ସୁନାମୀ ଆଣିଥାଏ ମହା ପ୍ରଳୟ ! ଜାଣନ୍ତୁ ସମୁଦ୍ରରେ କାହିଁକି ସୃଷ୍ଟି ହୁଏ ସୁନାମୀ ଏବଂ ଏହାର କାରଣ କଣ ।

389

ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ ୪୦୦ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । ୨୦୦୪ରେ ମଧ୍ୟ ଇଣ୍ଡୋନେସିଆରେ ଏକ ମହାଭୟଙ୍କର ସୁନାମୀ ଆସିଥିଲା ଯାହାର ପ୍ରଳୟଙ୍କରୀ ପ୍ରଭାବ କେବଳ ଇଣ୍ଡୋନେସିଆ ନୁହେଁ ଭାରତ ଉପରେ ମଧ୍ୟ ପଡିଥିଲା ।

ସୂଚନା ଅନୁଯୟୀ, ସୁନାମୀ ପୂର୍ବରୁ ୭ ଦଶମିକ ୭ ତିବ୍ରତାର ଭୂକମ୍ପ ଦୋହଲାଇ ଦେଇଥିଲା ଇଣ୍ଡୋନେସିଆର ଦ୍ୱୀପ ସୁଲାୱେସୀକୁ । ଭୁଷୁଡିପଡିଥିଲା ବଡ ବଡ କୋଠା । ମାଟିରେ ମିଶିଯାଇଥିଲା ବିରାଟ ମସଜିଦ୍ । ସୁନାମୀ ନେଇ ସତର୍କତା ଜାରି ହେଲା । ଆଉ ଦେଖୁ ଦେଖୁ ମାଡି ଆସିଲା ପ୍ରଳୟଙ୍କରୀ ସୁନାମୀ । ଇଣ୍ଡୋନେସିଆର କେନ୍ଦ୍ରୀୟ ସୁଲାୱେସି ଓ ପଶ୍ଚିମ ସୁଲାୱେସି ତଥା ପାଲୁ ଅଂଚଳ ସୁନାମି ଦ୍ୱାରା ବ୍ୟାପକ ପ୍ରଭାବିତ ହୋଇଛି । ସାଢେ ୩ଲକ୍ଷ ଜନସଂଖ୍ୟାର ସହରର ବଦଳିଯାଇଛି ନକ୍ସା ।

ତେବେ ପ୍ରଶ୍ନ ଉଠେ ସୁନାମୀ କିପରି ହୁଏ ? ଭୂତତ୍ତ୍ୱବିତ ମାନଙ୍କ ମତରେ ସମୁଦ୍ର ତଳେ ଥିବା ଭୂମିରେ କୌଣସି କାରଣରୁ କମ୍ପନ ସୃଷ୍ଟି ହେଲେ ତାହାର ପ୍ରଭାବ ସମୁଦ୍ର ପାଣି ଉପରେ ପଡେ । ଏସବୁ କାରଣ ହେଉଛି ଗଭୀର ସମୁଦ୍ରରେ ଭୂମିକମ୍ପ, ଭୂସ୍ଖଳନ ହେବା ବା ଭୂଗର୍ଭର ପ୍ଲେଟରେ ବିସ୍ଥାପନ । ଆହୁରି ମଧ୍ୟ ଗଭୀର ସମୁଦ୍ରରେ ଅଗ୍ନୀଉଦଗୀରଣ ହେବା ଦ୍ୱାରା ମଧ୍ୟ ସୁନାମୀ ଆସେ । ଏହାର ଆଉ ଏକ କାରଣ ହେଉଛି ଉଲକାପାତ । ଏକ ବୃହତ ଉଲକା ସମୁଦ୍ରରେ ମାଡ ହେଲେ ସୁନାମୀ ଆସିଥାଏ ଅର୍ଥାତ ବିଶାଳକାୟ ଲହଡି ମାଡିଆସି ଉପକୂଳକୁ ଜଳମଗ୍ନ କରାଏ ।