ବ୍ଲୁ ହ୍ୱେଲ ଗେମର ଶୀକାର ହେଲେ ଭୁବନେଶ୍ୱରର ଜଣେ ଇଂଜିନିୟରିଂ ଛାତ୍ର ! ଗେମ୍ ଖେଳି ନିଜ ହାତ କାଟି ଥିବାବେଳେ ଲିଙ୍ଗରାଜ ପୋଲିସ କରିଛି ଉଦ୍ଧାର

82

କନକ ବ୍ୟୁରୋ : ପୁଣି ବ୍ଲୁ ହ୍ୱେଲ ଗେମର ଶୀକାର ହେଲେ ଭୁବନେଶ୍ୱରର ଜଣେ ଇଂଜିନିୟରିଂ ଛାତ୍ର ସ୍ୱାଧୀନ ରାଉତ । ଗେମ୍ ଖେଳି ନିଜ ହାତ କାଟି ଥିବା ବେଳେ ଲିଗଂରାଜ ପୋଲିସ ତାଙ୍କୁ ଉଦ୍ଧାର କରିଛି । ଲିଗଂରାଜ ମନ୍ଦିର ପାଖ ଶାସନପଡିଆ ଅଚଂଳରେ ସ୍ୱାଧୀନଙ୍କ ଘର । ଗତ ୧୦ ଦିନ ଧରି ଏହି ଗେମ୍ ଖେଳୁଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଆଜି ସଂଧ୍ୟା ସମୟରେ ନିଜ ରୁମ ଭିତରେ କବାଟ ବନ୍ଦ କରିଦେଇଥିବା ବେଳେ ଘର ଲୋକଙ୍କ ସନ୍ଦେହ ଆସିଥିଲା ।

ସ୍ଥାନୀୟ ପଡୋଶୀ ଓ ପୋଲିସ ସାହାଯ୍ୟରେ କବାଟ ଭାଙ୍ଗି ସ୍ୱାଧୀନଙ୍କୁ ଉଦ୍ଧାର କରାଯାଇଛି । ନିଜର ଦୁଇ ହାତରେ ହ୍ୱେଲ ଚିତ୍ର କରି ରକ୍ତାକ୍ତ ଅବସ୍ଥାରେ ପୋଲିସ ଉଦ୍ଧାର କରିଛି । ଏପରିକି ଉଦ୍ଧାର କରୁଥିବା ବେଳେ ମାନସିକ ଭାରସାମ୍ୟ ହରାଇଥିବା ସ୍ୱାଧୀନ ପୋଲିସଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପୋଲିସ ଉଦ୍ଧାର ପରେ ଡାକ୍ତରଖାନାରେ ଭର୍ତି କରିଛି । ଗତ କିଛି ଦିନ ହେଲା ଏହି ମାରାତ୍ମକ ଖେଳ ଓଡିଶାରେ ମାଡି ମାଡି ଚାଲିଥିବାର ଖବର ସାମ୍ନାକୁ ଆସୁଛି ।

ସାଂଘାତିକ ହେଇଛି ମୃତ୍ୟୁର ଏହି ଖେଳ । ବାଲେଶ୍ୱରରେ ଜଣେ ଛାତ୍ରଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଏକ ଆଇଟିଆଇରୁ ଜଣେ ଛାତ୍ରଙ୍କୁ ମାନସିକ ଭାରସାମ୍ୟ ହରାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡିଛି । ଛାତ୍ର ଜଣ ୧୧ଟି ସୋପାନ ପାର କରିଥିବା ସୂଚନା ମିଳିଛି । ଏହା ସହ କଲେଜରୁ ୩୭ଟି ସ୍ମାର୍ଟ ଫୋନ ଉଦ୍ଧାର କରିଛି ପୋଲିସ । ମୃତ୍ୟୁର ଖେଳ ବ୍ଲୁ ହ୍ୱେଲ ଗେମକୁ ରାଜ୍ୟ ସରକାର ସତର୍କତା ଜାରି କରିଥିବା ବେଳେ ଏନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ଆଉ ଏହାରି ଭିତରେ ରାଜ୍ୟର କୋଣ ଅନୁକୋଣରୁ ଆସୁଛି ବ୍ଲୁ ହ୍ୱେଲକୁ ନେଇ ଭୟଙ୍କର ଖବର ।

ନିକଟରେ ଦୂତିଙ୍କ ଭାଇ ଉତ୍କଳ ଗୁଇଁଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଆଉ ଏହି ଦୁର୍ଘଟଣା ପଛରେ ବ୍ଲୁ ହ୍ୱେଲ ଗେମର ସଂପୃକ୍ତି ଥାଇପାରେ ବୋଲି ଦୂତି ଚାନ୍ଦ ଆଶଙ୍କା ପ୍ରକାଶ କରିଛନ୍ତି । ମୃତ୍ୟୁ ପୂର୍ବରୁ ଉତ୍କଳଙ୍କ ଆଚରଣ ସନ୍ଦିଗ୍ଧ ଥିବା ଦୂତି ପ୍ରକାଶ କରିଛନ୍ତି । ତାଙ୍କ କହିବା ଅନୁସାରେ ଉକ୍ରଳ ରାତି ଅଧରେ ବୁଲିବା, ସନ୍ଦେହଜନକ ଭାବରେ ସେଲ୍ଫି ନେବା ଭଳି କାର୍ଯ୍ୟ କରୁଥିଲେ ।