳେ ଯେଉଁ ଭିଡ ହୋଇଥିଲା ତାକୁ ଦେଖି ଅନୁମାନ କରିହେଉଥିଲା ତାଙ୍କ ଲୋକପ୍ରିୟତା । ଆଉ ସାଧାରଣରେ ପ୍ରଶ୍ନ ଉଠୁଥିଲା, ଜଣେ ଡାକ୍ତରଙ୍କ ପାଇଁ ଲୋକଙ୍କ ଆଖିରେ ଲୁହ କାହିଁକି ଜକାଇ ଆସିଛି । ଜାଣିଲେ ଆଶ୍ଚ ଯ୍ୟ ହେବେ ନବରଙ୍ଗପୁର ତେନ୍ତୁଳିଖୁଂଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଡାକ୍ତରଙ୍କ ସହ ରୋଗୀଙ୍କ ସଂପର୍କ ଏତେ ନିବିଡ ଯେ, ଉଚ୍ଚଶିକ୍ଷା ପାଇଁ ଜାଗା ଛାଡିଲା ବେଳେ ତିଆରି ହୋଇଥିଲା ଏକ ଭାବବିହ୍ୱଳ ପରିବେଶ ।

ବୃତି ଓ ମାନବିକତା ଯେତେବେଳେ ଗୋଟିଏ ସରଳରେଖା ଦେଇ ଗତିକରେ ବୋଧେ ଏହି ଭଳି ଘଟଣା ସବୁ ସାମ୍ନାକୁ ଆସେ । ବରଯାତ୍ରୀ ଭଳି ଶୋଭାଯାତ୍ରା ଏବଂ ରାଜକୀୟ ଢ଼ଙ୍ଗରେ ମେଲାଣୀ – ଏହା ପଛରେ ରହିଛି ଜଣେ ଭଗବାନ-ରୁପୀ ଡାକ୍ତରର କାହାଣୀ । ଯିଏ ଡାକ୍ତର ଭାବରେ ଯେମିତି ପରିଚିତ, ଜଣେ ଦରଦୀ ମଣିଷ ଭାବରେ ତାଠୁ ଅଧିକ ଜଣାଣୁଣା । ଅଶ୍ରୁଭରା ନୟନରେ ବିଦାୟ ନେଉଥିବା ଏହି ଡାକ୍ତର ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ତେଣ୍ଡୁଲିଖୁଂଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର କିଶୋର ଚନ୍ଦ୍ର ଦାସ ।

ରାତିଅଧରେ ରୋଗୀଙ୍କ ପାଇଁ ଉଠି ଆସୁଥିବା ଏହି ଡାକ୍ତର ଜଣକ ଯେତେବେଳେ ବିଦାୟ ନେଉଥିଲେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଆଖିରେ ଲୁହ ଗଡ଼ି ଆସୁଥିଲା । ଶାନ୍ତ ଓ ସରଳ ସ୍ୱାଭବର ଏହି ଡାକ୍ତର ଜଣଙ୍କ ଲୋକଙ୍କ ଆଖିରେ ଲୁହ ଦେଖି ନିଜେ ବି ଭାବ ବିହ୍ୱଳ ହୋଇ ଉଠୁଥିଲେ । କେଇ ବର୍ଷର ଚାକିରିରେ ଯେମିତି ଲୋକଙ୍କ ହୃଦହ ଜିତି ନେଇଗଲେ ଏହି ଡାକ୍ତର ।

୨୦୧୦ ମସିହାରେ ତେନ୍ତୁଲିଖୁଂଟି ଡାକ୍ତରଖାନାରେ ଯୋଗ ଦେଇଥିଲେ ଡାକ୍ତର କିଶୋର ଚନ୍ଦ୍ର ଦାସ, ଗୋଟିଏ ବର୍ଷ ସେଠି କାମ କରିବା ପରେ ଜିଲ୍ଲା ହସ୍ପିଟାଲକୁ ଡେପୁଟେସନରେ ଯାଇଥିଲେ, ଆଉ ଯେତେବେଳେ ଫେରିଲେ ତାଙ୍କ ହାତରେ ଥିଲା ହସ୍ପିଟାଲର ଦାୟିତ୍ୱ । ଯାହାକୁ ସେ ଅତି ଆପଣାର ଭାବି ତୁଲାଇଥିଲେ । ରୋଗୀ ସେବା ସହ ପରିମଳ ଓ ପରିଚ୍ଛନ୍ନତାକୁ ବି ବିଶେଷ ଧ୍ୟାନ ଦେଉଥିଲେ ।ଆଉ ଏସବୁ ଭିତରେ ଉଚ୍ଚ ଶିକ୍ଷା ପାଇଁ ଚାକିରି ଛାଡ଼ି ଥିବା ଡାକ୍ତର କିଶୋର ଦାସଙ୍କୁ ଗତ ୩୧ ତାରିଖରେ ବିଦାୟ ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଯେଉଁଠି ଦେଖିବାକୁ ମିଳିଥିଲା ଏହି ଭାବବିହ୍ୱଳ ମେଲାଣୀ ।