ଓଡ଼ିଶା ଇତିହାସରେ ଯୋଡ଼ିହେଲା ନୂଆ ଫର୍ଦ ! ପର୍ଯ୍ୟଟକ ଓ ନିବେଶକଙ୍କୁ ରାଜ୍ୟ ଆଡ଼କୁ ଆକର୍ଷିତ କରିବା ପାଇଁ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସାଜିଲା ଆଉ ଏକ ମାଧ୍ୟମ 

52

ଓଡ଼ିଶା ରଚିଲା ଆଉ ଏକ ନୂଆ ଇତିହାସ । ଓଡ଼ିଶା ତଥା ଭାରତୀୟ କ୍ରୀଡ଼ା ଦୁନିଆର ନୂଆ ଅଧ୍ୟାୟ ସୃଷ୍ଟି ହେଲା । ଆଉ ଏହାର ସାକ୍ଷୀ ରହିଲା କଳିଙ୍ଗ ଷ୍ଟାଡିୟମ୍ । ଯାହା କେବେ ଆଗରୁ ହୋଇ ନଥିଲା ସବୁକିଛି ହେଲା । ୪୪ ବର୍ଷର ଏସୀୟ ଦୌଡ଼କୁଦ ଇତିହାସରେ ଭାରତ ପ୍ରଥମ ଥର ଶ୍ରେଷ୍ଠ ଦଳ ଭାବେ ନୂଆ ଫର୍ଦ ଯୋଡ଼ିଦେଲା । ଭାରତ ସର୍ବାଧିକ ସ୍ୱର୍ଣ୍ଣ (୧୨), ସର୍ବାଧିକ ପଦକ (୨୯) ଏବଂ ପ୍ରଥମ ଥର ଶ୍ରେଷ୍ଠ ବିବେଚିତ ହୋଇ ଓଡ଼ିଶାକୁ ସ୍ମରଣୀୟ କରି ଦେଇଛି । ମାତ୍ର ୯୦ ଦିନ ମଧ୍ୟରେ ୨୨ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜନ କରିବାର ନିଷ୍ପତ୍ତି ନେଇଥିଲେ ଓଡ଼ିଶା ସରକାର । ଏହାକୁ ସର୍ବୋତ୍ତମ କ୍ରୀଡ଼ା ଉତ୍ସବରେ ପରିଣତ କରିପାରିଥିବା ଓଡ଼ିଶା ସରକାର ଦେଶ ବିଦେଶରୁ ଉଚ୍ଚ ପ୍ରଶଂସା ମଧ୍ୟ ପାଇଛନ୍ତି ।

୨୨ ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଓଡ଼ିଶା ପାଇଁ ନେଇ ଆସିଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏହି ପ୍ରତିଯୋଗୀତାରେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ ହଜାର ହଜାର ପ୍ରଶଂସକ । ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିବା ଲୋକଙ୍କ ପାଇଁ ଏହି ସମାରୋହ ଏକ ବ୍ୟାପକ ପରିଚୟ ସୃଷ୍ଟି କରିଥିଲା । ଇତିହାସର ଏକ ଝଲକ କଳିଙ୍ଗ ଯୁଦ୍ଧ, ତଥା ରାଜା ଅଶୋକଙ୍କ ଜୀବନ କିପରି କ୍ଷଣିକରେ ପରିବର୍ତ୍ତନ ହୋଇଥିଲା ତାହା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।

ଏହାସହ ଉଦଘାଟନୀ ଉତ୍ସବରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ସହ ଶଙ୍କର ମହାଦେବନଙ୍କ ରଙ୍ଗବତୀ ଗୀତ ଦର୍ଶକଙ୍କୁ ଆଉ ଆକର୍ଷିତ କରିଥିଲା । ଆମ ରାଜ୍ୟ ଓଡ଼ିଶା ପାଇଁ ଏହା ଥିଲା ଏକ ସୁବର୍ଣ୍ଣ ସୁଯୋଗ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟକ ଓ ନିବେଶକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏକ ଉଚିତ୍ ଅବସର ଥିଲା । ସମସ୍ତଙ୍କ ମନରେ ଭ୍ରମଧାରଣା ରହିଛି କି ଓଡ଼ିଶା ଏକ ଗରିବ ରାଜ୍ୟ ଓ ଆମ ରାଜ୍ୟ ଓଡ଼ିଶା ପ୍ରତି ରହିଛି ଅନେକ ନକରାତ୍ମକ ଭାବନା । ଏଥିପାଇଁ ଆମ ରାଜ୍ୟର ସୁବର୍ଣ୍ଣ ଅତୀତକୁ ସମସ୍ତଙ୍କ ଆଗରେ ପ୍ରଦର୍ଶିନ କରି ସମସ୍ତଙ୍କ ଧାରଣାକୁ ଭୁଲ ପ୍ରମାଣିତ କରିବା ପାଇଁ ଏହା ଥିଲା ଉଚିତ ଅବସର ।

ଏହାସହ ଓଡ଼ିଶାର ଅନ୍ୟତମ ଆକର୍ଷଣ ପଟ୍ଟଚିତ୍ର, ଡ଼ୋକ୍ରା, ହସ୍ତଶିଳ୍ପ, ଜଗନ୍ନାଥ ଓ କୋଣାର୍କ ପରି ମନ୍ଦିରର ଚମତ୍କାରିତା ପ୍ରଦର୍ଶନ କରିଥିଲା ରାଜ୍ୟ ପର୍ଯ୍ୟଟନ ବିଭାଗ । ସମଗ୍ର ଦେଶରେ ଆମ ରାଜ୍ୟର ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗକୁ ଏହା ଏକ ସୁଯୋଗ ସାବ୍ୟସ୍ତ ହୋଇଥିଲା । ଉଦଘାଟନୀ ସମାରୋହରେ ରାଜ୍ୟକୁ ଏପରି ଉପସ୍ଥାପିତ କରାଯାଇଥିଲା, ଯାହା ସନ୍ଦେଶ ଦେଇଥିଲା ଯେ ରାଜ୍ୟ ପରିବର୍ତ୍ତନ ତଥା ଉନ୍ନତି ଆଡ଼କୁ ଅଗ୍ରସର ହେଉଛି ।