ବଲାଙ୍ଗୀରରେ ଗନ୍ଧରଲା ନାଳରୁ ମୁଣ୍ଡବିହୀନ ଶିଶୁର ଶବକୁ ନେଇ ପୁଲିସର ତନାଘନା : ରହସ୍ୟ ଉପରୁ ଏଯାଏ ହଟିଲାନି ପରଦା,ଜଣେ ଅଟକ

39

କନକ ବ୍ୟୁରୋ : ବଲାଙ୍ଗୀରରେ ଗନ୍ଧରଲା ନାଳରୁ ମୁଣ୍ଡବିହୀନ ଶିଶୁର ଶବକୁ ନେଇ ପୁଲିସର ତନାଘନା । ରହସ୍ୟ ଉପରୁ ଏଯାଏ ପରଦା ହଟିନଥିବା ବେଳେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଶିଶୁଟିକୁ ନରବଳି ଦିଆଯାଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରଲା ନାଳରୁ ଦୁଇ ଦିନ ତଳୁ ନିଖୋଜ ନାବାଳକଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣାକୁ ନେଇ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନାବାଳକକୁ ବଳି ଦିଆଯାଇଥିବା ଲୋକ ସନ୍ଦେହ କରୁଛନ୍ତି ।

ସିନେ୍ଧକଲା ରଣାପଢାର ହୀରା ରଣାଙ୍କ ପୁଅ ମିଥୁନ ଶନିବାର ସନ୍ଧ୍ୟାରେ ଘରୁ ବାହାରି ବାପାଙ୍କ ଦୋକାନକୁ ଯାଇଥିଲା । ଦୋକାନରୁ ଫେରିବା ପରେ ସେ ଆଉ ଘରକୁ ଫେରିନଥିଲା । ଦୀର୍ଘ ସମୟ ଧରି ପୁଅକୁ ନପାଇବାରୁ ପରିବାର ଲୋକ ଖୋଜାଖୋଜି କରୁଥିଲେ । ହେଲେ କୌଣସି ଖୋଜ ଖବର ନପାଇବାରୁ ପରିବାର ଲୋକ ରବିବାର ସକାଳେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ କରୁଥିଲା । ମଙ୍ଗଳବାର ସକାଳେ ପୁଲିସ ଗନ୍ଧରଲା ନାଳରୁ ମିଥୁନଙ୍କ ମୁଣ୍ଡ ବିହୀନ ଶବକୁ ଉଦ୍ଧାର କରିଥିଲା । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ବଳି ସନ୍ଦେହ କରାଯାଉଛି ।