ସ୍ମାର୍ଟସିଟିରେ ବସ୍ତି କେତେ ? ମନ୍ତ୍ରୀ ଦେଲେ ପୂରା ତାଲିକା

48

ସ୍ମାର୍ଟସିଟି ଭୁବନେଶ୍ୱର ଦିନକୁ ଦିନ ଯେତିକି ସ୍ମାର୍ଟ ହେଉଛି ଠିକ୍ ସେହି ଅନୁପାତରେ ଛତୁ ଫୁଟିବା ଭଳି ବସ୍ତି ଗୁଡିକର ସଂଖ୍ୟା ବଢି ଚାଲିଛି । ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ରାଜଧାନୀ ଭୁବନେଶ୍ୱରରେ ଡେରା ପକାଇବା ସହ ରାଜରାସ୍ତା ଓ ସରକାରୀ ଜମିରେ ଘର କରି ରହୁଛନ୍ତି । ସରକାରଙ୍କ ବିନା ଅନୁମତିରେ ଘର କରି ନିଜର ଅଧିକାର ଜାହିର କରୁଛନ୍ତି ଏଭଳି ଲୋକମାନେ । ଏପରିକି ଏଭଳି ବସ୍ତିର ଉଚ୍ଛେଦ ସମୟରେ ବସ୍ତିବାସିନ୍ଦା ମାନେ ପ୍ରଶାସନିକ ଅଧିକାରୀଙ୍କୁ ନାଲିଆଖି ଦେଖାଉଛନ୍ତି । ଯେଉଁଥିପାଇଁ ଉଚ୍ଛେଦ ସମୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ଏହାବାଦ ଏମାନଙ୍କୁ ଉଚ୍ଛେଦ କଲେ ଥଇଥାନ ମଧ୍ୟ କରିବାକୁ ପଡୁଛି । ଏସବୁ ଭିତରେ ଭୁବନେଶ୍ୱରରେ କେତେ ସଂଖ୍ୟାରେ ବସ୍ତି ରହିଛି ସେନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି କଂଗ୍ରେସ ବିଧାୟକ ଭୁଜବଳ ମାଝୀ ।

୨୦୦୮ ସୁଦ୍ଧା ଭୁବନେଶ୍ୱରରେ କେତୋଟି ବସ୍ତି ଥିଲା ଓ ସେହି ବସ୍ତିରେ କେତେ ସଂଖ୍ୟକ ଲୋକ ବାସ କରୁଥିଲେ ତାହା ଜାଣିବାକୁ ଚାହଁଥିଲେ ଭୁଜବଳ । ଏହାଛଡା ୨୦୦୮ ପରେ ବସ୍ତି ସଂଖ୍ୟା କେତେ ବୃଦ୍ଧି ପାଇଛି ଓ କେଉଁ ବସ୍ତି କେତେ ପରିମାଣର ସରକାରୀ ଜମିରେ ଗଢି ଉଠିଛି ସେ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ରଖିଥିବା ଉତ୍ତର ଅନୁଯାୟୀ, ଭୁବନେଶ୍ୱରରେ ୨୦୦୮ ମସିହା ସୁଦ୍ଧା ୩୭୭ଟି ବସ୍ତି ଥିଲା । ଯେଉଁଥିରେ ୬୦,୧୬୬ ପରିବାରର ମୋଟ ୩,୦୯,୪୧୪ ଜଣ ଲୋକ ବସବାସ କରୁଥିଲେ । ତେବେ ୨୦୧୨ ମସିହା ସର୍ଭେ ଅନୁଯାୟୀ, ଏହି ବସ୍ତି ସଂଖ୍ୟା ବୃଦ୍ଧି ପାଇ ୪୩୬ରେ ପହଞ୍ଚିଥିଲା । ସେହି ଅନୁସାରେ ବସ୍ତିବାସିନ୍ଦାଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି ।