କିପରି କାର୍ଯ୍ୟକାରୀ ହେବ ଭାଷା ଆଇନ! ସାରା ରାଜ୍ୟବାସୀଙ୍କ ନଜର

41

କନକ ବ୍ୟୁରୋ : ଭାଷା ଆନ୍ଦୋଳନ ଜୋର ଧରିବା ପରେ ଗତ ମାସ ୧୪ ତାରିଖରେ ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଥିଲା । ସେହିପରି ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନରେ ଓଡ଼ିଆରେ ସ୍ପଷ୍ଟ ଭାବେ ନାମଫଳକ ଲେଖାଯିବାକୁ ବାଧ୍ୟତାମୂଳକ କରିଥିଲେ ସରକାର । ଉକ୍ରଳ ଦିବସ ତଥା ଏପ୍ରିଲ ୧ରୁ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ କେତେଦୂର ସରକାର ସମର୍ଥ ହେଉଛନ୍ତି, ତାହା ଉପରେ ରହିଛି ସାରା ରାଜ୍ୟବାସୀଙ୍କ ନଜର ।

କ୍ୟାବିନେଟ୍ ନିଷ୍ପତି ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହେବା ସହ ନିର୍ଦ୍ଧାରିତ ସମୟ ଭିତରେ ନାମଫଳକ ନଲେଖିଲେ ଦେବାକୁ ପଡିବ ଜରିମାନା । ସେହିପରି କୋ÷ଣସି ସରକାରୀ କର୍ମଚାରୀ ଯଦି ସରକାରୀ କାର୍ଯ୍ୟରେ ଓଡିଆ ଭାଷା ବ୍ୟବହାର କରୁନଥିବା ଦୃଷ୍ଟିକୁ ଆସିବ ସେମାନଙ୍କ ପାଇଁ ମଧ୍ୟ ଦଣ୍ଡବିଧାନ କରିବାକୁ ମଧ୍ୟ ନିଷ୍ପତି ନେଇଥିଲେ ସରକାର । ତେବେ କିପରି ଏହି ଆଇନକୁ କାର୍ଯ୍ୟକାରୀ କରାଯିବ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ବେଳେ ସରକାରୀ ଦପ୍ତରରେ ଓଡ଼ିଆ ଭାଷାର ପ୍ରୟୋଗକୁ କଡାକଡ଼ି କରିବାକୁ ଜୋର ଧରିଥିଲା ଆନ୍ଦୋଳନ । ଭାଷାର ପ୍ରଚାର, ପ୍ରସାର ଓ ସ୍ୱୀକୃତି ପାଇଁ ହୋଇଥିବା ଆନ୍ଦୋଳନରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ । ସବୁସ୍ତରରୁ ଆରମ୍ଭ ହୋଇଥିଲା ଚାପ ପ୍ରୟୋଗ । ସରକାରୀ ସ୍ତରରେ ଓଡ଼ିଆ ଭାଷା ବ୍ୟବହାର ନେଇ ଆଇନ ପ୍ରଣୟନ କରିବା ଏବଂ ଆଇନ ଅମାନ୍ୟ କଲେ ଦଣ୍ଡବିଧାନ ପାଇଁ ଦାବି କରାଯାଇଥିଲା ।

ତକ୍ରାଳୀନ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ନେତୃତ୍ୱରେ ଭାଷା ଆନ୍ଦୋଳନ ଏବଂ ଟିଟିଲାଗଡ଼ର ଆଇନଜୀବୀ ଗଜାନନ ମିଶ୍ର, ଭାଷା ପାଇଁ ଆମରଣ ଅନଶନ କରିବା ପରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିଲା । ଭାଷା ଆନ୍ଦୋଳନକୁ ବିଭିନ୍ନ କ୍ଷେତ୍ରରୁ ସମର୍ଥନ ମିଳିଥିଲା । ପ୍ରତିଦିନ କଳାପତାକା ପ୍ରଦର୍ଶନ କରାଯାଇ ସରକାରଙ୍କ ଉପରେ ଚାପ ପକାଯାଇଥିଲା । ସେପଟେ ଆମ ଓଡ଼ିଶା ପକ୍ଷରୁ ଓଡ଼ିଆ ଭାଷାକୁ ସଂମୃଦ୍ଧ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ସହ ଭାଷା ଆନ୍ଦୋଳନକୁ ଆଗକୁ ନେଇଥିଲା । ସରକାରଙ୍କ ଉପରେ କ୍ରମାଗତ ଚାପ ପଡିବା ପରେ ଓଡ଼ିଶା ଅଫିସିଆଲ୍ ଲାଙ୍ଗୁଏଜ୍ ଆକ୍ଟ କାର୍ଯ୍ୟକାରୀ ନେଇ ପ୍ରକ୍ରିିୟାକୁ ତ୍ୱରାନ୍ୱିତ କରିଥିଲେ ସରକାର । ଏବେ ଅପେକ୍ଷା କିପରି ଭାବେ କାର୍ଯ୍ୟକାରୀ ହେବ ରାଜ୍ୟ କ୍ୟାବିନେଟର ନିଷ୍ପତି ।