ଅନ୍ଧାର ଗୁମ୍ଫାରେ ୧୭ ଦିନ ଧରି କଣ ଖାଉଥିଲେ ଏହି କୁନି ଫୁଟବଲ ଖେଳାଳୀ ! ଜାଣନ୍ତୁ କାଳ ଗୁମ୍ଫାରେ କେମିତି କଟୁଥିଲା ଦିନ ।

41

ଦୀର୍ଘ ୧୭ ଦିନ ଧରି କାଳ ଗୁମ୍ଫାରେ ଫସି ରହିବା ପରେ ମଙ୍ଗଳବାର ଦିନ ଥାଇଲାଣ୍ଡର ଗୁମ୍ଫାରୁ ସମସ୍ତ ଫୁଟବଲ ଖେଳାଳୀଙ୍କୁ ଉଦ୍ଧାର କରାଯାଇଥିଲା । ରେସକ୍ୟୁ ଟିମକୁ ମିଳିଥିଲା ବଡ ସଫଳତା । କୋଚଙ୍କ ସମେତ ସମସ୍ତ ୧୨ ଜଣ କୁନି ଫୁଟବଲ ଖେଳାଳୀ ଗୁମ୍ଫାରୁ ସୁରକ୍ଷିତ ଭାବରେ ବାହାରକୁ ଆସିଥିଲେ । କିନ୍ତୁ ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ନିଶ୍ଚୟ ଭାବରେ ସୃଷ୍ଟି ହୋଇଥିବା ଯେ, ଦୀର୍ଘ ୧୭ ଦିନ ଧରି ପାଣିରେ ଭରି ହୋଇଥିବା ଏହି ଅନ୍ଧାରୀ ଗୁମ୍ଫାରେ ଏମାନେ କେମିତି ଜୀବିତ ହୋଇରହିଲେ । ତେବେ ପ୍ରଥମରୁ ୯ଦିନ ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା କାରଣ, ସେମାନେ ଜାଣିନଥିଲେ ଯେ, ଗୁମ୍ଫା ଭିତରେ ଫସିରହିଥିବା ଖବର ବାହାରେ କେହି ଜାଣିଛନ୍ତି କି ନାହିଁ ଏବଂ ତାଙ୍କୁ ଉଦ୍ଧାର କରାଯିବ କି ନାହିଁ ।

ତେବେ ଏହି ସମୟ ମଧ୍ୟରେ ପିଲାମାନେ ଗୁମ୍ଫାରେ ଥିବା ପାଣିକୁ ହିଁ ପିଇଥିଲେ । ପାଖରେ ଥିବା କିଛି ବାର୍ଥ ଡେ ସ୍ନାକ୍ସ ହିଁ ଖାଇଥିଲେ ଏବଂ ଯୋଗ କରୁଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଫୁଟବଲ ଟିମ୍ ଗୁମ୍ଫା ଭିତରେ ଯେତେବେଳେ ଫସିଥିଲେ, ସେତେବେଳେ ଜଣେ ପିଲାର ଜନ୍ମଦିନ ପାଳନ କରାଯାଉଥିଲା । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଫୁଟବଲ ପିଲାମାନଙ୍କ ସହ ଥିବା କୋଚ୍ ଏକପୋଲ କିଛି ବି ଖାଇନଥିଲେ କାରଣ ପିଲାମାନଙ୍କ ପାଇଁ ଅଧିକ ଖାଦ୍ୟ ସଞ୍ଚିତ ହୋଇରହିପାରିବ । ଯେତେବେଳେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ, ସେତେବେଳେ ସେମାନେ କୋଚଙ୍କୁ ସବୁଠାରୁ ଦୁର୍ବଳ ଭାବରେ ପାଇଥିଲେ । ନବମ ଦିନରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିବା ପରେ ସେମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଥିଲା ।

ଦୁଇ ସପ୍ତାହରୁ ଅଧିକ ସମୟ ଧରି ଅନ୍ଧାର ଗୁମ୍ଫାରେ ଫସିରହିବା କାରଣରୁ ଫୁଟବଲ ଟିମର ଖେଳାଳୀମାନଙ୍କର ଓଜନ ହ୍ରାସ ମଧ୍ୟ ହୋଇଛି । କିନ୍ତୁ ଏବେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଉଛି । ସ୍ୱାସ୍ଥ୍ୟବସ୍ଥାର ଯାଞ୍ଚ ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଗୁମ୍ଫାରେ ରହିଥିବା ସମୟରେ ଏମାନେ ଭଲ ଭାବରେ ନିଜ ଯତ୍ନ ନେଇଥିଲେ ।