ଏମିତି ଏକ ଗାଁ, ଯେଉଁଠି ମଣିଷ ଏବଂ କୁମ୍ଭୀରଙ୍କ ମଧ୍ୟରେ ରହିଛି ବନ୍ଧୁତା ! ଗାଁ ପ୍ରତି ବିପଦ ଆସିଲେ ସଙ୍କେତ ଦେଇଥାନ୍ତି କୁମ୍ଭୀର ।

48

କୁମ୍ଭୀରକୁ ଦେଖିଲେ ସାଧାରଣତଃ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ । କିନ୍ତୁ କୁମ୍ଭୀର କେଉଁଠି ମଣିଷର ବନ୍ଧୁ ହୋଇପାରିବ ତାହା ଶୁଣିଲେ ନିଶ୍ଚୟ ଭାବେ ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ । ପଶ୍ଚିମ ଆଫ୍ରିକାରେ ଏପରି ଏକ ଗାଁ ଅଛି ଯେଉଁଠି କୁମ୍ଭୀର ଏବଂ ମଣିଷ ବନ୍ଧୁ ଅଟନ୍ତି । ରାଜଧାନୀ ଓଆଗାଡୁଗୋ ଠାରୁ ୩୦ କିଲୋମିଟର ଦୂର ବାଜୋଲେ ଗାଁରେ କୁମ୍ଭୀରକୁ କେହି ଭୟ କରନଥାନ୍ତି । ଗ୍ରାମବାସୀମାନେ କୁମ୍ଭୀରକୁ ଚିକେନ ଖୁଆଇବା ସହ କୁମ୍ଭୀର ଉପରେ ବସିଥାନ୍ତି ଏବଂ ସେମାନଙ୍କ ସହ ଶୋଇଥାନ୍ତି ।

ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ପିଲାବେଳରୁ ହିଁ କୁମ୍ଭୀର ସହ ଖେଳିବା ଏବଂ ପହଁରିବା ଅଭ୍ୟାସ ହୋଇଯାଇଥାଏ । କୁମ୍ଭୀରମାନେ କାହାରିକୁ ମଧ୍ୟ କୌଣସି ପ୍ରକାର କ୍ଷତି ପହଞ୍ଚାଇନଥାନ୍ତି । ଏପରିକି ଗାଁ ଲୋକଙ୍କୁ କୁମ୍ଭୀର ସାହାଯ୍ୟ କରିଥାନ୍ତି । ଥରେ ଗାଁରେ ମରୁଡି ପଡିଥିବା ବେଳେ କୁମ୍ଭୀର ହିଁ ଗ୍ରାମବାସୀଙ୍କୁ ଲୁଚି ରହିଥିବା ଏକ ପୋଖରି ଦେଖାଇଥିଲା । ସେମାନଙ୍କର ଏହି ଉପକାରର ଧନ୍ୟବାଦ ଦେବା ପାଇଁ ଗାଁଲୋକେ ପ୍ରତିବର୍ଷ କୁମ ଲାକରେ ନାମକ ଉତ୍ସବ ପାଳନ କରିଥାନ୍ତି । ଉତ୍ସବ ସମୟରେ ବଳି ଦେଇ ଗାଁଲୋକେ ଗାଁର ବିକାଶ ପାଇଁ କୁମ୍ଭୀର ନିକଟରେ ପ୍ରାର୍ଥନା କରିଥାନ୍ତି । ତେବେ ଏଠାକାର ଲୋକମାନଙ୍କ ମନରେ ବିଶ୍ୱାସ ରହିଛି ଯେ, କୁମ୍ଭୀର କାନ୍ଦିଲେ ଗାଁ ପାଇଁ ବିପଦ ମାଡି ଆସିଥାଏ । ଗାଁକୁ ଆସୁଥିବା ବିପଦ ପୂର୍ବରୁ କୁମ୍ଭୀର ଗାଁଲୋକଙ୍କୁ ସଙ୍କେତ ଦେଇଥାଏ । ମଣିଷ ଏବଂ କୁମ୍ଭୀରମାନଙ୍କ ଏହି ବନ୍ଧୁତା ସାରା ଦୁନିଆର ପର୍ଯ୍ୟଟକଙ୍କୁ ଏହି ଗାଁକୁ ଟାଣିଆଣିଥାଏ ।