ପ୍ରଦୀପ୍ତ ନାୟକ : ନିର୍ବାଚନ ବେଳେ ନବୀନ ନିବାସ ଯିବା ଚର୍ଚ୍ଚା ଠାରୁ ବିରୋଧୀ ଦଳ ନେତା ପର୍ଯ୍ୟନ୍ତ… ବିଜେପି ଲଢିବ ବିଜେଡି ସହ?

କୁହାଗଲା, ଟିକେଟ ବଂଟନରେ ଅସନ୍ତୁଷ୍ଟ ହୋଇଥିବା ପ୍ରଦୀପ୍ତ ନାୟକ ନବୀନ ନିବାସ ଯାଇ ବିଜେଡି ମୁଖିଆଙ୍କୁ ସାକ୍ଷାତ କରିଥିଲେ । ଏପରିକି ସେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲା । ମାତ୍ର ଏହି ତମାମ ଚର୍ଚ୍ଚାରେ ବିରାମ ଲଗାଇଥିଲେ ନିଜେ ପ୍ରଦୀପ୍ତ ନାୟକ । ଏବଂ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଯାହା ସବୁ ଚର୍ଚ୍ଚା ଚାଲିଛି ସବୁ କିଛି ମିଛ ।

345

ରାଜ୍ୟରେ ପ୍ରଥମ ଥର ପାଇଁ ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପିର ନେତା ହୋଇଛନ୍ତି ପ୍ରଦୀପ୍ତ ନାୟକ । ଭବାନୀପାଟଣାରୁ ଜିତିଥିବା ଏହି ନେତା ରାଜ୍ୟ ବିଜେପି ରାଜନୀତିର ଚର୍ଚ୍ଚିତ ଚେହେରା । ମେଂଟ ସରକାରରେ ମନ୍ତ୍ରୀ ପଦ ପାଇଥିବା ପ୍ରଦୀପ୍ତ ଏବେ ବିଧାନସଭା ଭିତରେ ବିଜେପିର ପ୍ରମୁଖ ଚେହେରା ପାଲଟିଛନ୍ତି । ଅନ୍ୟ ପ୍ରମୁଖ ନେତାଙ୍କୁ ପଛରେ ପକାଇ ବିରୋଧୀ ଦଳର ନେତା ହୋଇଥିବା ପ୍ରଦୀପ୍ତ ନିର୍ବାଚନ ସମୟରେ ଟିକେଟ କସରତ ଠାରୁ ଫୋକସରେ ଥିଲେ ।

କଳାହାଣ୍ଡି ଲୋକସଭା ଆସନରୁ ଲଢିବାକୁ ପ୍ରସ୍ତୁତ ହେଉଥିବା ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଯେତେବେଳେ ଦଳ ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କଲା ଠିକ ସେତେବେଳ ଠାରୁ ଖବରକୁ ଆସିଲେ ପ୍ରଦୀପ୍ତ । ମନରେ ଥିବା ଅସନ୍ତୋଷକୁ ଗଣମାଧ୍ୟମ ସାମ୍ନାରେ ବଖାଣିବା ସହ ବସନ୍ତ ପଣ୍ଡା କେତେଦୁର ସଫଳ ହୋଇପାରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଏପରିକି କଳାହାଣ୍ଡିର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ କେତେଦୂର ଗ୍ରହଣୀୟ ହୋଇପାରିବେ ସେନେଇ ମଧ୍ୟ ମତ ରଖିଥିଲେ ଏହି ଅଭିଜ୍ଞ ନେତା ।

ବିଧାୟକ ପଦ ଛୋଟ ପଦବୀ ନୁହେଁ । ବସନ୍ତ ପଣ୍ଡାଙ୍କୁ ଯେଉଁ ପଦ ଦିଆଗଲା, ସେ କେତେ ସଫଳ ହେବେ ସେ ନିଜେ ଅନୁଭବ କରିବା କଥା । ସେ ନିଜେ କଳାହାଣ୍ଡିରେ ବୁଲି ନାହାନ୍ତି, ସେଠି ଲଢିକି ଜିତିଯିବେ ଏହା କେବେ ସମ୍ଭବ ହେବନି । କଳାହାଣ୍ଡିର ୫ ଓ ନୂଆପଡାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଗଠିତ । ସେପଟ ଜିଲ୍ଲାର ନେତାଙ୍କୁ କେବେ ପସନ୍ଦ କରିବେନି ଭୋଟର । ଟିକେଟକୁ ପ୍ରତ୍ୟାହାର କରିବାକୁ କର୍ମୀ ଦାବି କରୁଛନ୍ତି ।
ପ୍ରଦୀପ୍ତ ନାୟକ, ବିଜେପି ନେତା

ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ଏଭଳି ବୟାନ ରଖି ବିଜେପି ରାଜନୀତିରେ ହଟଚମଟ ସେ ସୃଷ୍ଟି କରିଥିଲେ । ହେଲେ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଉଭୟ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଭବାନୀପାଟଣା ବିଧାନସଭା କ୍ଷେତ୍ରରେ ବାଜିମାତ କରିଥିଲେ ବିଜେପି ପ୍ରାର୍ଥୀ । ଆଉ ଏବେ ସବୁ ମତାନ୍ତର ଓ ବାଦ ବିବାଦ ଭୂଲି ପ୍ରଦୀପ୍ତ ନାୟକ ଦଳର ନେତୃତ୍ୱଙ୍କ ବିଶ୍ୱାସ ଜିତିବା ସହ ବିରୋଧୀ ଦଳର ନେତା ହୋଇଛନ୍ତି ।

ହେଲେ ଏହି ପ୍ରକରଣ ଭିତରେ ଆଉ ଏକ ଘଟଣାକୁ ନେଇ ମଧ୍ୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା । କୁହାଗଲା, ଟିକେଟ ବଂଟନରେ ଅସନ୍ତୁଷ୍ଟ ହୋଇଥିବା ପ୍ରଦୀପ୍ତ ନାୟକ ନବୀନ ନିବାସ ଯାଇ ବିଜେଡି ମୁଖିଆଙ୍କୁ ସାକ୍ଷାତ କରିଥିଲେ । ଏପରିକି ସେ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲା । ମାତ୍ର ଏହି ତମାମ ଚର୍ଚ୍ଚାରେ ବିରାମ ଲଗାଇଥିଲେ ନିଜେ ପ୍ରଦୀପ୍ତ ନାୟକ । ଏବଂ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଯାହା ସବୁ ଚର୍ଚ୍ଚା ଚାଲିଛି ସବୁ କିଛି ମିଛ ।

ଦୀର୍ଘଦିନ ଧରି ବିଜେପିରେ ରହିଛି । ଅଲଗା ଆଡେ ଯିବାର ଭାବନା ନାହିଁ । ଓଡିଶାରେ ବିଜେପି ସରକାର ଓ କେନ୍ଦ୍ରରେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବା ସଂକଳ୍ପରେ ଅଟଳ ରହିଛୁ । ଏଥିରେ ବ୍ୟତିକ୍ରମ କରିବାକୁ କେବେ ପ୍ରୟାସ କରିବି ନାହିଁ ।
ପ୍ରଦୀପ୍ତ ନାୟକ, ବିଜେପି ନେତା

୨୦୧୯ ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ଘଟିଥିବା ଏହି ଘଟଣା ଆଜି ମଧ୍ୟ ଅନେକ ରୋଚକ ଦିଗକୁ ସାମ୍ନାକୁ ଆଣିଛି । ନବୀନ ନିବାସ ଯିବା ଚର୍ଚ୍ଚାକୁ ପ୍ରଦୀପ୍ତ ନାୟକ ସଂପୂର୍ଣ୍ଣ ଭାବେ ଖଣ୍ଡନ କରି ଆସିଛନ୍ତି । ଏପରିକି ଆଜି ମଧ୍ୟ ଯେତେବେଳେ ବିଧାନସଭାରେ ତାଙ୍କୁ ସମାନ ପ୍ରଶ୍ନ ପଚରା ଯାଇଥିଲା, ଠିକ ସେତିକି ବେଳେ ସମାନ ଉତ୍ତର ମଧ୍ୟ ସେ ରଖିଥିଲେ ।

ମୁଁ କେବେ ନବୀନ ନିବାସ ଯାଇନଥିଲି । ନୋ… ନେଭର…
ପ୍ରଦୀପ୍ତ ନାୟକ, ବିଜେପି ନେତା

ଲଗାତର ଭାବେ ଏହି ଖବରକୁ ଖଣ୍ଡନ କରିଆସୁଛନ୍ତି ପ୍ରଦୀପ୍ତ ନାୟକ । ହେଲେ ସେ ବିରୋଧୀ ଦଳର ନେତା ଆସନରେ ବସିବା ପରଠାରୁ ପୁଣିଥରେ ପୁରୁଣା ପାଠର ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି । କାରଣ, ସାମ୍ପ୍ରତିକ ସ୍ଥିତିରେ ଏହାର ବଡ ରାଜନୈତିକ ବାର୍ତ୍ତା ରହିଛି ବୋଲି କୁହାଯାଉଛି ।

ଭବାନୀପାଟଣା ଆସନରୁ ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପ୍ରଦୀପ୍ତ ନାୟକ । ବିଜେଡି-ବିଜେପି ମେଂଟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ଏହି ନେତା । ଆଉ ଏବେ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ତୁଲାଇବେ । ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେପି ୨୩ଟି ଆସନରେ ଜିତିଥିଲା । ବିଧାନସଭାରେ ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ଉଭା ହୋଇଛି ।

ଗୃହରେ ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ପରେ ଆସୁଛି ବିରୋଧୀ ଦଳ ନେତାଙ୍କ ପଦ । ଏହି ପଦରେ ବସୁଥିବା ନେତାଙ୍କୁ କ୍ୟାବିନେଟ ରାଙ୍କ ମିଳିବା ସହ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ କରାଯାଇ ଥାଏ । ପ୍ରଥା ଅନୁସାରେ ପବ୍ଲିକ ଆକାଉଂଟ କମିଟି ଅର୍ଥାତ୍ ପିଏସିର ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଥାନ୍ତି ବିରୋଧୀ ଦଳ ନେତା ।

ରାଜ୍ୟସଭା ନିର୍ବାଚନକୁ ନେଇ ଗତ କିଛିଦିନର ଘଟଣାକ୍ରମ ପରେ ବିଧାନସଭାରେ ବିରୋଧୀ ଦଳର ଭୂମିକାରେ ବିଜେପି କିଭଳି ଅବତୀର୍ଣ୍ଣ ହେଉଛି, ତାଉପରେ ଏବେ ସମସ୍ତଙ୍କ ନଜର ରହିଛି । ଶକ୍ତ ବିରୋଧୀ ଦଳ ଭାବେ ସରକାରଙ୍କ ଦୋଷ ଦୁର୍ବଳତାକୁ ବାହାର କରି ଲୋକଙ୍କ ସାମ୍ନାକୁ ଆଣିବାରେ ବିଜେପି ସମର୍ଥ ହେଛି ନା କଂଗ୍ରେସର ଅଭିଯୋଗ ଅନୁସାରେ ବିଜେପି-ବିଜେଡି ମିଳିତ ଭାବେ କାମ କରୁଛନ୍ତି, ତାକୁ ନେଇ ଏବେ ଚାଲିଛି ସମୀକ୍ଷା ।