ମାରାତ୍ମକ ଭୂତାଣୁର ମୁକାବିଲାରେ ଓଡ଼ିଶା ଆଗୁଆ । ପ୍ରତିଷ୍ଠା ହେବ ୧୦୦୦ ବେଡର ‘କୋଭିଡ୍-୧୯’ ହସ୍ପିଟାଲ। ‘ବିଶ୍ୱ ମହାମାରୀ’ରୁ ମୁକୁଳିବା ପାଇଁ ସାରା ଦେଶକୁ ଦେଖାଇଲା ବାଟ

2,632

କନକ ବ୍ୟୁରୋ: କିଭଳି ବିଶ୍ୱ ମହାମାରୀ ‘କରୋନା’ର ମୁକାବିଲା କରିବ ଭାରତ? କ’ଣ କଲେ ମହାମାରୀ ମୁହଁରୁ ବର୍ତ୍ତିଯିବ ଦେଶ? ଏଭଳି ଆଶା ଆଶଙ୍କା ଲାଗି ରହିଥିବାବେଳେ ଦେଶକୁ ନୂଆ ଦିଶା ଦେଖାଇଛି ଓଡ଼ିଶା । ପୁର୍ବରୁ ବଡ଼ ବଡ଼ ବିପର୍ଯ୍ୟୟର ମୁକାବିଲା ସଫଳତାର ସହ କରିଥିବା ଓଡ଼ିଶା ଏବେ ‘କରୋନା’ର ସଫଳ ମୁକାବିଲା ପାଇଁ ଆଗୁଆ ଅଣ୍ଟା ଭିଡ଼ିଛି । ଆଉ କରୋନକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରଠାରୁ ରାଜ୍ୟ ସରକାରଙ୍କ ସତର୍କତା ମୂଳକ ଆଗୁଆ ପଦକ୍ଷେପ ଭାରତ ପାଇଁ ଉଦାହରଣ ପାଲଟିଛି ।

ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶ ପାଇଁ ପୁଣି ଉଦାହରଣ ସାଜିବାକୁ ଯାଉଛି ଓଡ଼ିଶା । କାରଣ ଯେତେବେଳେ ଦେଶର ବଡ଼ ବଡ଼ ରାଜ୍ୟ ‘କରୋନା’ ମୁକାବିଲା କିଭଳି କରିବେ ଚିନ୍ତା କରୁଛନ୍ତି ସେତିକିବେଳେ ଏହି ଭାଇରସର ମୁକାବିଲା ପାଇଁ ଓଡ଼ିଶା ସରକାର ନେଇଛନ୍ତି ବଡ଼ ନିଷ୍ପତି । କରୋନା ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶାରେ ଦେଶର ସବୁଠାରୁ ବଡ଼ କରୋନା ହସ୍ପିଟାଲ ନିର୍ମାଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ୧ ହଜାର ଶଯ୍ୟା ବିଶିଷ୍ଟ କରୋନା ହସ୍ପିଟାଲ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଆଉ ରାଜ୍ୟ ସରକାରଙ୍କ ଏହି ଲକ୍ଷ୍ୟ ପୂରଣ କରିବାକୁ ସହଯୋଗର ହାତ ବଢ଼ାଇଛନ୍ତି ଭୁବନେଶ୍ୱରର ଦୁଇ ପ୍ରମୂଖ ଘରୋଇ ହସ୍ପିଟାଲ ସମ୍ ଏବଂ କିମ୍ସ । ଏହି ଦୁଇ ହସ୍ପିଟାଲ ସହ ରାଜ୍ୟ ସରକାର କରୋନା ହସ୍ପିଟାଲ ବେଡ୍ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ସବୁଠାରୁ ବଡ଼କଥା ହେଲା କି, କରୋନା ସନ୍ଦିଗ୍ଧ ଏବଂ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମ୍ ହସ୍ପିଟାଲ ୫ଶହ ଟି ବେଡ୍ ଯୋଗାଇଦେଉଥିବାବେଳେ କିମ୍ସ ହସ୍ପିଟାଲ ଯୋଗାଇବ ୪୫୦ ବେଡ୍ । ତେବେ ଚୁକ୍ତି ସ୍ୱାକ୍ଷରିତ ପରେ ଏବେ ଉଭୟ ଘରୋଇ ହସ୍ପିଟାଲ କର୍ତ୍ତୁପକ୍ଷ ଏହାକୁ ଗୁରୁତ୍ୱ ଦେଇ ଖୁବଶୀଘ୍ର ଏହାକୁ ସମ୍ପୂର୍ଣ୍ଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଉ ଯେଉଁ କରୋନା ମୁକାବିଲା ପାଇଁ ଦେଶ ଉପାୟ ପନ୍ଥା ଖୋଜୁଛି ସେ କ୍ଷେତ୍ରରେ ଏକ ନୂଆ ବାଟ ଦେଖାଇଛି ଓଡ଼ିଶା ।

ତେବେ ବିପର୍ଯ୍ୟୟ ବେଳେ ଦେଶ ପାଇଁ ଓଡ଼ିଶା ଉଦାହରଣ ସାଜିବା କିଛି ନୂଆ କଥା ନୁହେଁ । କାରଣ ଗତବର୍ଷ ବାତ୍ୟା ‘ଫୋନି’ର ଫଣା ଯେତେବେଳେ ଓଡ଼ିଶାଆଡ଼କୁ ମୁହାଁଇଥିଲା ସେତେବେଳେ ଓଡ଼ିଶାର ପ୍ରାକ୍ ପ୍ରସ୍ତୁତି ଏବଂ ସଚେତନତା ଯୋଗୁଁ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚିଯାଇଥିଲା । ଏହାକୁ କେବଳ ଦେଶ ନୁହେଁ ଜାତିସଂଘରେ ମଧ୍ୟ ପ୍ରଂଶସା କରାଯାଇଥିଲା । ଏପରିକି ଅନ୍ୟ ରାଜ୍ୟମାନେ ବିପର୍ଯ୍ୟୟର ମୁକାବିଲା କିଭଳି କରାଯାଏ ତାହା ଓଡ଼ିଶାଠୁ ଶିଖିନ୍ତୁ ବୋଲି ପରାମର୍ଶ ଦିଆଯାଇଥିଲା । ବର୍ତ୍ତମାନ କୋଭିଡ୍-୧୯ ବା କରୋନାର ମୁକାବିଲା ନେଇ ଦେଶର ପ୍ରଥମ ‘କରୋନା’ ହସ୍ପିଟାଲ ଓଡ଼ିଶା ନିର୍ମାଣ କରିବାକୁ ଯାଉଛି । ଆଉ ସରକାରଙ୍କ ଏହି ଆଗୁଆ ପଦକ୍ଷେପ କରୋନା ମୁକାବିଲା ପାଇଁ କବଚ ଭଳି ସାରା ଦେଶକୁ ଏକ ନୂଆ ବାଟ ଦେଖାଇବ ବୋଲି ଆଶା କରାଯାଉଛି ।