ଆଖିପିଛୁଳାକେ ଘଟିଥିଲା ବିସ୍ଫୋରଣ । କେମିତି ଘଟିଥିଲା ସେହି ଲୋମହର୍ଷଣକାରୀ ଘଟଣା, ପଢ଼ନ୍ତୁ ପୂରା ରିପୋର୍ଟ ।

5,786

କନକ ବ୍ୟୁରୋ: ଆଖିପିଛୁଳାକେ ଘଟିଥିଲା ବିସ୍ଫୋରଣ । ଯବାନମାନେ ଯାଉଥିବା ଗାଡିରେ ଆସି ଧକ୍କା ଦେଇଥିଲା ଆତଙ୍କବାଦୀ ଚଳାଉଥିବା ବିସ୍ଫୋରକ ଭର୍ତି କାର । କେମିତି ହୋଇଥିଲା ଏହି ଆକ୍ରମଣ । ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ… ୧୪ ଫେବୃୟାରୀ ଗୁରୁବାର ସମୟ ପାଖାପାଖି ଅପରାହ୍ନ ୩ଟା ୧୫ ମିନିଟ୍,  ଲାଟୋମୋଡ, ସ୍ଥାନ ଶ୍ରୀନଗର-ଜମ୍ମୁ ରାଜପଥ । ଆଉ ରାଜପଥ ଉପରେ ଲମ୍ବା ଲାଇନ୍ ହୋଇ ଆଗକୁ ବଢ଼ୁଥିଲା ସିଆରପିଏଫ୍ ଯବାନଙ୍କ କାଫିଲା ।

୭୮ଟି ବସରେ ଟ୍ରାଂଜିଟ୍ କ୍ୟାମ୍ପରୁ ଫେରୁଥିଲେ ପ୍ରାୟ ଅଢ଼େଇ ହଜାର ଯବାନ । ସବୁ କିଛି ସ୍ୱାଭାବିକ୍ ଚାଲିଥିଲା । ହେଲେ ହଠାତ୍ ଖୁବ୍ ଜୋରରେ ଶୁଭିଲା ଏକ ବିସ୍ଫୋରଣର ଶବ୍ଦ । ଆଉ ଆଖି ଖୋଲି ଚାହିଁଲା ବେଳକୁ ସବୁ ଖିନବିନ୍ ହୋଇସାରିଥିଲା । ସିଆରପିଏଫ୍ ଗାଡ଼ିରେ ମାଡ଼ ହେଲା ଆତଙ୍କିର ସ୍କରପିଓ । ଆଉ ୩୫୦ କିଲୋ ବିସ୍ଫୋରକ ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ କିଛି ସମୟ ପାଇଁ ସେହି ସ୍ଥାନ ବାରୁଦ ମୟ ହୋଇପଡ଼ିଥିଲା । ବିସ୍ଫୋରଣ ପରେ ହଠାତ୍ କିଛି ବୁଝିବା ପୂର୍ବରୁ ଆଖିବୁଜା ଗୁଳି ଚାଳନା କରିଥିଲେ ଆତଙ୍କବାଦୀ ।

ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା । ବିସ୍ଫୋରଣ ଶବ୍ଦ ନିରବୀ ଗଲା ପରେ ଯାହା ସାମ୍ନାକୁ ଆସିଲା, ସେହି ଭଳି ଘଟଣା, ଭାରତ ଇତିହାସରେ ହୁଏତ ପୂର୍ବରୁ କେବେ ଘଟିନଥିଲା ।

ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆର୍ପିଏଫ୍ର ଅନେକ ଯବାନ । ଏତିକିରେ ସରିନଥିଲା ନରରାକ୍ଷସଙ୍କ ଆକ୍ରମଣ । କୋହଳା ପାଖର ସୁଯୋଗ ନେଇ ପୁଣି କରିଥିଲେ ଅନ୍ଧାଧୁନ୍ ଫାଏରିଂ । ପାଲଟା ଫାଏରିଂ କଲା ବେଳକୁ ଅନେକ କିଛି ହରାଇ ସାରିଥିଲା ଭାରତ ।