ଯେବେ ପାକିସ୍ତାନରେ ବନ୍ଧା ପଡିଥିଲେ ଭାରତୀୟ ଯବାନ! ଏବେ ବି ମନେପଡେ ବାୟୁସେନାର ବୀର ଯବାନ ନଚିକେତାଙ୍କ କାହାଣୀ । ଅତ୍ୟାଚାର ସହିଥିଲେ, କିନ୍ତୁ ମୁହଁ ଖୋଲିନଥିଲେ ।

2,601

କନକ ବ୍ୟୁରୋ : ଭାରତ-ପାକିସ୍ତାନ ମଧ୍ୟରେ ଉତେଜନା ଏବଂ ସୀମାରେ ଯୁଦ୍ଧ ଭଳି ସ୍ଥିତି ଭିତରେ ବାୟୁସେନାର ଜଣେ ପାଇଲଟ୍ ନିଖୋଜ୍ ହୋଇଯିବା ଖବର ସମସ୍ତଙ୍କୁ ବିଚଳିତ କରିଛି । ଆଉ ଏପଟେ ପାକିସ୍ତାନ ଦାବି କରିଛି-ଭାରତୀୟ ପାଇଲଟକୁ ଅଟକ ରଖିଛି । ଏହାକୁ ନେଇ ଭାରତ ଯାଂଚ ଆରମ୍ଭ କରୁଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପାଇଲଟ୍ ନିଖୋଜ୍ ହେବା ଘଟଣା ପୁଣି ଥରେ ବାୟୁସେନାର ଯବାନ କେ. ନଚିକେତାର କାହାଣୀକୁ ମନେପକାଇ ଦେଇଛି ।

ମାର୍ଚ୍ଚ ୨୮, ୧୯୯୯ । କାରଗିଲ ଯୁଦ୍ଧର ସମୟ । ଲଢ଼ୁଆ ବିମାନ ମିଗ୍-୨୭ ଧରି କାରଗିଲର ପାହାଡ଼ି ଇଲାକାରେ ଘୁରିବୁଲୁଥିଲେ ବାୟୁସେନାର ସାହାସୀ ଯବାନ- କେ.ନଚିକେତା । ଲକ୍ଷ୍ୟ ଥାଏ, ଶତ୍ରୁ ସେନାଙ୍କ ବାଟ ଓଗାଳି, ଘଉଡାଇ ସୀମା ପାର୍ କରିବା । ନୀଳ ଆକାଶର ୧୭ ହଜାର ଫୁଟ୍ ଉପରେ ବିମାନ ନେଇ ଉଡୁଥିବା ବେଳେ ଅଚାନକ୍ ଘଟିଲା ଏକ ଅଘଟଣ । ମିଗ୍-୨୭ ବିମାନରେ ଦେଖାଦେଲା ଏକ ଯାନ୍ତ୍ରିକ ତ୍ରୁଟି ।

ଯାନ୍ତ୍ରିକ ତ୍ରୁଟି ସମସ୍ୟାର ମୁକାବିଲା କରିବା ପାଇଁ ନଚିକେତାଙ୍କୁ ବିମାନରୁ ବାହାରକୁ ଆସିବାକୁ ପଡ଼ିଲା । ଆଉ ଠିକ୍ ଏତିକି ବେଳେ ନଚିକେତାଙ୍କୁ ଘେରିଗଲେ ପାକିସ୍ତାନ ସେନାର ଯବାନ । ୩୦ରୁ ଅଧିକ ପାକ୍ ଯବାନ ଆସି ନଚିକେତାଙ୍କୁ ଘେରିଗଲେ । କିଛି ଭାବିବା ପୂର୍ବରୁ ନଚିକେତାକୁ ବନ୍ଧକ ବନାଇଦେଲା ପାକିସ୍ତାନ । ଦୀର୍ଘ ୮ ଦିନର ଅକଥନୀୟ ଅତ୍ୟାଚାର । ହେଲେ ମୁହଁ ଖୋଲିନଥିଲେ ନଚିକେତା । ବାୟୁସେନାର ଲେଫଟେନାଂଟ ନଚିକେତାଙ୍କ ବନ୍ଧକ ବନାଇବାର ଖବର ସାରା ବିଶ୍ୱକୁ ଆନ୍ଦୋଳିତ କରିଥିଲା । ଆଉ ଏହି ସମୟରେ କୁଟନୈତିକ ରାସ୍ତା ଆପଣାଇଥିଲା ଭାରତ । ପାକିସ୍ତାନ ଉପରେ ପଡ଼ିଥିଲା ଅର୍ନ୍ତଜାତୀୟ ଚାପ ।

ସେତେବେଳେ ଇସଲାମାବାଦ୍ ଭାରତୀୟ ହାଇକମିଶନର ଥାନ୍ତି ଜି. ପାର୍ଥସାରଥୀ । ପାକ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପାର୍ଥସାରଥୀଙ୍କୁ ଡକାଯାଇ, ନଚିକେତାଙ୍କୁ ନେଇଯିବା ପାଇଁ କୁହାଗଲା । ହେଲେ ପାର୍ଥସାରଥୀ ସେ ନିଜେ ଯିବା ବଦଳରେ ଭାରତୀୟ ଯବାନଙ୍କୁ ତାଙ୍କ ପାଖକୁ ଆଣି ଛାଡ଼ି ଯିବାକୁ କହିଥିଲେ । ଜେନେଭା ଯୁକ୍ତି ଆଧାର ଏବଂ ଅନ୍ତର୍ଜାତୀୟ ଚାପ ଫଳରେ ନଚିକେତାଙ୍କୁ ପାକିସ୍ତାନରୁ ମୁକ୍ତ କରିବାକୁ ସଫଳ ହୋଇଥିଲା ଭାରତ । ଆଉ ଶେଷରେ ବାଘା ବୋର୍ଡର ଦେଇ ଭାରତ ଫେରିଥିଲେ କେ.ନଚିକେତା । ଏସବୁ ଭିତରେ ଯଦି ଆଜି ନିଖୋଜ ଥିବା ଭାରତୀୟ ବାୟୁସେନାର ଯବାନ ଯଦି ପାକିସ୍ତାନ କବଜା ରହିଛନ୍ତି । ତେବେ ୧୯୯୯ କାରଗିଲ ଯୁଦ୍ଧ ସମୟରେ ନଚିକେତାଙ୍କୁ ଯେଉଁ ଭଳି ଭାବରେ ମୁକୁଳାଇ ଅଣାଯାଇଥିଲା, ଠିକ୍ ସମାନ ଢ଼ଙ୍ଗରେ ନିଖୋଜ୍ ଯବାନଙ୍କୁ ଉଦ୍ଧାର କରିବା ସମୟ ଆସିଛି ।