ସବୁ ବିଚ୍ଛିନ୍ନାଞ୍ଚଳର ଭାଗ୍ୟ ଫିଟାଇନି ଗୁରୁପ୍ରିୟା ! ଏବେବି ଅପହଞ୍ଚ ରହିଛି ଆହୁରି ୭ଟି ପଞ୍ଚାୟତ ।

41

ଗୁରୁପ୍ରିୟା ସେତୁ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ  ବିଚ୍ଛିନାଞ୍ଚଳର ସ୍ୱପ୍ନକୁ କେତେ ପୂରଣ କରିବ, ତାହାକୁ ନେଇ ଏବେ ମାନସ ମନ୍ଥନ ଆରମ୍ଭ ହୋଇଛି । ଏହି ସେତୁ ଦ୍ୱାରା ବାସ୍ତବକ୍ଷେତ୍ରରେ ୩ ଟି ପଞ୍ଚାୟତକୁ ଯୋଗାଯୋଗ ସୁଗମ ହେବ । ମାତ୍ର, ୭ ଟି ପଞ୍ଚାୟତ ପୂର୍ବଭଳି ବିଚ୍ଛିନ୍ନ ରହିବ । ଏହି ପଞ୍ଚାୟତଗୁଡ଼ିକ ଯୋଗାଯୋଗ ପାଇଁ ଆହୁରି ୭ଟି ପୋଲର ଆବଶ୍ୟକତା ରହିଛି ବୋଲି କୁହାଯାଉଛି ।

ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ରହିଛି ମୋଟ ୧୦ଟି ପଞ୍ଚାୟତ । ବିଶାଳ ଜଳରାଶି ଏହି ପଞ୍ଚାୟତ ଗୁଡ଼ିକୁ ଘେରି ରହିଛି । ଯୋଗାଯୋଗର ଗୋଟିଏ ମାତ୍ର ମାଧ୍ୟ ହେଲା ଜଳପଥ । ତେବେ ଲୋକଙ୍କ ଏହି ଦୁର୍ଦଶାର ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ବର୍ଷ ତଳେ ସରକାର ଏହି ମେଗା ପ୍ରକଳ୍ପର ପରିକଳ୍ପନା କରିଥିଲେ । ଜାନବାଇ ଘାଟରୁ ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବା ପାଇଁ ୯୧୦ ମିଟର ଲମ୍ବା ପୋଲ ବି ନିର୍ମାଣ କରିଛନ୍ତି । କୁହାଯାଉଛି ଏହି ପୋଲ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସବୁ ଦୁଃଖ ଦୂର କରିବ । କିନ୍ତୁ ବାସ୍ତବତା ହେଲା ମାତ୍ର ୩ଟି ପଞ୍ଚାୟତ ହିଁ ଏହି ପୋଲ ଦ୍ୱାରା ଉପକୃତ ହେବେ । ବଳକା ୭ଟି ପଞ୍ଚାୟତ ପୂର୍ବଭଳି ବିଚ୍ଛିନ୍ନ ହୋଇ ରହିବ । ଏହି ପଞ୍ଚାୟତ ଗୁଡ଼ିକ ହେଲା, ପଣସପୁଟ, ଅଣ୍ଡ୍ରାପାଲି, ଯୋଡାଆମ୍ବ, ବଡପଡା, ପେପରମେଟଲା, ରାଲଗେଡା ଓ ପାପଲୁର୍ । ଏହି ୭ଟି ପଞ୍ଚାୟତ ପୂର୍ବଭଳି ବିଚ୍ଛିନ୍ନ ହୋଇ ରହିବ, ଯଦିଓ ଆସନ୍ତାକାଲି ସ୍ଥଳଭାଗ ବିଚ୍ଛିନ୍ନାଞ୍ଚଳକୁ ଛୁଇଁବ । କିନ୍ତୁ  ଲୋକଙ୍କ ସବୁ ସମସ୍ୟା ଦୂର ହେବାକୁ ଆହୁରି ସମୟ ଲାଗିବ ।

ବିଚ୍ଛିନାଞ୍ଚଳ ଅଧିବାସୀଙ୍କ କହିବାନୁସାରେ, ଆନ୍ଧ୍ର ସୀମାକୁ ଲାଗି ରହିଥିବା ବିଚ୍ଛିନ୍ନାଞ୍ଚଳର ବହୁ ଗ୍ରାମକୁ ଯିବାକୁ ହେଲେ ଏବେ ବି ଜଳପଥ ହିଁ ଭରସା । ଜାନବାଇ ଓ ସ୍ପିଲୱେରୁ ଆଉ ବୋଟ ଚାଲିବ ନାହିଁ ବୋଲି କୁହାଯାଉଥିଲା । ହେଲେ ଦୁର୍ଗମ ଅଞ୍ଚଳକୁ ଯିବା ପାଇଁ ସେତୁ ବଦଳରେ ଏବେ ବି ବୋଟ ହିଁ ଦରକାର ପଡିବ । ଅନ୍ୟପକ୍ଷରେ ବିଚ୍ଛିନ୍ନାଞ୍ଚଳର ବିକାଶରେ ପ୍ରତିବନ୍ଧକ ସାଜିଛନ୍ତି ନକ୍ସଲ । ଲାଲ ବାହିନୀର ତାଣ୍ଡବରେ ଲୋକେ ଅତିଷ୍ଠ ହେଲେଣି । ତଥାପି ମୁହଁ ଖୋଲି ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି ବୋଲି ସେମାନେ କହିଛନ୍ତି । ‘ଗ୍ରାଉଣ୍ଡଜିରୋ’ର ତଥ୍ୟ ଅନୁସାରେ, ୭୦ କିଲୋମିଟରରୁ ଅଧିକ ବିସ୍ତୃତ ଜଳରାଶି ଉପରେ ବିଚ୍ଛିନ୍ନାଞ୍ଚଳର ଲୋକ ମଟର ଲଞ୍ଚ ଏବଂ ଦେଶୀ ଡଂଗା ଉପରେ ନିର୍ଭର କରନ୍ତି । ଚିତ୍ରକୋଣ୍ଡା ବଜାରରୁ ହିଁ ସପ୍ତାହକ ପାଇଁ ରାସନ କିଣନ୍ତି । ଏଥିପାଇଁ ସେମାନଙ୍କୁ ଦୁଇରୁ ତିନି ଦିନ ସମୟ ଲାଗି ଯାଉଛି । ଏବେ ଦେଖିବାକୁ ବାକି ରହିଲା ବିଚ୍ଛିନ୍ନାଞ୍ଚଳର ବାକି ୭ଟା ପଞ୍ଚାୟତ  ଆଉ କେତେ ଦିନ ବିଚ୍ଛିନ୍ନ ହୋଇ ରହିବ ।