ବର୍ଷା ଦିନେ କିପରି ନେବେ କେଶର ଯତ୍ନ !

44

ବର୍ଷାରେ ଭିଜିବା ଏବଂ ବୁଲିବା ପାଇଁ କାହାକୁ ଭଲ ଲାଗିନଥାଏ । ଅନେକ ଅଛନ୍ତି ବର୍ଷାର ମଜା ନେବା ପାଇଁ ବର୍ଷା ଜଳରେ ଖୁବ୍ ଭିଜିଥାନ୍ତି । ଏହାଦ୍ୱାରା କେଶ ଖରାପ ହୋଇଥାଏ । ଏବେ ନଜର ପକାନ୍ତୁ ଏହି ଋତୁରେ କିପରି ନେବେ କେଶର ଯତ୍ନ  ।

– ଏହି ଋତୁରେ ଆଲକହଲଯୁକ୍ତ ସାମ୍ପୁ, କଣ୍ଡିସନର୍‌ ତଥା ଅନ୍ୟାନ୍ୟ ସାମଗ୍ରୀ କେଶରେ ଲଗାନ୍ତୁନାହିଁ । ନଡ଼ିଆ ତେଲଯୁକ୍ତ ସାମ୍ପୁ ବ୍ୟବହାର କରନ୍ତୁ । ଏହା କେଶ ମୂଳର ଚର୍ମ ସଂକ୍ରମଣ ହେବାର ଆଶଙ୍କା କମାଏ ।

– ସାମ୍ପୁ ପୂର୍ବରୁ ଖୋଲା ଦାନ୍ତ ପାନିଆରେ କେଶ କୁଣ୍ଡାନ୍ତୁ । ଏପରି କଲେ ସାମ୍ପୁ ଲଗାଇବା ବେଳେ କେଶ ଜଟା ହୁଏନାହିଁ । ଉଷୁମ ପାଣିରେ କେଶ ଧୁଅନ୍ତୁନାହିଁ ।

– ଅଳ୍ପ ପାଣିରେ ସାମ୍ପୁ ଗୋଳାଇ କେଶରେ ଲଗାନ୍ତୁ । ହାଲୁକା ମାଲିସ ପରେ ଧୁଅନ୍ତୁ । ସପ୍ତାହରେ ଅତି କମ୍‌ରେ ତିନି ଥର ସାମ୍ପୁକରନ୍ତୁ ।

– ସାମ୍ପୁ ପରେ ଅଳ୍ପ କଣ୍ଡିସନର୍‌ ଲଗାନ୍ତୁ । ଏହା ଦ୍ୱାରା କେଶ ନରମ ଓ ମଜଭୁତ ହେବା ସହ ଚମକ ବଢ଼ିଥାଏ । ଏହାକୁ କେଶର ମୂଳ ଭାଗ ବା ମୁଣ୍ଡ ତ୍ୱଚାରେ ନ ଲଗାଇ କେବଳ କେଶରେ ଲଗାନ୍ତୁ ।

– ବସାଦହି କେଶ ପାଇଁ ପ୍ରାକୃତିକ କଣ୍ଡିସନର୍‌ ଭାବେ କାମକରେ । କେଶରେ ଲଗାଇ ତଉଲିଆରେ ଗୁଡ଼ାଇଦିଅନ୍ତୁ । ପନ୍ଦର ମିନିଟ୍‌ ପରେ ଧୁଅନ୍ତୁ ।

– ଦୁଇ ଚାମଚ ଦହି ଓ ଦୁଇ ଚାମଚ ଲେମ୍ବୁ ରସରେ ଗୋଟିଏ ଅଣ୍ଡାର ଧଳା ଅଂଶକୁ ଭଲ ଭାବେ ଫେଣ୍ଟି କେଶରେ ଲଗାନ୍ତୁ । କୋଡ଼ିଏ ମିନିଟ୍‌ ପରେ ଧୁଅନ୍ତୁ ।

– ଓଦା କେଶ କୁଣ୍ଡାନ୍ତୁନାହିଁ । ଶୁଖିବା ପରେ କୁଣ୍ଡାନ୍ତୁ । ଏହା ଦ୍ୱାରା କେଶ ଛିଣ୍ଡିବା, ଝଡ଼ିବା କମିଥାଏ  ।