କ୍ୟାନସର ସହ ଲଢିବାକୁ ଅଣ୍ଟା ଭିଡିଛି ଓଡି଼ଶା । ବାରଙ୍ଗ ପରେ ବରଗଡରେ ହେବ ଡାକ୍ତରଖାନା । ମୁକାବିଲା ପାଇଁ କେତେ ପ୍ରସ୍ତୁତ ଓଡି଼ଶା?

137

କ୍ୟାନସର ବା କର୍କଟ । ଏହି ନାଁ ଶୁଣିଲେ ମନରେ ଛନକା ପଶିଯାଏ । ସାରା ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ବଡ କାରଣ ହେଉଛି ଏହି ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ କହୁଛି, ୨୦୧୮ରେ ୯୬ ଲକ୍ଷରୁ ଅଧିକ ମାରାତ୍ମକ କର୍କଟ ରୋଗର ଶିକାର ହୋଇଥିଲେ । ବିଶ୍ୱରେ ପ୍ରତି ୬ ଜଣରେ ଜଣେ କ୍ୟାନସରରେ ପ୍ରାଣ ହରାନ୍ତି । ଆଉ ଏହାର ସବୁଠୁ ବଡ କାରଣ ହେଉଛି ନିଶା । ହାରାହାରି ୨୨ ପ୍ରତିଶତ କର୍କଟ ଜନିତ ମୃତ୍ୟୁ ପଛରେ ରହିଛି ନିଶାଦ୍ରବ୍ୟ ସେବନ ।

ବିଶ୍ୱରେ ପ୍ରାୟ ୭୦ ପ୍ରତିଶତ କ୍ୟାନସର ମୃତ୍ୟୁ ନିମ୍ନ ଏବଂ ମଧ୍ୟମ ଆୟକାରୀ ଦେଶରେ ହୋଇଥାଏ । ଭାରତରେ ବି ଦିନକୁ ଦିନ ବଢିଚାଲଛି କ୍ୟାନସର ରୋଗୀଙ୍କ ସଂଖ୍ୟା । ଜର୍ଣ୍ଣାଲ ଅଫ୍ ଗ୍ଲୋବାଲ ଓଙ୍କଲୋଜିରେ ପ୍ରକାଶିତ ଏକ ସର୍ଭେ କହୁଛି, ପ୍ରତି ୨୦ ବର୍ଷରେ ଭାରତରେ କ୍ୟାନସର ମୃତ୍ୟୁ ସଂଖ୍ୟା ଦୁଇ ଗୁଣା ହାରରେ ବୃଦ୍ଧି ପାଇବ । ଆସନ୍ତା ୧୦-୨୦ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଓଡ଼ିଶା ଭଳି ରାଜ୍ୟ କ୍ୟାନସର ରୋଗୀ ବହୁଳ ରାଜ୍ୟ ଭାବେ ପରିଚିତ ହେବେ । ଓଡ଼ିିଶା ଭଳି ରାଜ୍ୟରେ କ୍ୟାନସର ଚିକିତ୍ସା ଭତ୍ତିଭୂମିରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନହେଲେ ସ୍ଥିତି ଆହୁରି ଭୟାବହ ହେବ ବୋଲି ସତର୍କ କରାଇଛି ଏହି ସର୍ଭେ ।

ଏବେ ନଜର ପକାଇବା ଓଡ଼ିଶାରେ କିଭଳି କାୟା ବିସ୍ତାର କରିଚାଲିଛି କର୍କଟ ରୋଗ । ଏକ ରିପୋର୍ଟ ଅନୁସାରେ ଓଡିଶାରେ ପ୍ରତିବର୍ଷ ୧୫ ଲକ୍ଷ କ୍ୟାନସର ଆକ୍ରାନ୍ତ ଚିହ୍ନଟ ହୁଅନ୍ତି । ପୁରୁଷମାନେ ମୁଖ ଗହ୍ୱର, ଫୁସଫୁସ, ଯକୃତ ଏବଂ ଅନ୍ତଃନଳୀ କ୍ୟାନସରରେ ଆକ୍ରାନ୍ତ ହେଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ, ଫୁସଫୁସ ଏବଂ ଥାଇରଏଡ କର୍କଟ ଅଧିକ ଦେଖାଦେଇଥାଏ । ତେବେ ଗୁଟଖା ଓ ପାନ ଅଧିକ ସେବନ କରୁଥିବା ରାଜ୍ୟ ଓଡିଶାରେ ମୁଖ କର୍କଟ ରୋଗୀ ସଂଖ୍ୟା ସର୍ବାଧିକ । ଗରିବ ଲୋକଏହି ରୋଗରେ ଆକ୍ରାନ୍ତ ହେଲେ କଥା ସରିଲା । ପ୍ରଥମ କଥା, ବହୁ ବିଳମ୍ବରେ ସେମାନେ ଡାକ୍ତର ପାଖକୁ ଯାଆନ୍ତି, ଆଉ ଯେତେବେଳେ ଡାକ୍ତର ପାଖକୁ ଯାଆନ୍ତି ଅତ୍ୟାଧୁନିକ ଚିକିତ୍ସା ପାଇଁ ସମ୍ବଳ ଯୋଗାଡ଼ କରିପାରନ୍ତି ନାହିଁ । ଫଳରେ ଅନେକ ଅଳ୍ପ ଦିନରେ ପ୍ରାଣ ହରାନ୍ତି । କିଛି ଲୋକ ଧାରକରଜ କରି ବାହାର ରାଜ୍ୟକୁ ଯାଇ ଅପରେସନ କରନ୍ତି, ତେବେ ଅପରେସନ୍ ପରବର୍ତୀ ଚିକିତ୍ସା କରିପାରନ୍ତି ନାହିଁ । ରାଜ୍ୟର ଏକମାତ୍ର ସରକାରୀ କ୍ୟାନସର ହସପିଟାଲରେ ରେଡିଏସନ୍ ଥେରାପି ପାଇଁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡ଼େ । ଦିନକୁ ୩୦୦ରୁ ୪୦୦ ରୋଗୀ ରେଡିଏସନ୍ ଥେରାପି କରନ୍ତି , ୮୦ରୁ ୧୦୦ ଜଣ ଅଟକି ଯାଆନ୍ତି ୱେଟିଂ ଲିଷ୍ଟରେ । ଏହାରି ଭିତରେ ଛନ୍ଦି ହେବା ଯୋଗୁଁ ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରନ୍ତି ନାହିଁ । ଏଥିରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର ନୂଆ କ୍ୟାନସର ହସପିଟାଲ ପାଇଁ ଅଂଟା ଭିଡିଛନ୍ତି ।

କଟକ ଜିଲ୍ଲା ବାରଙ୍ଗ ତହସିଲର ରତାଗଡଠାରେ ଓଡିଶା କ୍ୟାନସର ଟ୍ରିଟମେଂଟ୍ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ ଭଳି ଏଠାରେ ମଧ୍ୟ କ୍ୟାନସର ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଛି । ଏଥିପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୮ ଶହ କୋଟି ଟଙ୍କା । ରାଜ୍ୟ ସରକାର ୫ ଶହ କୋଟି ଦେବେ ଏବଂ ଅବଶିଷ୍ଟ ୩ ଶହ କୋଟି ଟଙ୍କା ଟାଟା ଟ୍ରଷ୍ଟ ଦେବ । କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ସରକାର ମାଗଣାରେ ୧୫ ଏକର ଜମି ପ୍ରଦାନ କରିଛନ୍ତି । ଏହାରି ଭିତରେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ ହେବ ବୋଲି ସରକାର ଘୋଷଣା କରିଛନ୍ତି । ୪୨୫ ଶଯ୍ୟା ବିଶିଷ୍ଟ ହସପିଟାଲ ବି ନିର୍ମାଣ କରାଯିବ । ହସପିଟାଲରେ ୟୁରୋ ଅଙ୍କୋଲଜି ବିଭାଗ ଖୋଲିବ । କ୍ୟାନସର କେୟାର ଯୋଜନାରେ ୩ଶହ ୭୮ କୋଟି ଟଙ୍କା ଖର୍ଚ କରିବାକୁ ବ୍ୟୟ ଅଟକଳ କରାଯାଇଛି । ସେହିପରି ବରଗଡ଼ରେ ମଧ୍ୟ କ୍ୟାନସର ଚିକିତ୍ସା କେନ୍ଦ୍ର ଖୋଲିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

(ଲେଖକ ବରିଷ୍ଠ ସାମ୍ବାଦିକ ଶଙ୍କର ବେହେରା । କନକ ନ୍ୟୁଜର ସାପ୍ତାହିକ ସ୍ତମ୍ଭରେ ଏହା ତାଙ୍କର ବ୍ୟକ୍ତିଗତ ମତ । ଏହା କନକ ନ୍ୟୁଜର ମତ ନୁହେଁ ।)