ଶୀତ ଦିନେ ରୂପି ଏକ ସାଧାରଣ ସମସ୍ୟା : ଏହି ଘରୋଇ ଉପାୟରେ କରନ୍ତୁ ରୂପିକୁ ଦୂର

ରୂପି ଏକ ସାଧାରଣ ସମସ୍ୟା । ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ।

335

ଶୀତଦିନ ଆସିଗଲାଣି। ଶୀତ ଆସିଲେ ଅତ୍ୟଧିକ ଥଣ୍ଡା ହେତୁ ଅନେକ ପ୍ରକାରର ତ୍ୱଚା ଓ କେଶ ଜନିତ ସମସ୍ୟା ଦେଖାଦିଏ। ଏଥିସହ ଶୀତ ଦିନର ସବୁଠୁ ବଡ଼ ସମସ୍ୟା ହେଉଛି ରୂପି ବା ଡାଣ୍ଡ୍ରଫ୍ । ଦେଖିବାକୁ ଗଲେ ରୂପି ଏକ ସାଧାରଣ ସମସ୍ୟା । ହେଲେ ଶୀତଦିନେ ଏହା ଅଧିକ ପରିମାଣରେ ଦେଖାଦେଇଥାଏ। ଏଥିପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ଉପାୟ କଲେ ବି ଏହି ସମସ୍ୟା ଏତେ ସହଜରେ ଭଲ ହୁଏ ନାହିଁ। ତେବେ ଚାଲନ୍ତୁ ଜାଣିବା କିପରି ଘରୋଇ ଉପଚାରରେ ଏହି ରୂପି ସମସ୍ୟାକୁ ସମ୍ପୁର୍ଣ୍ଣ ଭାବେ ଭଲ କରିହେବ।

ରାଶି ତେଲ : ରାଶି ତେଲ ବ୍ୟବହାର ଦ୍ୱରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ। ତେଣୁ ଶୀତ ଦିନେ ଅଲଗା ତେଲ ବଦଳରେ ରାଶି ତେଲ ବ୍ୟବହାର କଲେ ରୂପି ସମସ୍ୟା ଆଦୌ ଦେଖାଦେଇନଥାଏ।

ଆଲୋଭେରା : ଆଲୋଭେରା ଜେଲରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି ଫଙ୍ଗଲ୍ ଗୁଣ ରହିଛି। ଏହି ଗୁଣ ଯୋଗୁଁ ‘ଆଲୋଭେରା’ କେଶରୁ ରୂପି ଦୂର କରିଥାଏ। ଏଥିପାଇଁ ଦୁଇ ଚାମଚ ‘ଆଲୋଭେରା’ ଜେଲରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ। ଏହାବ୍ୟତୀତ ଆପଣ ତିନି ଚାମଚ ‘ଆଲୋଭେରା’ ଜେଲରେ କିଛି ଡ୍ରପ୍ ନିମ୍ବ ତେଲ ମିଶାଇ ମୁଣ୍ଡରେ ଲଗାଇପାରିବେ। ଏମିତି କଲେ ମୁଣ୍ଡରେ ରୂପି ରହିବ ନାହିଁ।

ଦହି : ରୁପି ସମସ୍ୟା ଦୂର କରିବାରେ ଦହି ଏକ ସହଜ ଉପାୟ । ଦହିକୁ ସପ୍ତାହରେ ୩-୪ ଦିନ କେଶରେ ଲଗାନ୍ତୁ। ଦହିକୁ କେଶରେ ଲଗାଇ ଅଧଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଦେଖିବେ ବହୁତ କମ୍ ଦିନରେ ଆପଣ ରୂପି ସମସ୍ୟାରୁ ମୁକ୍ତ ହେବେ। ଏପରିକି କେଶ ଝଡିବା ମଧ୍ୟ ଦୂର ହୋଇଯିବ।

ମେଥି : ରାତିରେ ଏକ ମୁଠା ମେଥି ପାଣିରେ ଭିଜାଇ ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ମୁଣ୍ଡରେ ଲଗାନ୍ତୁ। ପାଖାପାଖି ୧ଘଣ୍ଟା ରଖିବା ପରେ ମୁଣ୍ଡ ସଫା କରିଦିଅନ୍ତୁ। ଏହାଦ୍ୱାରା ରୂପି ଜନିତ ସମସ୍ୟା ଭଲ ହୋଇଥାଏ।