କନକ ବ୍ୟୁରୋ : କେତେ ଜଣ ଚାଷୀଙ୍କୁ ମିଳିଲାଣି କାଳିଆ ଟଙ୍କା । ସରକାରଙ୍କ ଘୋଷଣା ଅନୁଯାୟୀ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନାରେ ମିଳିଲାଣି କି କାଳିଆ ଟଙ୍କା? ଚାଷୀଙ୍କ ପାଇଁ କାଳିଆ ଯୋଜନାର ଘୋଷଣା କରି ବାହାବା ସାଉଁଟିଥିବା ସରକାର ବାସ୍ତବରେ କେତେ ଜଣ ଚାଷୀଙ୍କୁ କାଳିଆ ଟଙ୍କା ଦେଇଛନ୍ତି ତାହା ଉପରୁ ପରଦା ହଟିଛି । ବିଧାନସଭାର ଏନେଇ ଉତ୍ତର ରଖିଛନ୍ତି ଖୋଦ୍ କୃଷି ମନ୍ତ୍ରୀ ଅରୁଣ ସାହୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଚଳିତ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ କାଳିଆ ଯୋଜନାରେ କେତେ ଜଣ ଚାଷୀ ଟଙ୍କା ପାଇଛନ୍ତି ତାହା ଜାଣିବାକୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ଭୂପିନ୍ଦର ସିଂ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଆଉ ଉତ୍ତରରେ କାଳିଆ ଯୋଜନାର ସବିଶେଷ ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ଜିଲୱାରୀ କେତେ ଜଣ ଚାଷୀଙ୍କୁ କାଳିଆ ଯୋଜନାର ଫାଇଦା ମିଳିଛି ସେନେଇ ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।
ନବୀନ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପରେ କାଳିଆ ଯୋଜନାର ପରିଧି ବଢାଇଥିଲେ । ପୂର୍ବରୁ ୪୨ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରାଯାଇଥିବା ବେଳେ ପଞ୍ଚମ ଥର ସରକାରକୁ ଆସିବା ପରେ କାଳିଆ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା । କିନ୍ତୁ କାଳିଆ ଯୋଜନାରେ ଏବେ ସୁଦ୍ଧା ୫୧, ୦୫,୨୯୦ ଜଣ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ଏବେ ଆହୁରି ୨୩,୯୪,୭୧୦ ଜଣ ହିତାଧିକାରୀଙ୍କୁ ଟଙ୍କା ମିଳିପାରିନାହିଁ । କେବଳ ପ୍ରଥମ କିସ୍ତିରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିବା ବେଳେ ଦ୍ୱିତୀୟ କିସ୍ତି ଟଙ୍କା ବର୍ତ୍ତମାନ ସୁଦ୍ଧା ଦିଆଯାଇନାହିଁ । ତେବେ ଖୁବଶୀଘ୍ର ବଳକା ଚାଷୀଙ୍କୁ କାଳିଆ ଟଙ୍କା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।