କୌଣସି ବି ଚାକିରି ଛୋଟ ନୁହେଁ ? ଯୁବବର୍ଗଙ୍କୁ ଚାକିରି ପାଇବାର ଗୁରୁମନ୍ତ୍ର ଦେଲେ ଓଡ଼ିଶା ସ୍କିଲ ଡେଭଲେପମେଣ୍ଟ ଅଧ୍ୟକ୍ଷ ସୁବ୍ରତ୍ ବାଗଚୀ

17,906

କନକ ବ୍ୟୁରୋ : କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୧୯ରେ ସହଜରେ ଚାକିରି ପାଇବା ପାଇଁ ମନ୍ତ୍ର ଦେଇଛନ୍ତି ଓଡ଼ିଶା ସ୍କିଲ ଡେଭଲେପମେଂଟ ଅଧ୍ୟକ୍ଷ ସୁବ୍ରତ୍ ବାଗଚୀ । ଚାକିରି ପାଇବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ସୁବତ୍ ବାଗଚୀ । ଯୁବକ ଓ ଯୁବତୀ ମାନେ କିଭଳି ଚାକିରି କରିବା ସହ ସଫଳ ହୋଇପାରିବେ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ବାଗଚୀ ।

୧- ମୁଁ ନିଜେ ନିଜକୁ ଠକବି ନାହିଁ
ପ୍ରଥମେ ନିଜକୁ ନିଜେ କିପରି ନଠକିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କୌଣସି ଚାକିରିକୁ ଛୋଟ କିମ୍ବା ବଡ଼ ଭାବନ୍ତୁ ନାହିଁ । ଆଉ ଏକ ବଡ଼ କଥା ହେଲା ଯେଉଁ ପାଠ ପଢ଼ିଛନ୍ତି ସେ କ୍ଷେତ୍ରରେ ହିଁ ଚାକିରି କରିବେ ବୋଲି ସ୍ଥିର କରିବା ଠିକ୍ ନୁହେଁ ।
କପି କରିବି ନାହିଁ :
୨- ଶିକ୍ଷା ସହିତ ଦକ୍ଷତାକୁ ଯୋଡ଼ିବା –
ଶିକ୍ଷା ସହ ଅନ୍ୟାନ୍ୟ ଦିଗରେ ମଧ୍ୟ ଦକ୍ଷ ହୁଅନ୍ତୁ । କେବଳ ପାଠ ନୁହେଁ ବିଭିନ୍ନ ଦକ୍ଷତା ବିକାଶ ଟ୍ରେନିଂ ନେବା ଆବଶ୍ୟକ । ଶିକ୍ଷା ଅଛି ଦକ୍ଷତା ଥିଲେ ଚାକିରି ନିଶ୍ଚିତ ମିଳିବ । କେବଳ କାମ କରିବାର ମନୋବୃତ୍ତତ୍ତି ନାହିଁ ସେ ହିଁ ବେକାର ହୋଇ ବୁଲୁଛି ।
୩- କପି ନକରି ପାଠ ପଢ଼ିଲେ ଚାକିରି ଗୋଡ଼ାଇବ –
ପାଠ ପଢ଼ି ପରୀକ୍ଷା ଦିଅନ୍ତୁ । କପି ନକରି ପାଠ ପଢ଼ିଲେ ଚାକିରି ଆପେ ଆପେ ଗୋଡ଼ାଇବ । କପି ନ କରି ପାଠ ପଢିଥିବା ଛାତ୍ରଛାତ୍ରୀ ବେକାରୀ ବସିନାହାନ୍ତି ।
୪- ପାଠପଢା ସହ ଚାକିରିର ସର୍ମ୍ପକ ନାହିଁ :
ଯେଉଁ ପାଠ ପଢ଼ିଛି କେବଳ ସେହି କ୍ଷେତ୍ରରେ ଚାକିରି କରିବି ବୋଲି ମନସ୍ଥ କରିବା ଠିକ୍ ନୁହେଁ । ପାଠ ପଢା ସହ ଚାକିରିକୁ ତଉଲିବା ଠିକ୍ ନୁହେଁ । ଯେଉଁ କ୍ଷେତ୍ରରେ ପାଠ ପଢିଛ ତାହା ବାହାରେ ମଧ୍ୟ ଚାକିରି କରି ନିଜକୁ ଶ୍ରେଷ୍ଠ ପ୍ରତିପାତିଦ କରାଯାଇପାରିବ ।

୫- କୌଣସି ବି ଚାକିିରି ଛୋଟ ନୁହେଁ :
କୌଣସି ଚାକିରି ଛୋଟ ନୁହେଁ । ଯେତେବେଳେ ଚାକିରି ମିଳୁଛି ତାହାକୁ ହାତକୁ ନେବାକୁ ପଡିବ । ସେହି ଚାକିରିକୁ ଜୀବନର ପ୍ରଥମ ସୋପାନ ବୋଲି ଭାବିବାକୁ ପଡିବ । ଏପରିକି ଛାତ୍ରଛାତ୍ରୀଙ୍କୁ ଚାକିରି ସୁତ୍ର କହିବାକୁ ଯାଇ ପ୍ରସିଦ୍ଧ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଓ ନିଜର ଉଦାହରଣ ଦେଇଛନ୍ତି ସୁବ୍ରତ ବାଗଚୀ । ନିଜେ ଜାତୀୟସ୍ତରର ମେଧାବୀ ଛାତ୍ର ଥିଲେ ମଧ୍ୟ ଓଡିଶା ସଚିବାଳୟରେ କିରାଣୀ ଭାବେ ଚାକିରି ଆରମ୍ଭ କରିଥିବା କହିଥିଲେ ସୁବ୍ରତ । ଆଉ ଏଥିପାଇଁ ବେଶ ଗର୍ବିତ ବୋଲି ମଧ୍ୟ ସେ କହିଛନ୍ତି । ଏହାଛଡା ନୀଳମାଧବ ପଣ୍ଡାଙ୍କ ଉଦାହରଣ ଦେଇ କହିଛନ୍ତି, ପ୍ରଥମରୁ ସୁଟିଂ ସେଟରେ ଲାଇଟ, କ୍ୟାମେରା ବୋହୁଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ଆଇ ଆମ୍ କଲାମ ଭଳି ଚଳଚ୍ଚିତ୍ର ନିର୍ମାଣ କରି ପାରିଛନ୍ତି । ତେଣୁ ଛୋଟ ବୋଲି କୌଣସି ଜିନିଷକୁ ଆଡେଇ ନ ଦେବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ।

୬- ଚାକରିଆଙ୍କୁ କେଉଁ ପ୍ରଶ୍ନ କରିବେ ?
ଏବେ ବିଭିନ୍ନ କ୍ଷେଦ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲାଣି । ହୋଟେଲ ଠାରୁ ଆରମ୍ଭ କରି ଲଜିଷ୍ଟିକ, ରିଟେଲ, ଫାଇନାନ୍ସ ଭଳି ଅନେକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହୋଇଛି । ତେଣୁ ଯଦି ଏହି କ୍ଷେତ୍ରରେ କେହି ଚିହ୍ନା ଜଣା ବ୍ୟକ୍ତି ଚାକିରି କରିଥାନ୍ତି ତେବେ ତାଙ୍କୁ ପ୍ରଥମେ କେତେ ଦରମା ମିଳୁଛି ବୋଲି ପ୍ରଶ୍ନ କରନ୍ତୁନି । ବରଂ କଣ କାମ କରୁଛ, କେମିତି କାମ ପାଇଲ ଓ କାମ କେମିତି ଲାଗୁଛି ବୋଲି ପ୍ରଶ୍ନ କରନ୍ତୁ ।

୭- ପୋଥି ବାଇଗଣ ପାଠ ଆଉ କାମରେ ଲାଗୁନି
ଏବେ କେବଳ ବହି ପାଠ ପଢ଼ିଲେ କିଛି ହେବନି । ବହି ପାଠ ପଢ଼ିବା ସଙ୍ଗେ ସଙ୍ଗେ ଅନ୍ୟ ଦିଗରେ ମଧ୍ୟ ଦକ୍ଷ ହେବାକୁ ପଡ଼ିବ । ଯାହାଦ୍ୱାରା ଚାକିରି ମିଳିପାରିବ ।
୮- ମାତୃଭାଷା ବାଦ ଅନ୍ୟ କିଛି ଭାଷା ଜାଣିବା ଜରୁରୀ –
ଖାସକରି ପାଠ ପଢିବା ସଙ୍ଗେ ସଙ୍ଗେ ଅନ୍ୟ ଦୁଇଟି ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ । ପ୍ରଥମତଃ ମାତୃଭାଷା ଛଡା ଅନ୍ୟ ଏକ ଭାଷା ପ୍ରାଞ୍ଜଳ ଭାବେ ଶିଖିବାକୁ ପଡିବ । ଏହା ହେଲା ପୃଥିବୀର ନୂଆ ନୀତି । ଅନ୍ୟଟି ହେଲା ଡିଜିଟାଲ ସ୍କିଲ ଶିଖିବାକୁ ପଡିବ ।
୯- ଗୋଟିଏ ଜୀବନରେ ଏକାଧିକ ବୃତ୍ତି :
ଗୋଟିଏ ଚାକିରି ଗୋଟିଏ ଜୀବନ ଚିନ୍ତାଧାରାରୁ ବାହାରିବାକୁ ପଡିବ । ଏପରିକି ଗୋଟିଏ ଜୀବନ ଏକାଧିକ ଚାକିରି ଚିନ୍ତାଧାରାରୁ ମଧ୍ୟ ବାହାରିବାକୁ ପଡିବ । ଏବେ ଗୋଟିଏ ଜୀବନ ଏକାଧିକ ବୃତ୍ତି
ଆପଣାଇବାକୁ ପଡିବ । ଉଦାହରଣ ସ୍ୱରୂପ ଦିନରେ ଫିଜିଓ ଥେରାପିଷ୍ଟ, ଦ୍ୱିପ୍ରହରରେ ଓଲା ଡ୍ରାଇଭର ଓ ରାତିରେ ସେଫ ହୋଇ ନିଜକୁ ପ୍ରମାଣ କରନ୍ତୁ ।
୧୦- ବାହାରକୁ ନଗଲେ ସଫଳତା ମିଳିବନି :
ସଫଳତା କିମ୍ବା ଚାକିରି ପାଇବାକୁ ହେଲେ ବାହାରକୁ ଗୋଡ କାଢିବାକୁ ହେବ । ଏଥିପାଇଁ ମା’ର ପଣତ କାନି ଛାଡି ବାହାରକୁ ଯିବା ସହ ବିଶ୍ୱବିଜୟୀ ହେବାକୁ ପଡିବ । ଉଦାହରଣ ସ୍ୱରୂପ : ଯେତେବେଳେ ଗଛରୁ ମଞ୍ଜିଟିଏ ସେହି ଗଛ ତଳେ ପଡିଗଲେ ତାହା ମହାଦ୍ରୁମରେ ପରିଣତ ହୋଇନଥାଏ । ମହାଦ୍ରୁମରେ ପରିଣତ ହେବାକୁ ହେଲେ ମଞ୍ଜି ଗଛ ତଳେ ନ ପଡି ଗଛ ଠାରୁ ଦୂରରେ ପଡିବା ଆବଶ୍ୟକ ।
୧୧- ଇଂଟରନେଟକୁ ବଶରେ ରଖନ୍ତୁ:
ରିଲାଏନ୍ସ ଜିଓ ମାଲିକ ମୁକେଶ ଅମ୍ବାନି ଓଡିଶା ଗସ୍ତରେ ଆସିଥିବା ବେଳେ କହିଥିଲେ ଓଡିଶାରେ ଅଧିକ ମାତ୍ରାରେ ଇଣ୍ଟରନେଟ ଡାଟା ବ୍ୟବହାର କରାଯାଉଛି । ତେବେ ଇଣ୍ଟରନେଟର ବ୍ୟବହାର କୌଣସି ଜିନିଷ ଶିଖିବା ପାଇଁ ନୁହେଁ ବରଂ ମନୋରଞ୍ଜନ ପାଇଁ କରାଯାଉଛି । ୟୁଟ୍ୟୁବରେ ଅନେକ ବୃତ୍ତି ଉପରେ ହଜାର ହଜାର ତଥ୍ୟ ଦିଆଯାଇଛି । କିନ୍ତୁ ଏହାକୁ ଶିଖିବା ବଦଳରେ ୟୁଜର୍ସ ମନୋରଞ୍ଜନ ପାଇଁ ଏହାକୁ ବ୍ୟବହାର କରୁଛନ୍ତି । ତେଣୁ ଇଣ୍ଟରନେଟର ବଶ ନ ହୋଇ ଇଣ୍ଟରନେଟଳୁ ବଶ କରିବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ।

୧୨- ନିଜର ଶ୍ରେଷ୍ଠତ୍ୱ ପ୍ରଦାନ କରନ୍ତୁ :
ନିଜ କ୍ଷେତ୍ରରେ ସବୁବେଳେ ଶ୍ରେଷ୍ଠ ହେବା ପାଇଁ ପଡ଼ିବ । ଛୋଟ ସଂସ୍ଥାରେ କାମ କରି ନିଜର ଶ୍ରେଷ୍ଠତ୍ୱ ପ୍ରଦାନ କରନ୍ତୁ । ନିଶ୍ଚୟ ସଫଳ ହେବେ । ସଫଳତା ଆପଣଙ୍କୁ ଗୋଡ଼ାଇବ ।
୧୩- ଛୋଟ ସଂସ୍ଥା, କମ ଦରମା, ଅଧିକ କାମ କରନ୍ତୁ
ବଡ଼ ସଂସ୍ଥାରେ କାମ କରିବି । ଭଲ ଦରମା ପାଇବି । କମ କାମ କରିବି । ଏଭଳି ଚିନ୍ତାଧାରା ପରିଧିରୁ ବାହାରିବାକୁ ପଡିବ । ଏପରି ମନୋବୃତ୍ତି ରଖିବା ଠିକ୍ ନୁହେଁ । ଛୋଟ ସଂସ୍ଥା, କମ ଦରମା ଓ ବେଶୀ କାମକୁ ଗୁରୁତ୍ୱ ଦିଅନ୍ତୁ । ସଫଳତା ମିଳିବା ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ।
୧୪- ଅନ୍ୟ ପାଖରେ ଚାକିରି କାହିଁକି କରିବା :
ଏବେ ସମସ୍ତେ ଚାକିରି ପଛରେ ଗୋଡାଉଛନ୍ତି । କିନ୍ତୁ ଚାକିରି ଦେବାକୁ କାହିଁକି ଚାହୁଁନାହାନ୍ତି । ଅଥାର୍ତ ଅନ୍ୟ ପାଖରେ କାହିଁକି ଚାକିରି କରିବା ନିଜ ଚାକିରି କାହିଁକି କରିବା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁବତ୍ର । ଷ୍ଟାର୍ଟଅପ ମାଧ୍ୟମରେ ଅନ୍ୟକୁ ଚାକିରି ମଧ୍ୟ ଦିଆଯାଇପାରିବ । ଶିକ୍ଷା,ଦକ୍ଷତା ଓ ଉଦ୍ୟମ ଜୀବନରେ ସଫଳତା ପାଇବାର ଏକ ଅମୋଘ ଅସ୍ତ୍ର । ତେଣୁ ଏହାକୁ ପାଥେୟ କରି ଜୀବନରେ ଆଗକୁ ବଢିବାକୁ ହେବ ।