କେମିତି ସିବିଆଇ ନଜରକୁ ଆସିଲା ପ୍ରଭାତ ବିଶ୍ୱାଳଙ୍କ ଜମି କିଣା ମାମଲା ? ସିବିଆଇ କାର୍ଯ୍ୟାଳୟରେ ତଥ୍ୟ ରଖିବାକୁ ସିସୋର ମୁଖ୍ୟଙ୍କୁ କହିଥିଲେ ପ୍ୟାରୀ ମହାପାତ୍ର

33

କନକ ବ୍ୟୁରୋ : ତେବେ କେମିତି ସିବିଆଇ ସ୍କାନରକୁ ଆସିଥିଲେ ପ୍ରଭାତ ବିଶ୍ୱାଳ ? ତଦନ୍ତକାରୀ ଅଫିସରଙ୍କ ଆଗରେ କିଏ ଉଠାଇଥିଲା ତାଙ୍କ ନାଁ ? ସିବିଆଇକୁ କଣ କହିଥିଲେ ସିସୋର ମୁଖ୍ୟ ? କାହିଁକି ବିଜେଡି ବିଧାୟକଙ୍କୁ ଘେରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ? କିଛି ଦିନ ତଳେ ନିଜେ ପ୍ରଭାତ ବିଶ୍ୱାଳ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ନଭେମ୍ବର ୧୯, ୨୦୧୪ । ସିସୋର ଲିଙ୍କ ନେଇ ସିବିଆଇ ଅଫିସରେ ଚାଲିଥିଲା ହାଇପ୍ରୋଫାଇଲ୍ ଜେରା । ତଦନ୍ତକାରୀ ଅଫିସରଙ୍କ ଆଗରେ ଥିଲେ ବିଜେଡିର ଚାଣକ୍ୟ ସ୍ୱର୍ଗତ ପ୍ୟାରୀ ମୋହନ ମହାପାତ୍ର । ଆଉ ସାମ୍ନାରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ । ମୁହାଁମୁହିଁ ବସାଇ ତୁହାକୁ ତୁହା ପ୍ରଶ୍ନ କରୁଥିଲେ ସିବିଆଇ ଅଧିକାରୀ । ଆଉ ଠିକ୍ ଏହି ସମୟରେ ପ୍ରଶାନ୍ତ ଦାସଙ୍କୁ ଇଙ୍ଗିତ କରି ପ୍ୟାରୀ ନେଇଥିଲେ ପ୍ରଭାତ ବିଶ୍ୱାଳଙ୍କ ନାଁ । କହିଥିଲେ ପ୍ରଭାତ ତାଙ୍କ ଠାରୁ ନେଇଥିବା ଟଙ୍କା କାହିଁକି ଫେରାଇ ନାହାଁନ୍ତି ସେନେଇ ସିବିଆଇକୁ ସୂଚନ ଦିଅନ୍ତୁ ।

ସେତେବେଳେ ଏକଥା ନିଜେ କହିଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ପ୍ରଶାନ୍ତ ଦାସଙ୍କ ସହ ସାମ୍ନାସାମ୍ନି ଜେରା ସମୟରେ ସବୁ ପୋଲ ଖୋଲିବାକୁ ଇସାରା କରିଥିଲେ ପ୍ୟାରୀ । ସିସୋର ସହ କେମିତି ହୋଇଥିଲା ଟଙ୍କା କାରବାର? ପ୍ରଭାତ ବିଶ୍ୱାଳଙ୍କୁ କେତେ ଟଙ୍କା ଦେଇଥିଲେ ସିସୋର ମୁଖ୍ୟ?

ପ୍ୟାରୀଙ୍କୁ ଜେରା ବେଳେ ସାମ୍ନାକୁ ଆସିଯାଇଥିଲା ପ୍ରଭାତଙ୍କ ଭୂମିକା । କୁହାଯାଉଛି, ସେହି ସମୟରେ ସିବିଆଇ ସ୍କାନରକୁ ଆସିଯାଇଥିଲେ ପ୍ରଭାତ ବିଶ୍ୱାଳ । ଆଉ ଘଟଣାର ଦୁଇ ଦିନ ପରେ ଅର୍ଥାତ୍ ନଭେମ୍ବର ୨୧, ୨୦୧୪ରେ ବିଧାୟକଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳଙ୍କୁ ପଚରାଉଚରା କରିଥିଲା ସିବିଆଇ । ପ୍ରସଙ୍ଗ ଥିଲା ଯାଜପୁର ବେଣାପୁରର ୩୨ଗୁଣ୍ଠ ଜମି । ନଭେମ୍ବର ୨୬, ୨୦୧୬ । ସ୍ତ୍ରୀଙ୍କୁ ଜେରାର ୫ ଦିନ ପରେ ପ୍ରଭାତ ବିଶ୍ୱାଳଙ୍କୁ ସମନ କରିଥିଲା ସିବିଆଇ । ଏବଂ ଚଳିତବର୍ଷ ଜାନୁୟାରୀ ୧୨ରେ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ବାସଭବନରେ ଚଢାଉ କରିଥିଲା ସିବିଆଇ ।