ଦ୍ୱିତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି କେତେ କୋଟିପତି ପ୍ରାର୍ଥୀ? ଜାଣନ୍ତୁ କାହା ପାଖରେ ଅଛି ସବୁଠୁ ଅଧିକ ସମ୍ପତି?

104

କନକ ବ୍ୟୁରୋ : ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ । ଅନେକ ହେଭିୱେଟ ନେତା ଦ୍ୱିତୀୟ ପର୍ଯ୍ୟାୟରେ ନିଜ ରାଜନୈତିକ ଭାଗ୍ୟ ପରୀକ୍ଷା କରିବେ । ବିଜେଡି ସୁପ୍ରିମୋଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କର ହେବ ଭାଗ୍ୟ ପରୀକ୍ଷା । ସେହିଭଳି ଅନେକ ଚର୍ଚ୍ଚିତ ଚେହେରା ମଧ୍ୟ ଦିଲ୍ଲୀ ଲଢେଇ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ମୈଦାନକୁ ଓହ୍ଲାଇଛନ୍ତି । ଯେଉଁଥିରେ ଜୁଏଲ ଓରାମ, ପ୍ରମିଳା ବିଷୋୟୀ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ନାରାୟଣ ସିଂହଦେଓ ଓ ସଙ୍ଗୀତା ସିଂହଦେଓଙ୍କ ଭଳି ବଡ ନାଁ ରହିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ନେତା ମୈଦାନକୁ ଓହ୍ଲାଉଥିବା ବେଳେ ଏହି ପର୍ଯ୍ୟାୟରେ କେତେ ଜଣ କୋଟିପତି ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ତାହାର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପ୍ରାର୍ଥୀଙ୍କ ସତ୍ୟପାଠ ଆଧାରରେ ଯେଉଁ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି ସେଥିରେ ୫ଟି ଲୋକସଭା ଆସନ ପାଇଁ ୩୫ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ୩୫ ଜଣଙ୍କ ମଧ୍ୟରୁ ୧୧ ଜଣ ପ୍ରାର୍ଥୀ କୋଟିପତି ରହିଛନ୍ତି । ୧୧ ଜଣ କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ବଲାଙ୍ଗୀର ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଥିବା ସଙ୍ଗୀତା ସିଂହଦେଓଙ୍କର ସର୍ବାଧିକ ୩୭ କୋଟିରୁ ଉଦ୍ଧ୍ୱର୍ ସମ୍ପତି ରହିଛି । ସଙ୍ଗୀତାଙ୍କ ତଳକୁ ତାଙ୍କର ପ୍ରତିଦ୍ୱନ୍ଦୀ ତଥା ବଲାଙ୍ଗୀର ଲୋକସଭା ଆସନର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନାଁ ରହିଛି ।କଳିକେଶଙ୍କର ୨୦ କୋଟିରୁ ଉଦ୍ଧ୍ୱର୍ ସମ୍ପତି ରହିଛି । ସେହିଭଳି ତୃତୀୟ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ରହିଛି । ପ୍ରସନ୍ନଙ୍କ ନାଁରେ ୯ କୋଟିରୁ ଅଧିକ ସମ୍ପତି ରହିଛି ।

ସେହିଭଳି ୩୫ ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ୭୦ ଜଣ ପ୍ରାର୍ଥୀ କୋଟିପତି ସମ୍ପତିର ମାଲିକ । ଯେଉଁଥିରେ ବିଜେଡିର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣ, ବିଜେପିର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୨୦ ଜଣ, କଂଗ୍ରେସର ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଓ ଆପର ୭ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ କୋଟିପତି ପ୍ରାର୍ଥୀ ରହିଛନ୍ତି । ସେହିଭଳି ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟରୁ ୧୫ ଜଣ କୋଟିପତି ସମ୍ପତିର ମାଲିକ ରହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ନବୀନ ସବୁଠୁ ଅଧିକ ଧନୀ ପ୍ରାର୍ଥୀ ରହିଛନ୍ତି । ନବୀନଙ୍କ ମୋଟ ସମ୍ପତିର ମୂଲ୍ୟ ୬୩ କୋଟିରୁ ଅଧିକ ରହିଛି । ସେହିଭଳି ବିଜେପିର ପାଟଣାଗଡା ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମ୍ପତି ୩୭ କୋଟି ୯୫ ଲକ୍ଷ ୯୦ ହଜାର ୮୫୧ ଟଙ୍କା ରହିଛି । କନକ ବର୍ଦ୍ଧନଙ୍କ ତଳକୁ ଝାରସୁଗୁଡାର ବିଜେଡି ବିଧାୟକ ପ୍ରାର୍ଥୀ ନବ ଦାସଙ୍କର ୩୩,୬୨,୭୩,୭୦୭ ସମ୍ପତି ରହିଛି ।