ଠାକୁରଙ୍କୁ ବି ଛାଡ଼ିଲେନି: ଲିଙ୍ଗରାଜଙ୍କ ହୁଣ୍ଡିରୁ ବିଚିତ୍ର ଉପାୟରେ ଟଙ୍କା ନେଇଗଲେ ଦୁର୍ବୃତ୍ତ

273

କନକ ବ୍ୟୁରୋ: ହୁଣ୍ଡି ଭିତରେ ଲାଗିଛି କାଗଜ ଠୋଲା। ରେଜା ପଇସା ପଡ଼ିଲେ ହୁଣ୍ଡି ଭିତରକୁ ଗଳି ଯାଉଛି। ନୋଟ୍ ପଡ଼ିଲେ ଠୋଲା ଭିତରେ ରହୁଛି। ମୁଗୁରାରେ ମାଛ ଧରିବା ଭଳି ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡିରୁ ଏଭଳି ଏକ ବିଚିତ୍ର ଉପାୟରେ ଦୁର୍ବୃତ୍ତ ଛାଣି ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଗତକାଲି ମନ୍ଦିର ଜଗମୋହନରେ ଥିବା ଶ୍ରୀଲିଙ୍ଗରାଜଙ୍କ ହୁଣ୍ଡି ଗଣତି ବେଳେ ଏଭଳି ତଥ୍ୟ ପଦାକୁ ଆସିଛି। ଏସଂପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ଜାଗର ଯାତ୍ରା ପରେ ଗତକାଲି ଖୋଲା ଯାଇଥିବା ଶ୍ରୀଲିଙ୍ଗରାଜଙ୍କ ଜଗମୋହନ ହୁଣ୍ଡିରୁ ମାତ୍ର ୩ ଲକ୍ଷ ୮୩ ହଜାର ୪ଶହ ୫୮ଟଙ୍କା ସଂଗୃହୀତ ହୋଇଛି। ଚଳିତ ମାର୍ଚ ମାସରେ ମହାଶିବରାତ୍ରି ପର୍ବ ଥିଲା। ଏଥିରେ ଅତି କମରେ ୧୦ ଲକ୍ଷ ଟଙ୍କା ଆଶା କରାଯାଉଥିଲା। କିନ୍ତୁ ଠୋଲା ଜରିଆରେ ଲୁଟି ନିଆଯିବାରୁ ଏହି ପରିମାଣ କମି ଯାଇଛି ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଗତ ଜାନୁଆରି ମାସରେ ହୋଇଥିବା ଗଣତିରେ ଏହି ହୁଣ୍ଡିରୁ ୪ ଲକ୍ଷ ୧୪ ହଜାର ୯୯୫ ଟଙ୍କା ସଂଗୃହୀତ ହୋଇଥିଲା।

ସୂଚନା ଅନୁଯାୟୀ, ୮ଟି ଠୋଲା ଏଭଳି ବାହାରିଥିବା ବେଳେ ମହାଶିବରାତ୍ରି ପରେ ମଧ୍ୟ ହୁଣ୍ଡିରୁ ପ୍ରାପ୍ତ ଅର୍ଥ ପୂର୍ବବର୍ଷ ତୁଳନାରେ ଢେର୍ କମ୍ ହୋଇଛି। ଦୀର୍ଘ ଦିନ ଧରି ଏଭଳି ନିଆରା ଢଙ୍ଗରେ ହୁଣ୍ଡି ଲୁଟ୍ ଚାଲିଥିବା ବେଳେ କେମିତି କେହି କିଛି ଜାଣି ପାରିନାହାନ୍ତି, ସେନେଇ ତନାଘନା ଆରମ୍ଭ ହୋଇଛି। ମହାଶିବରାତ୍ରିରେ ସର୍ବାଧିକ ଟଙ୍କା ପଡ଼ୁଥିବାରୁ ଏହି ଶିବରାତ୍ରିର ଦାନ ଲୁଟିବା ପାଇଁ ଏହି ଯୋଜନା ହୋଇଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ମନ୍ଦିର ଭିତରୁ ସିସିଟିଭି ସାମ୍ନାରୁ ଏଭଳି ବିଚିତ୍ର ଢଙ୍ଗରେ କିଏ ଚୋରି କଲା, ତାହାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଶିବରାତ୍ରି ଯୋଗୁଁ ମନ୍ଦିରରେ ଦୀର୍ଘ ଦିନ ହେବ ଗହଳଚହଳ ଲାଗିଥିଲା। ଏଭଳି ସ୍ଥିତିରେ ଦୁର୍ବୃତ୍ତ କିଭଳି ଏମିତି ସାହସ କରି ସଫଳ ହେଲା, ସେ ନେଇ ପ୍ରଶ୍ନ ଉଠିଛି। ତା’ ଛଡ଼ା ସେବାୟତମାନେ ମଧ୍ୟ କିଭଳି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।

Comments are closed.