ପିଓକେରେ ପାକ୍ ବିରୋଧୀ ବିଶାଳ ବିକ୍ଷୋଭ

33

କନକ ବ୍ୟୁରୋ: ପାକ୍ ଅଧିକୃତ ଜମ୍ମୁ-କାଶ୍ମୀରରେ ପାକିସ୍ତାନଠାରୁ ମୁକ୍ତ ହେବା ପାଇଁ ଆନ୍ଦୋଳନ ତୀବ୍ର ହୋଇଛି । ପିଓକେର ଜନ୍ଦାଲିଠାରେ ପାକିସ୍ତାନ ବିରୋଧରେ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଛି । ଏଥିରେ ହଜାର ହଜାର ସଂଖ୍ୟାରେ ସାଧାରଣ ନାଗରିକ, ଛାତ୍ରସଂଘ ସଦସ୍ୟ ସାମିଲ ହୋଇ ପାକିସ୍ତାନ ବିରୋଧରେ ସ୍ୱର ଉଠାଇଛନ୍ତି । ଜମ୍ମୁ-କାଶ୍ମୀର ଷ୍ଟୁଡେଣ୍ଟସ୍ ଫେଡେରେସନ ପକ୍ଷରୁ ଆୟୋଜିତ ବଡ଼ ଧରଣର ରୟାଲିରେ ପାକ୍ ସରକାରଙ୍କ ଦମନ ନୀତିକୁ କଡ଼ା ସମାଲୋଚନା କରାଯାଇଥିଲା ।

ପାକିସ୍ତାନ ସରକାର ଲଗାତାର ପିଓକେବାସୀଙ୍କୁ ଶୋଷଣ କରିଚାଲିଥିବାରୁ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଆନ୍ଦୋଳନ ଚଳାଇବାକୁ ପିଓକେ ନେତାମାନେ ଆହ୍ଵାନ ଦେଇଛନ୍ତି । ପାକ୍ ସେନା ଓ ଆଇଏସଆଇ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ସହ ଅଶାନ୍ତି ଓ ହିଂସା ସୃଷ୍ଟି କରୁଛି ବୋଲି ପିଓକେ ନେତା ଲିୟାଖତ ଖାନ ଅଭିଯୋଗ କରିଛନ୍ତି ।

ପିଓକେକୁ ପାକିସ୍ତାନ ଆତଙ୍କବାଦର ପ୍ରୟୋଗଶାଳା ଭାବେ ପରିଣତ କରିଛି । ପାକ୍ ସେନା ସରକାରଙ୍କ ଜ୍ଞାତସାରରେ ଲୋକଙ୍କ ଉପରେ ଅତ୍ୟାଚାର ଓ ଦମନ କରୁଥିବା କୁହାଯାଇଛି । ପିଓକେ ଅଧିବାସୀଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ମଧ୍ୟ ବଞ୍ଚିତ କରାଯାଉଥିବାରୁ ଏ ବାବଦରେ ଜାତିସଂଘର ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରକାଶ ପାଇଛି ।