ହତ୍ୟାକାଣ୍ଡ ନା ଆତ୍ମହତ୍ୟା ? ଧର୍ମଶାଳାର ମହିଳା ଭିଏଲଡବ୍ଲୁଙ୍କର କେମିତି ହେଲା ମୃତ୍ୟୁ, ତଦନ୍ତ ରିପୋର୍ଟରୁ ଆସିବ ସତ ।

1,069

କନକ ବ୍ୟୁରୋ : ଧର୍ମଶାଳାର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଉପରୁ ଏବେ ବି ପରଦା ଉଠିନାହିଁ । ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ମିତାରାଣୀଙ୍କ ସ୍ୱାମୀ କହୁଥିବା ବେଳେ ପୋଲିସ ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି । ଯେଉଁ ଗେଷ୍ଟହାଉସରୁ ଭିଏଲଡବ୍ଲୁଙ୍କ ମୃତଦେହ ମିଳିଲା, ସେଠାକାର ସିସିଟିଭିର ଫୁଟେଜକୁ ଯାଂଚ କରିବ ପୋଲିସ । ଏଥିସହ ଜବତ ମୋବାଇଲର କଲ ଡିଟେଲସ ମଧ୍ୟ ଯାଂଚ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।

ରହସ୍ୟ ଘେରରେ ଭିଏଲଡବ୍ଲୁ ସ୍ମିତାରାଣି ବିଶ୍ୱାଳଙ୍କ ମୃତ୍ୟୁ । ସ୍ମିତାରାଣିଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି, ସ୍ମିତାରାଣି କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ସ୍ମିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବାରୁ ଆତ୍ମହତ୍ୟା ଅଭିଯୋଗ ଉପରେ ସନ୍ଦେହ ସୃଷ୍ଟି କରିଛି ।

ଧର୍ମଶାଳା ବ୍ଲକରେ କାର୍ଯ୍ୟରତ ମହିଳା ଭିଏଲଡବ୍ଲୁ ଜଣଙ୍କ ଗତ ୧୫ ଓ ୧୬ ତାରିଖ ଦୁଇଦିନ ଧରି ହରିଦାସପୁର ପଂଚାୟତରେ ଭତା ବାଣ୍ଟିଥିଲେ । ୧୬ ତାରିଖ ଦିନ ସ୍ମିତାରାଣୀ ହରିଦାସପୁରର କେତେକ ପଂଚାୟତରେ ଭତା ବାଣ୍ଟି ସାରିବା ପରେ ହରିଦାସପୁର ପଂଚାୟତ ସରପଂଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସ ଯାଇଥିଲେ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ । କିନ୍ତୁ ତା ପରେ କଣ ହେଲା ତାର ଖବର କାହା ପାଖରେ ନାହିଁ ।

ଅନ୍ୟପକ୍ଷରେ ପୋଲିସ କହିଛି , ଘଟଣାର ସମସ୍ତ ଦିଗକୁ ତଦନ୍ତ ପରିସରଭୁକ୍ତ କରାଯିବ । ଜବତ ୨ଟି ମୋବାଇଲର କଲ ଡିଟେଲ୍ସ ଯାଂଚ କରାଯିବ । ଗେଷ୍ଟହାଉସରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଂଚ କରାଯିବ । ଗେଷ୍ଟହାଉସର ୟୁରିନାଲ ଭିତରୁ ଓଢଣୀରେ ଝୁଲିଥିବା ଅବସ୍ଥାରେ ମିଳିଥିଲା ଭିଏଲଡବ୍ଲୁ ସ୍ମିତାରାଣିଙ୍କ ମୃତଦେହ । ଏବେ ଅପେକ୍ଷା ପୋଲିସର ତଦନ୍ତ ରିପୋର୍ଟକୁ । ତା ପରେ ଜଣାପଡିବ କେମିତି ହେଲା ଭିଏଲଡବ୍ଲୁଙ୍କ ମୃତ୍ୟୁ ।