କର୍ଣ୍ଣାଟକ ମଇଦାନର ଅଗ୍ନିପରୀକ୍ଷା ! ମୋଦି-ରାହୁଲଙ୍କ ଏସିଡ୍ ଟେଷ୍ଟ

36

କନକ ବ୍ୟୁରୋ: କର୍ଣ୍ଣାଟକରେ ବାଜିଲା ନିର୍ବାଚନୀ ବିଗୁଲ । ମେ ୧୨ରେ କର୍ଣ୍ଣାଟକରେ ନିର୍ବାଚନ ହେବ ଓ ୧୫ତାରିଖରେ ଫଳାଫଳ ପ୍ରକାଶପାଇବ । ତେବେ ବିଭିନ୍ନ ଦୃଷ୍ଟିରୁ କର୍ଣ୍ଣାଟକ ନିର୍ବାଚନ ମୋଦି ଓ ରାହୁଲ ଉଭୟଙ୍କପାଇଁ ଅଗ୍ନିପରୀକ୍ଷାହେବା କୁହାଯାଉଛି । କଂଗ୍ରେସ ପାଇଁ ଏହା ଅସ୍ତିତ୍ୱର ଲଢ଼େଇ ହୋଇଥିବା ବେଳେ ବିଜେପି ୨୦୧୯ ପାଇଁ କରିବ ନିଜ ଶକ୍ତିପରୀକ୍ଷା । କର୍ଣ୍ଣାଟକ ଫଳାଫଳ ହିଁ ସ୍ତିର କରିବ ଦୁଇ ପ୍ରମୁଖ ଦଳର ଭାଗ୍ୟ ।

ଉପନିର୍ବାଚନ ହାରିବା ପରେ କର୍ଣ୍ଣାଟକରେ ବିଜେପି ଦେବ ଅଗ୍ନିପରୀକ୍ଷା । ୨୦୧୯ ପାଇଁ ନିଜ ଶକ୍ତି ପରୀକ୍ଷା କରି ସାଧାରଣ ନିର୍ବାଚନ ପାଇଁ ବିଜେପି ବଦଳାଇବ ରଣନୀତି । ତେବେ କର୍ଣ୍ଣାଟକ୍ ବିଜୟ ମୋଦି ଓ ଅମିତ ଶାହାଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?

୧. କର୍ଣ୍ଣାଟକରୁ ବିଜେପି ପକାଇବ ୨୦୧୯ ପାଇଁ ବିଜୟର ମୁଳଦୁଆ

୨. କଂଗ୍ରେସ ବିରୋଧୀ ହାୱାକୁ ଭୋଟ୍ରେ ପରିବର୍ତନ କରି କ୍ଷମତା ଦଖଲ୍ ।

୩. ଗୋରଖପୁର, ଫୁଲପୁର୍ ପରାଜୟ ପରେ ମନୋବଳ ବୃଦ୍ଧି ପାଇଁ ଚେଷ୍ଟା ।

୪. ବିଜେପିର ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନକୁ ସହଯୋଗ ମିଳିବ ।

୫. ବିଜେପି ହାତରେ ସିଦ୍ଧରମୈୟା ସରକାରର ୫ବର୍ଷର ରିପୋର୍ଟକାର୍ଡ ।

୨୦୧୯ ନିର୍ବାଚନ ଆଗକୁ ଥିବାରୁ କର୍ଣ୍ଣାଟକ ହେବ ରାହୁଲଙ୍କ ନେତୃତ୍ୱର ଏସିଡ୍ ଟେଷ୍ଟ । ବିଭିନ୍ନ ଦୃଷ୍ଟିରୁ କର୍ଣ୍ଣାଟକ ମଇଦାନ ରାହୁଲଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ।

୧. ୩ଟି ରାଜ୍ୟ ପଂଜାବ, ମିଜୋରମ ଓ କର୍ଣ୍ଣାଟକରେ କଂଗ୍ରେସ କ୍ଷମତାରେ ଥିବାରୁ ଅସ୍ତିତ୍ୱରକ୍ଷା ଉପରେ ରହିବ ଫୋକସ୍ ।

୨. କର୍ଣ୍ଣାଟକ ପରି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ କ୍ଷମତା ବଜାୟ ରଖିବା ରାହୁଲଙ୍କୁ ଦେବ ଦକ୍ଷତାର ସାର୍ଟିଫିକେଟ୍ ।

୩. ୨୦୧୯ ସାଧାରଣ ନିର୍ବାଚନରେ ରାହୁଲଙ୍କୁ ଭୋଟର କେତେ ପସନ୍ଦ କରୁଛନ୍ତି ତାହାର ଛୋଟ ନଜିର୍ ଦେଖିବାକୁ ମିଳିବ କର୍ଣ୍ଣାଟକ ମଇଦାନରେ ।

୪. ପୂର୍ବରୁ ମୋଦିଙ୍କ ଗଡ଼ ଗୁଜରାଟରେ ରାହୁଲ ଅଡୁଆରେ ପକାଇଥିଲେ ବିଜେପିକୁ, ଏଥରକ କଂଗ୍ରେସ ଶାସିତ ରାଜ୍ୟରେ କଂଗ୍ରେସକୁ ଚାଲେଂଜ ଦେବ ବିଜେପି ।

୫. କର୍ଣ୍ଣାଟକ ଭୋଟରଙ୍କ ପ୍ରତି ୫ ବର୍ଷରେ କ୍ଷମତା ପରିବର୍ତନ ମନୋଭାବ ବଦଳାଇବାକୁ ଚେଷ୍ଟା କରିବ କଂଗ୍ରେସ ।

 

୨୦୧୩ ବିଧାନସଭା ନିର୍ବାଚନରେ ମୋଟ୍ ୨୨୪ଟି ଆସନରୁ କଂଗ୍ରେସ ୧୨୨ଟି ଆସନ ଜିତିଥିବା ବେଳେ ବିଜେପି ୪୦ଟି ଜିତିଥିଲା ଓ ଜେଡିଏସ ୪୦ଟି ଆସନକୁ କବଜା କରିଥିଲା । ବିଜେପିରୁ ଅଲଗା ହୋଇ ନିର୍ବାଚନ ଲଢିଥିବା ବି.ଏସ ୟେଦୁରପା ୬ଟି ସିଟରେ ବିଜୟୀ ହୋଇଥିଲେ । କର୍ଣ୍ଣାଟକ ମଇଦାନରେ ଏଥରକ ପୂର୍ବ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପା ଓ ବର୍ତମାନର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ମଧ୍ୟରେ କଡା ଟକ୍କର ହେବ । ଅନ୍ୟପଟେ ମୋଦି, ରାହୁଲଙ୍କ ପ୍ରତିଷ୍ଠାର ବାଜି ବି ଲାଗିଛି କର୍ଣ୍ଣାଟକରେ । ତେଣୁ କର୍ଣ୍ଣାଟକରୁ ହିଁ ଜଣାପଡ଼ିବ ୨୦୧୯ ସାଧାରଣ ନିର୍ବାଚନର ରୂପରେଖ ।