କିଭଳି ଅଟକିଗଲା ବିନା ଇଞ୍ଜିନର ଟ୍ରେନ ? ୧୪ ଶହ ଜଣ ଯାତ୍ରୀଙ୍କ ପାଇଁ କିଏ ସାଜିଥିଲା ଦେବଦୂତ, ପଢନ୍ତୁ ଏହି ରିପୋର୍ଟ

44

କନକ ବ୍ୟୁରୋ : କିଭଳି ଅଟକିଗଲା ବିନା ଇଞ୍ଜିନର ଟ୍ରେନ । ଆଉ କିଭଳି ଏକ ନିଶ୍ଚିତ ବିପତିରୁ ରକ୍ଷା ପାଇଗଲେ ଶହଶହ ଯାତ୍ରୀ । କିଏ ସାଜିଥିଲା ୧୪ ଶହ ଯାତ୍ରୀଙ୍କ ପାଇଁ ଦେବଦୂତ । ବିନା ଇଞ୍ଜିନ ଟ୍ରେନକୁ ଅଟକାଇଲା କିଏ । ଏଭଳି ଅସମାହିତ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।

ଇଞ୍ଜିନ ବିହୀନ ଏକ ଯାତ୍ରୀଭର୍ତି ଟ୍ରେନ ଟ୍ରାକରେ ୩୦ରୁ ୩୫ କିଲୋମିଟର ବେଗରେ ଗଡିବାବେଳେ ଏହାକୁ ଅଟକାଇବା ଥିଲା ସବୁଠାରୁ ବଡ ଚ୍ୟାଲେଞ୍ଜ । କାରଣ ବାଜିରେ ଲାଗିଥିଲା ପ୍ରାୟ ୧୪ଶହ କର୍ମଚାରୀଙ୍କ ଜୀବନ । ଏଭଳି ଆପତକାଳୀନ ସ୍ଥିତିରେ ଅସମ୍ଭବ ଧୈର୍ଯ୍ୟ ଓ ସାହସ ଦେଖାଇଥିଲେ ରେଳ କର୍ମଚାରୀ ପ୍ରଣବ ସିନ୍ଧୁ ରଣା । କଳାହାଣ୍ଡି କେସିଙ୍ଗା ରେଳ ଷ୍ଟେସନରେ କାର୍ଯ୍ୟରତ ଜଣେ ସାଧାରଣ କର୍ମଚାରୀ । ଯିଏ ଯାତ୍ରୀମାନଙ୍କ ପାଇଁ ଦେବଦୂତ ସାଜି ଆସିଥିଲେ । ଅସାଧାରଣ ସାହସର ସହିତ ଆଗକୁ ବଢିଥିଲେ, ଆଉ ସହଯୋଗର ହାତ ବଢାଇଥିଲେ ଅନ୍ୟ କର୍ମଚାରୀଙ୍କ ସହ କିଛି ଯାତ୍ରୀ । ରେଳ ଟ୍ରାକରେ ବାଲିବସ୍ତା ଓ ପଥର ପକାଇ ବିରାଟ ଲୌହ ଦାନବକୁ ଅଟକାଇବା ପାଇଁ ଅଂଟା ଭିଡିଥିଲେ ।

ଟିଟଲାଗଡ ଷ୍ଟେସନରୁ ବିନା ଇଞ୍ଜିନରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଟ୍ରେନ ମାଡିଆସୁଥିବା ଷ୍ଟେସନ ମାଷ୍ଟରଙ୍କଠାରୁ ଶୁଣି ପୁରା ପ୍ରସ୍ତୁତ ହୋଇଯାଇଥିଲେ ପ୍ରଣବ ।ସେ ଓ ତାଙ୍କ ସହଯୋଗୀଙ୍କ ପ୍ରଥମ ଉଦ୍ୟମ ବିଫଳ ହୋଇଥିଲା କାରଣ ଦୃତବେଗରେ ଗଡିଆସୁଥିବା ବଗିଗୁଡିକ ଟ୍ରାକରେ ଥିବା ପ୍ରତିବନ୍ଧକକୁ ଅତିକ୍ରମ କରିଯାଇଥିଲା, କିନ୍ତୁ କେତେକାଂଶରେ କମିଯାଇଥିଲା ବେଗ । ଆଉ କେସିଙ୍ଗାରୁ ଟ୍ରେନ ଆଗକୁ ଯିବା ପରେ ଉଚାଣିଆ ଥିବାରୁ ପୁଣି ଫେରିଥିଲା ଯାହାର ପୁରା ଫାଇଦା ମିଳିଥିଲା । କିନ୍ତୁ ଟ୍ରେନଟି ପଛକୁ ଫେରିବା ପୂର୍ବରୁ ହିଁ ପଥର ଓ ବାଲିବସ୍ତା ପକାଇ ଟ୍ରେନକୁ ଅଟଳାଇବା ଚେଷ୍ଟା କରିଥିଲେ ପ୍ରଣବ ଓ ତାଙ୍କ ଟିମ୍ । ଆଉ ଶେଷରେ ଏହା ସମ୍ଭବ ହୋଇଥିଲା ।

ବିନା ଇଞ୍ଜିନରେ ଚାଲୁଥିବା ଟ୍ରେନରୁ ଡେଇଁପଡିବାକୁ ପ୍ରସ୍ତୁତ ହେଉଥିବା ଯାତ୍ରୀମାନଙ୍କୁ ମିଳିଥିଲା ଆଶ୍ୱସ୍ତି । ଗୋଟିଏ ପଟେ ଯେଉଁଠି କର୍ମଚାରୀଙ୍କ ଅବହେଳା ପାଇଁ ଯାତ୍ରୀଙ୍କ ଜୀବନ ବିପଦ ଭିତରକୁ ଠେଲି ହୋଇଯାଇଥିଲା, ସେଠି ଆଉଜଣେ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧିରୁ ଜୀବନ ରକ୍ଷା ପାଇଗଲା ।