ଶେଷ ମୁହୂର୍ତ୍ତରେ ଗତିପଥ ବଦଳାଇଲା ତିତଲି! ରେଡ ୱାର୍ଣ୍ଣିଂ ଜାରି ହୋଇନଥିବା ଜିଲ୍ଲାରେ ତାଣ୍ଡବ ରଚିଲା, ବଡ ଧରଣର କ୍ଷୟକ୍ଷତିର ସମ୍ମୁଖୀନ ହେଲା ରାୟଗଡା

42

କନକ ବ୍ୟୁରୋ : ପାଣିପାଗ ବିଭାଗ ଆକଳନ କରୁଥିଲା, ବାତ୍ୟା ତିତଲି- ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ମଧ୍ୟରେ ସ୍ଥଳଭାଗକୁ ଛୁଇଁବ । ହେଲେ ଶେଷ ମୁହୂର୍ତରେ ସମସ୍ତଙ୍କୁ ଚକମା ଦେଇଥିଲା ବାତ୍ୟା । ଗୋପାଳପୁର ଠାରୁ ୭୦ କିଲୋମିଟର ଦୂର ପଲାସା ଅଂଚଳରେ ହିଟ୍ କଲା ତିତଲି । ଏହାର ପ୍ରଭାବରେ ଓଡିଶାର ଗଜପତି, ଗଂଜାମ ଓ ରାୟଗଡା ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହେଲା । ସରକାର ଜାରି କରିଥିବା ରେଡୱାଣ୍ଣିଂ ଜିଲ୍ଲା ମଧ୍ୟରେ ରାୟଗଡା ନଥିବାରୁ ବଡ ଧରଣର କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି ରାୟଗଡା ।

୧୦ ତାରିଖ ବିଳମ୍ବିତ ରାତି ଯାଏଁ ଭାରତୀୟ ପାଣିପାଗ ବିଭାଗ ପୂର୍ବନୁମାନ କରୁଥିଲା ଯେ, ବଙ୍ଗୋପସାଗରରୁ ସ୍ଥଳଭାଗ ଆଡକୁ ମାଡିଆସୁଥିବା ବାତ୍ୟା, ଓଡିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଲିଙ୍ଗପଟ୍ଟନମ ମଧ୍ୟବର୍ତ୍ତୀ କୌଣସି ସ୍ଥାନକୁ ହିଟ୍ କରିବ । ଗୋପାଳପୁରଠାରୁ ଏହା ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗକୁ ସମୁଦ୍ର ମଝିରେ ଘନିଭୂତ ହେଉଥିଲା । ଏବଂ ସ୍ଥଳଭାଗ ଆଡକୁ ଏହାର ଗତି ଉତ୍ତର-ଉତ୍ତର ପଶ୍ଚିମ ମୁହାଁ ରହିଥିଲା । ଏହି ଦିଗରେ ବାତ୍ୟା ତିତଲିର ଗତି ଅବ୍ୟାହତ ରହିଥିଲେ ଗଞ୍ଜାମ ଜିଲ୍ଲାର ଓଡିଶା ଉପକୂଳ ଗୋପାଳପୁରରେ ସ୍ଥଳଭାଗକୁ ଛୁଇଁଥାନ୍ତା ତିତଲି । ଠିକ୍ ଏହି ସ୍ଥାନରେ ସ୍ଥଳଭାଗକୁ ହିଟ୍ କରିଥାନ୍ତା । ହେଲେ ଶେଷ ମୁହୂର୍ତରେ ତିତଲି ୧୧ ତାରିଖ ଭୋର ସମୟରେ ଗୋପାଳପୁରର ଦକ୍ଷିଣ-ପଶ୍ଚିମକୁ ଅର୍ଥାତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲା ପାଲାସାରେ ସ୍ଥଳଭାଗକୁ ହିଟ୍ କଲା ବାତ୍ୟା ତିତଲି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଥିଲେ । ଅର୍ଥାତ ଏହିସବୁ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ରହିବା ଅନୁମାନ କରି ଆରମ୍ଭ ହେଲା ବ୍ୟାପକ ସ୍ଥାନାନ୍ତର ପ୍ରକ୍ରିୟା । ହେଲେ ଶେଷ ମୁହୂର୍ତ୍ତରେ ବାତ୍ୟା ତିତଲି ସାମାନ୍ୟ ଦକ୍ଷିଣ-ପଶ୍ଚିମକୁ ଗତି କରି ସ୍ଥଳଭାଗରେ ପହଂଚିଗଲା । ଫଳରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ସହ ଓଡିଶାର ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାକୁ ଅଧିକ ପ୍ରଭାବିତ କଲା । ପୁରୀ ଓ କନ୍ଧମାଳ ଜିଲ୍ଲାର କିଛି ଅଂଚଳକୁ ଖିନଭିନ୍ କରିପକାଇଲା ।

ସେହିପରି ବାତ୍ୟା ତିତଲି ସ୍ଥଳଭାଗରେ ପହଂଚିବା ପରେ ଏହା ରିକର୍ଭ ହୋଇ ଉତ୍ତର-ପୂର୍ବ ଦିଗରେ ଅଗ୍ରସହ ହୋଇ ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର ଆଡକୁ ମୁହାଁଇଥିଲା । ପାଣିପାଗ ବିଭାଗ ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଥିଲା । ଅର୍ଥାତ ଏହିସବୁ ଜିଲ୍ଲାରେ ତିତଲି ପ୍ରଭାବରେ ଅଧିକ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଥିଲା । ହେଲେ ତିତଲି ଏହାର ଦିଗ ପରିବର୍ତ୍ତନ କରିବା ପରେ ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ସର୍ବାଧିକ ୨୨୮ ମିଲିମିଟ ବର୍ଷା ହଇଥିବାବେଳେ ଗଞ୍ଜାମ, କନ୍ଧମାଳ, ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, କଟକ ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ଗଞ୍ଜାମ, ଗଜପତି ଓ ରାୟଗଡାରେ ମୂଷଳ ଧାରାରେ ବର୍ଷା ଫଳରେ ବଂଶଧାରା, ରୁଷିକୂଲ୍ୟା ଓ ବାହୁଡା ନଦୀରେ ବଡ ବନ୍ୟା ଆସିଛି ।