କରୋନା ଓ ନ୍ୟୁଜିଲାଣ୍ଡର ରଣନୀତି । କରୋନା ପାଇଁ ୟୁରୋପୀୟ ଦେଶ ଗୁଡିକରେ ହାହାକାର ପଡିଥିବା ବେଳେ ନ୍ୟୁଜିଲାଣ୍ଡ କିଭଳି କଲା ମୁକାବିଲା?

1,212

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର କରୋନା ରଣନୀତିକୁ ନେଇ ଜୋରଦାର ଚର୍ଚ୍ଚା । ଅନ୍ୟ ୟୁରୋପୀୟ ଦେଶଙ୍କ ତୁଳନାରେ ଏହି ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଖୁବ କମ୍ । ଅବଶ୍ୟ ଏଥିପାଇଁ ନ୍ୟୁଜିଲାଣ୍ଡର ଭୌଗଳିକ ଅବସ୍ଥିତି ଅନେକାଂଶରେ ବରଦାନ ହୋଇଛି । ହେଲେ କରୋନାକୁ ରୋକିବାରେ ନ୍ୟୁଜିଲାଣ୍ଡ ସରକାରଙ୍କ ପଦକ୍ଷେପ ବି ଥିଲା କଠୋର ଓ ସ୍ୱତନ୍ତ୍ର ।

୫୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ନ୍ୟୁଜିଲାଣ୍ଡରେ ଏତେଟା ପ୍ରଭାବ ବିସ୍ତାର କରିପାରିନାହିଁ ମହାମାରୀ କରୋନା ଭୂତାଣୁ । ଶନିବାର ସୁଦ୍ଧା ଏଠାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୩୦ରେ ସୀମିତ ରହିଛି । ସବୁଠାରୁ ବଡକଥା ହେଲା ୨୪ ଘଂଟା ମଧ୍ୟରେ ଏଠାରେ କରୋନା ସଂକ୍ରମଣରେ ମାତ୍ର ୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଅର୍ଥାତ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡିକ ତୁଳନାରେ ଏଠାରେ ଖୁବ କମ୍ ରହିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ।

କୁହାଯାଉଛି ପ୍ରଶାନ୍ତ ମହାସାଗରକୁ ଲାଗି ରହିଥିବା ଏକ ଦ୍ୱୀପାଞ୍ଚଳ ଦେଶ ହୋଇଥିବାରୁ ନ୍ୟୁଜିଲାଣ୍ଡର ଅନ୍ୟାନ୍ୟ ଦେଶକୁ ଯୋଗାଯୋଗ ଖୁବ କମ୍ । ନ୍ୟୁଜିଲାଣ୍ଡକୁ ଅପେକ୍ଷାକୃତ କମ୍ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିଥାଏ । ତଥାପି ଚୀନରେ କରୋନା ମହାମାରୀ ରୁପ ନେବାପରେ ୩ ଫେବ୍ରୁଆରୀରେ କଡା କଟକଣା ଲଗାଇଲେ ନ୍ୟୁଜିଲାଣ୍ଡ ସରକାର । ଜାତୀୟ ସ୍ତରରେ ଲକଡାଉନକୁ ୪ ସ୍ତରୀୟ କରିଥିଲେ ନ୍ୟୁଜିଲାଣ୍ଡ ସରକାର ।
ପ୍ରଥମ ସ୍ତର
– କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଅଂଚଳକୁ ସିଲ କରିଦିଆଗଲା
– ନିର୍ଦ୍ଦିଷ୍ଟ ସୀମାରେ ପ୍ରବେଶ କଟକଣା ଲଗାଇବା ସହ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ଜୋରଦାର ଅନୁସନ୍ଧାନ ହେଲା
– ୫୦୦ରୁ ଅଧିକ ବ୍ୟକ୍ତିଙ୍କ ଏକାଠି ହେବା ଉପରେ କଟକଣା ଲଗାଗଲା
ଦ୍ୱିତୀୟ ସ୍ତର
– ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଗଲା
– ଘରୁ ରହି କାମ କରିବାର ସୁବିଧା ଥିଲେ ତାହା କରିବାକୁ ଦିଆଗଲା ପରାମର୍ଶ
– ସୀମାକୁ ସିଲ କରିବା ସହ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନକୁ ଅନୁମତି ଦିଆଗଲା
– ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ସହିତ ଲୋକେ ଏକାଠି ହେବା ଉପରେ କଡାକଡି ହେଲା କଟକଣା
ତୃତୀୟ ସ୍ତର
– ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିଦେଲେ ନ୍ୟୁଜିଲାଣ୍ଡ ସରକାର
– ସାମୁହିକ କାର୍ଯ୍ୟ ସଂପାଦନ ହେଉଥିବା ସ୍ଥଳଗୁଡିକୁ ବନ୍ଦ କରାଗଲା
– ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ନଥିଲେ ହସ୍ପିଟାଲ ଆସିବାକୁ ବାରଣ କରାଗଲା
ଚତୁର୍ଥ ସ୍ତର
– ସମସ୍ତଙ୍କୁ ଘରେ ରହିବାକୁ କୁହାଗଲା ଓ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ହେଲା
– ଜରୁରୀ ସାମଗ୍ରୀକୁ ଛାଡି ଅନ୍ୟାନ୍ୟ ଦୋକାନ ଗୁଡିକୁ ବନ୍ଦ କରିଦିଆଗଲା
– ଜରୁରୀ ସାମଗ୍ରୀ ସରକାର ଯୋଗାଣ କଲେ ଓ ଲୋକଙ୍କ ଚଳାଚଳକୁ ବନ୍ଦ କରାଗଲା

କୁହାଯାଉଛି ଚୀନରୁ କାହାରିକୁ ନ୍ୟୁଜିଲାଣ୍ଡ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ ସରକାର । କେବଳ ନ୍ୟୁଜିଲାଣ୍ଡ ବାସିନ୍ଦା ହୋଇଥିଲେ ଦେଶକୁ ପ୍ରବେଶ ଅନୁମତି ସହ ଏମାନଙ୍କୁ ୧୪ ଦିନିଆ ସରକାରୀ କ୍ୱାରେଣ୍ଟିନରେ ରଖାଗଲା । ପରବର୍ତୀ ସମୟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ସାରାଦେଶରେ ଜାରି ହେଲା ଲକଡାଉନ । ଯାହାକୁ ଦେଶବାସୀ ନିଷ୍ଠାର ସହ ପାଳନ କଲେ ଓ କରୋନାକୁ ପ୍ରତିହତ କରିବାରେ ସମର୍ଥ ହେଲେ ।