ବିନା କାରଣରେ ପୋଲିସ ହଇରାଣ କିମ୍ବା ମାଡ ମାରୁଛି କି ? ଜାଣନ୍ତୁ କିଭଳି କରିବେ ଅଭିଯୋଗ

94

ଗତକାଲି ଏକ ଅଟୋ ଚାଳକକୁ ଜଣେ ପୁଲିସ କର୍ମଚାରୀ ମାଡ଼ ମାରୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଯାହା ପରେ ମାଡ଼ ମାରୁଥିବା ପୁଲିସ କର୍ମଚାରୀଙ୍କୁ କାର୍ୟ୍ୟରୁ ବହିଷ୍କାର କରାଯାଇଥିଲା । ତେବେ ଏ ଘଟଣା ପ୍ରଥମ ନୁହେଁ । ଆଗରୁ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ପୁଲିସ କର୍ମଚାରୀମାନେ ନିଜ ପଦର ଅପବ୍ୟବହାର କରି ସାଧାରଣ ଲୋକମାନଙ୍କୁ ହଇରାଣ କରିଥାନ୍ତି । ତେବେ ଯଦି ଆପଣଙ୍କ ସହ ମଧ୍ୟ କୌଣସି ପୁଲିସ କର୍ମଚାରୀ କିଛି ଖରାପ ବ୍ୟବହାର କରୁଛନ୍ତି ତେବେ ସେ ସମୟରେ ଆପଣଙ୍କୁ କ’ଣ କରିବା ଦରକାର ଜାଣି ରଖନ୍ତୁ ।

୧. ଯଦି କୌଣସି ପୁଲିସ କର୍ମଚାରୀ ଆପଣଙ୍କ ସହ ଖରାପ ବ୍ୟବହାର କରୁଛନ୍ତି ତେବେ ତାଙ୍କ ସହ ଝଗଡ଼ା ନ କରି ତାଙ୍କ ବିରୋଧରେ ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ କରନ୍ତୁ । ଯଦି ସ୍ଥାନୀୟ ପୁଲିସ ଷ୍ଟେସନରେ ଆପଣଙ୍କ ଅଭିଯୋଗ ରଖା ଯାଉ ନାହିଁ ତେବେ ଜିଲ୍ଲା ସୁପରିଟେଣ୍ଡଣ୍ଟଙ୍କ ପାଖକୁ ଯାଇ ଅଭିଯୋଗ କରନ୍ତୁ ।

୨. ଯଦି ସେଠାରେ ମଧ୍ୟ ଆପଣଙ୍କ ଅଭିଯୋଗକୁ କେହି ରଖୁ ନାହାନ୍ତି ତେବେ ଆଞ୍ଚଳିକ ମାଜିଷ୍ଟ୍ରେଟଙ୍କୁ ଏ ବିଷୟରେ ଜଣାନ୍ତୁ । ସେ ପୁଲିସ ଅଧିକାରୀଙ୍କୁ ଆପଣଙ୍କ ଅଭିଯୋଗ ରଖିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ ।

୩. ଏହା ସହ ପୀଡ଼ିତା ବା ପୀଡ଼ିତ ନିଜ ଅଭିଯୋଗକୁ ନ୍ୟାସ୍ନାଲ ହ୍ୟୁମାନ ରାଇଟ୍ସ କମିଶନ ଏବଂ ଷ୍ଟେଟ୍ ହ୍ୟୁମାନ ରାଇଟ୍ସ କମିଶନକୁ ପଠାଇ ପାରିବେ ।

୪. ସାଧାରଣ ଲୋକ ଏଭଳି ଅଭିଯୋଗ ଆଣିଲେ ପ୍ରଥମେ ବିଭାଗୀୟ ତଦନ୍ତ ହୋଇଥାଏ । ଯାହାର ରିପୋର୍ଟ ୭ରୁ ୧୦ ଦିନ ମଧ୍ୟରେ ଆସିଥାଏ ।

୫. କେବଳ ଖରାପ ଆଚରଣ ନୁହେଁ ଯଦି ପୁଲିସ କଷ୍ଟଡ଼ିରେ କାହାର ମୃତ୍ୟୁ ହେଉଛି, ଦୁଷ୍କର୍ମ ହେଉଛି, ଅସଦାଚରଣ ହେଉଛି ବା ପୁଲିସ କର୍ମଚାରୀ କାହାକୁ ବିନା କାରଣରେ ମାଡ଼ ମାରୁଛନ୍ତି ତେବେ ଆପଣ ପୁଲିସ ସଙ୍କଳନ ପ୍ରାଧୀକରଣରେ ଏହାର ଅଭିଯୋଗ କରି ପାରିବେ । ୨୦୦୬ରେ ସୁପ୍ରିମକୋର୍ଟ ସବୁ ରାଜ୍ୟରେ ହେଉଥିବା ଘଟଣାର ଭଲ ଭାବରେ ତଦନ୍ତ କରିବା ପାଇଁ ପୁଲିସ ସଙ୍କଳନ ପ୍ରାଧୀକରଣ (Police Compilation Authority) ତିଆରି କରିବାକୁ କହିଥିଲେ । କିନ୍ତୁ ଏହା ସବୁ ରାଜ୍ୟରେ ନ ହୋଇ କିଛି ଟା ରାଜ୍ୟରେ ତିଆରି ହୋଇ ପାରିଛି ।

୬.ତେବେ ଯଦି କେହି ପୁଲିସ କର୍ମଚାରୀଙ୍କ ଅତ୍ୟାଚାରର ଶିକାର ହେଉଛନ୍ତି ଏଭଳି ପରିସ୍ଥିତିରେ ପୀଡ଼ିତା ବା ପୀଡ଼ିତଙ୍କ ସାଙ୍ଗ ବା ତାଙ୍କ ପରିବାର ଲୋକେ ମଧ୍ୟ ଅଭିଯୋଗ କରି ପାରିବେ । ଏହା ସହ ଘଟଣା ଘଟିଥିବା ସମୟରେ ଉପସ୍ଥିତ ଥିବା ଲୋକ ମଧ୍ୟ ଯାଇ ପୁଲିସରେ ଅଭିଯୋଗ କରି ପାରିବେ ।