ନାବାଳିକା ସହ ହୋଟେଲରୁ ଗିରଫ ହେଲେ ମେଜର ଲିତୁଲ ଗୋଗୋଇ ! ଜମ୍ମୁ-କଶ୍ମୀର ପୋଲିସର ମାମଲା ରୁଜୁ, ଆଇଜି ଦେଲେ ତଦନ୍ତ ନିର୍ଦ୍ଦେଶ

41

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ପଥର ଫିଙ୍ଗାଳିଙ୍କୁ ଜିପ୍ ଆଗରେ ବାନ୍ଧି ଚର୍ଚ୍ଚାରେ ଥିବା ମେଜର ଗୋଗୋଇ ଗିରଫ । ଜଣେ ନାବାଳିକା ସହ ଏକ ହୋଟେଲରୁ ତାଙ୍କୁ ଥାନାକୁ ଆଣି ପଚରା ଉଚରା କରୁଛି ଜମ୍ମୁ କଶ୍ମୀର ପୋଲିସ । କଶ୍ମୀରର ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ ଡଲଗେଟ୍ ଅଂଚଳରେ ଥିବା ଦ ଗ୍ରାଣ୍ଡ ମମତା ହୋଟେଲରେ ଜଣେ ନାବାଳିକା ସହ ପହଂଚି ଥିଲେ ମେଜର ଲିତୁଲ ଗୋଗୋଇ । ତାଙ୍କ ସହ ଜଣେ ଯୁବକ ମଧ୍ୟ ଥିଲେ । ତେବେ ହୋଟେଲ କର୍ମଚାରୀ ସେମାନଙ୍କୁ ଭିତରକୁ ଛାଡି ନଥିଲେ । ଫଳରେ ସେଠାରେ ମେଜର ଗୋଗୋଇଙ୍କ ସହ ବଚସା ହେବା ପରେ ଖାନୟାର ଥାନାକୁ ଖବର ଦେଇଥିଲେ ହୋଟେଲ ଷ୍ଟାଫ ।

ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମା ହୋଇଥିବା ବେଳେ ପୋଲିସ ପହଂଚି ମେଜର ଗୋଗୋଇଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ଥାନାକୁ ନେଇ ଯାଇଥିଲା । ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ସେପଟେ ପୋଲିସ ସୂଚନା ଅନୁଯାୟୀ ବଡଗାଁଓର ଜଣେ ଝିଅ ସହ ଅନ୍ୟ ଜଣେ ଯୁବକ ମେଜର ଗୋଗୋଇଙ୍କୁ ଭେଟିବାକୁ ଆସିଥିବା ବେଳେ ହୋଟେଲ ଷ୍ଟାଫ୍ ଅଟକାଇବାରୁ ଗଣ୍ଡଗୋଳ ହୋଇଥିଲା । ତେବେ ଝିଅଟି ନାବାଳିକା ବୋଲି ପୋଲିସ କହିନାହିଁ । ଏହି ପୂରା ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜମ୍ମୁକଶ୍ମୀର ଆଇ.ଜି । ଶ୍ରୀନଗର ନର୍ଥ ଜୋନର ଏସ.ପିଙ୍କୁ ମାମଲାର ତଦନ୍ତ ଭାର ଦିଆଯାଇଛି । ମେଜର ଗୋଗୋଇ ଅନ୍ୟପଟେ ଏହି ଘଟଣାରେ ହସ୍ତକ୍ଷେପ କରିବ ନାହିଁ ବୋଲି ସେନା ସ୍ପଷ୍ଟ କରିଦେଇଛି । ପୋଲିସ ତଦନ୍ତ ଆଧାରରେ ସେନାର ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି ।