୨୦୧୯ରେ କେତେ ଜଣ ମହିଳାଙ୍କୁ ଟିକେଟ ଦେବ ବିଜେଡି? କାହାକୁ ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

262

କନକ ବ୍ୟୁରୋ : ୨୦୧୯ ବିଧାନସଭା ନିର୍ବାଚନରେ କଣ ରହିବ ବିଜେଡିର ମହିଳା ଟିକେଟ ରଣନୀତି ସେନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ୩୩ ପ୍ରତିଶତ ମହିଳା ସଂରକ୍ଷଣ ସମର୍ଥନରେ ଥିବା ବିଜେଡି କେତେ ଜଣ ମହିଳାଙ୍କୁ ଟିକେଟ ଦେବ ସେନେଇ ତର୍ଜମା ଆରମ୍ଭ ହୋଇଯାଇଛି । ମହିଳାନେତ୍ରୀ ମାନେ ମଧ୍ୟ ଟିକେଟ ନେଇ ଆଶାବାଦୀ ହୋଇପଡିଛନ୍ତି । ତେବେ ଆଗାମୀ ନିର୍ବାଚନରେ ମହିଳାଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

କେତେ ଜଣ ମହିଳାଙ୍କୁ ମିଳିବ ବିଜେଡି ଟିକେଟ୍? ୩୩% ମହିଳାଙ୍କୁ ଟିକେଟ୍ ଦେବ କି ବିଜେଡି? ଚର୍ଚ୍ଚାରେ ବିଜେଡିର ମହିଳା ଟିକେଟ୍ ଆଶାୟୀ ।ନିର୍ବାଚନ ପୂର୍ବରୁ ଏମିତି କିଛି ପ୍ରଶ୍ନ, ଏଇଥିପାଇଁ ଉଠୁଛି-କାରଣ ଉଭୟ ଲୋକସଭା ଏବଂ ବିଧାନସଭାରେ ୩୩% ମହିଳା ସଂରକ୍ଷଣ ସପକ୍ଷରେ ଯୁକ୍ତି କରି ଆସୁଛି ବିଜୁ ଜନତା ଦଳ । ଏମିତି କି ଓଡ଼ିଶା ବିଧାନସଭାରେ ପ୍ରସ୍ତାବ ପାରିତ ହେବା ପରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଦିଗରେ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ ନବୀନ ପଟ୍ଟନାୟକ ।

ରାଜନୀତିରେ ଲିଙ୍ଗଗତ ବିଭେଦ ଦୂର କରିବା ଉଦ୍ଦେଶ୍ୟରେ ପୂର୍ବରୁ ପଂଚାୟତ ସ୍ତରରେ ୫୦% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି ନବୀନ ସରକାର । ଆଉ ଏବେ ବିଧାନସଭା ଓ ଲୋକସଭା ସ୍ତରରେ ୩୩% ମହିଳାଙ୍କ ପାଇଁ ସଂରକ୍ଷଣର କଥା ଉଠାଉଛନ୍ତି ।
୩୩% ସଂରକ୍ଷଣ କଥା କହୁଥିବା ବିଜେଡି ଯଦି ଏହି ଅନୁପାତରେ ଟିକେଟ୍ ଦିଏ ତେବେ :
-୧୪୭ ବିଧାନସଭା ଆସନ ପାଇଁ ବିଜେଡିକୁ ୪୯ ଆସନରେ ମହିଳାଙ୍କୁ ଟିକେଟ୍ ଦେବାକୁ ହେବ
-୨୧ଟି ଲୋକସଭାରେ ବିଜେଡିକୁ ୭ଟି ଆସନରେ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେବାକୁ ହେବ ।ଏସବୁ ଭିତରେ ଆଗାମୀ ନିର୍ବାଚନରେ ମହିଳାଙ୍କୁ ପ୍ରାଧାନ୍ୟ ଦେବ ବୋଲି ଦାବି କରିଛି ବିଜେଡି ।–

ସବୁଠୁ ବଡ କଥା ହେଉଛି:
-୨୦୧୪ ନିର୍ବାଚନରେ ବିଜେଡି ୧୪ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା
-ଆଉ ଏମାନଙ୍କ ମଧ୍ୟରୁ ୧୦ ଜଣ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ
-ପରବର୍ତ୍ତୀ ସମୟରେ ରୀତା ସାହୁ ଉପ-ନିର୍ବାଚନରେ ବିଜେଡି ଟିକେଟରୁ ବିଜୟୀ ହୋଇଥିଲେ
-ବିଜେପିର ୧୦ଜଣ ପ୍ରାର୍ଥୀଙ୍କୁ ମଧ୍ୟରୁ କେବଳ ରାଧାରାଣୀ ପଣ୍ଡା ବିଜୟୀ ହୋଇଥିଲେ
-କଂଗ୍ରେସ ୮ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ ସୁଦ୍ଧା ଜଣେ ହେଲେ ଜିତି ପାରିନଥିଲେ ।
ଏସବୁ ଭିତରେ ବିଜେଡି ଶିବିରରେ ଚର୍ଚ୍ଚା ହେଉଛି- ଏଥର ମହିଳାଙ୍କୁ ମିଳିବ ପ୍ରାଧାନ୍ୟ । ଏମିତି କି କିଛି ଛାମୁଆ ନେତାଙ୍କ ପରିବାରର ମହିଳା ସଦସ୍ୟକୁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରେ ବିଜୁ ଜନତା ଦଳ ।