କନକ ବ୍ୟୁରୋ: ବଦଳି ଯିବ ଇତିହାସ । ଆଜି ଭୁବନେଶ୍ୱରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଓଡିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ମିଳିବ ଏବଂ ଆସନ୍ତା ଶିକ୍ଷା ବର୍ଷ ଠାରୁ ଇତିହାସ ବହିରେ ଏହାକୁ ସ୍ଥାନ ମିଳିବ । ୧୮୧୭ ମସିହାରେ ଖୋର୍ଦ୍ଧାଠାରେ ଅନୁଷ୍ଠିତ ହୋଇଥିବା ପାଇକ ବିଦ୍ରୋହ ଏହି ମାନ୍ୟତା ପାଇବ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତୀରେ ବିଜେଡି ବିଜେପି ମଧ୍ୟରେ ଏହାକୁ ନେଇ ରାଜନୈତିକ ପ୍ରତିଦ୍ୱନ୍ଦିତା ଚାଲୁଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ଏକ ରାଜନୈତିକ ବୟାନ ନା ଏଥିରେ ଆନ୍ତରିକତା ରହିଛି ତାହା ସବୁଠାରୁ ବଡ ପ୍ରଶ୍ନ ।

ତେବେ ବର୍ଷ ବର୍ଷ ଧରି ଯେଉଁ ଯୁକ୍ତିଟି ଓଡ଼ିଶା, ସାରା ଦେଶ ଆଗରେ ରଖୁଥିଲା, ତାକୁ ସିଧାସଳଖ ଗ୍ରହଣ କରିବା ଏବଂ ପାଇକ ବିପ୍ଲବକୁ ପ୍ରଥମ ସ୍ୱାଧିନତା ସଂଗ୍ରାମ ଭାବରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଗ୍ରହଣ କରିବା ବର୍ତ୍ତମାନ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । କାରଣ ଏହା ୨ଶହ ବର୍ଷର ସ୍ୱାଧିନତା ସଂଗ୍ରାମର ଇତିହାସର ପୂର୍ନରଲିଖନ ପାଇଁ ସୁଯୋଗ ସୃଷ୍ଟି କରିଛି ।

ହେଲେ ଇତିହାସକୁ ବଦଳାଇବା ସହଜ ହେବ କି ନାହିଁ ? ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆଙ୍କ ଭାବାବେଗକୁ ସ୍ପର୍ଶ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଏଭଳି ଏକ ମନ୍ତବ୍ୟ ରଖିଛନ୍ତି । ସେ ନେଇ ଏବେ ପ୍ରଶ୍ନ ଉଠୁଛି, କାହିଁକି ନା’ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତୀ ପାଳନକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଏକ ବଡ଼ ଧରଣର ପ୍ରତିଯୋଗୀତା । ଆଉ ଏହି ପ୍ରତିଯୋଗୀତା ଜୋର ଧରିଥିଲା, ଯେତେବେଳେ ପାଇକ ବିଦ୍ରୋହର ୨ଶହ ବର୍ଷପୂର୍ତ୍ତୀ ପାଳନ ପାଇଁ ବିଜେପି ଆଗେଇ ଆସିଥିଲା । ଦିଲ୍ଲୀରେ ଆୟୋଜିତ ସମାରୋହରେ ବି ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଆଉ ବିଜେଡି ଏସବୁରୁ ଗୋଟିଏ ପାଦ ଆଗକୁ ଯାଇ, ପାଇକ ବିପ୍ଲବକୁ ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଚିଠି ବି ଲେଖିଥିଲେ ।

ଏହାରି ଭିତରେ ପାଇକ ବିଦ୍ରୋହର ସୂତ୍ରଧର ବକ୍ସିଜଗବନ୍ଧୁଙ୍କ ନାଁରେ ରାଜ୍ୟ ସରକାର ଆରମ୍ଭ କରିଦେଲେ ଗୋଟିଏ ପରେ ଗୋଟିଏ ଯୋଜନା ଓ ପ୍ରକଳ୍ପ । ବିଜେପି ବି ପାଇକ ବିଦ୍ରୋହରେ ସାମିଲ ହୋଇଥିବା ସଂଗ୍ରାମୀଙ୍କ ଦାୟାଦଙ୍କୁ ସମ୍ମାନିତ କରିଥିଲେ । ତେବେ ଏସବୁ ଭିତରେ ମୂଳ ପ୍ରସଙ୍ଗ ହେଉଛି- ୧୮୫୭ ନା’ ୧୮୧୭ ? ସିପାହୀ ବିଦ୍ରୋହ ନା’ ପାଇକ ବିପ୍ଲବ ? କାରଣ ୧୮୫୭ର ସିପାହୀ ବିଦ୍ରୋହର ପ୍ରାୟ ୪୦ ବର୍ଷ ପୂର୍ବରୁ ଓଡ଼ିଶାର ଗଡ଼ରୋଢ଼ଙ୍ଗରେ ପଡ଼ି ସାରିଥିଲା, ସ୍ୱାଧିନତା ସଂଗ୍ରାମର ମୂଳଦୁଆ । ବକ୍ସିଜଗବନ୍ଧୁଙ୍କୁ ନେତୃତ୍ୱରେ ଆରମ୍ଭ ହୋଇଥିଲା ଶସସ୍ତ୍ର ବିପ୍ଲବ । ଯେଉଁଥିରେ ସାମିଲ ହୋଇଥିଲେ, ଜମିଦାରଙ୍କଠୁ ଆରମ୍ଭ କରି ସାଧାରଣ ଜନତା । ଯାହା ଓଡ଼ିଶାର ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକରୁ ଗଂଜାମ, ଆଠଗଡ଼ କେନ୍ଦୁଝର ଯାଏଁ ବ୍ୟାପିଥିଲା ।