ଗର୍ଭରୁ ଶଶ୍ମାନ, ଏକାଠି ଏକାଠି । ଗୋଟିଏ ଜୁଇରେ ଜଳିଲା ମା’ ଓ ପୁଅର ମୃତଦେହ

807

କନକ ବ୍ୟୁରୋ : ବୋଧେ, ମା’ର ପଣତ କାନି ଛାଡି ପାରିଲାନି ୭ ବର୍ଷର କୁନି ପୁଅ । ମା’କୁ ସେମିତି ଜାବୁଡି ଧରିଥିଲା, ଯେମିତି ବାଧାବିଘ୍ନ ବେଳେ ମା’ ତା’ ଆଡକୁ ହାତ ବଢ଼ାଇ ଦେଉଥିଲା । କିଏ କହିପାରିବ ସେ ମା’କୁ ପାଣିରେ ବୁଡିବାକୁ ଦେବାକୁ ଚାହୁଁନଥିଲା, କି ମା’କୁ ଏକାଛାଡିବାକୁ ଚାହୁଁ ନଥିଲା । ଦୁନିଆକୁ ବୁଝିବାର ସମୟ ହୋଇନଥିଲା, ସତ କିନ୍ତୁ ମା’ର ଅସହାୟତା ବୋଧେ ଠିକ୍ ବୁଝିପାରିଥିଲା । ଯାହା କୋଳରେ ଦୁନିଆ ଦେଖିଥିଲା, ତାକୁ ବା’ କେମିତି ଶୀତୁଆ ରାତିର ଜଳଗର୍ଭରେ ଛାଡି ଦେଇଥାନ୍ତା । କିଏ କହି ପାରିବ ମା’କୁ ମୃତ୍ୟୁର ଜଳରାଶିରୁ ମା’କୁ ଉଦ୍ଧାର କରିବାକୁ ଚାହିଁ ନଥିବ ଏହି ୭ ବର୍ଷର କୁନି ପୁଅ । ହେଲେ ସେ ସାମର୍ଥ୍ୟ କ’ଣ ଥିଲା ? ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାର ଇଏ ହେଉଛି, ସେହି କୁନି ପିଲାର କାହାଣୀ, ଯିଏ ଆଜି ଗୋଟିଏ ଜୁଇରେ ଏଦୁନିଆରୁ ବିଦାୟ ନେଇଛି । ଯେଉଁ କୋଳରେ ଦୁନିଆ ଦେଖିଥିଲା, ସେଇ ମା’ କୋଳରେ ହିଁ ସବୁ ଦିନ ପାଇଁ ଦୁନିଆ ଛାଡି ଦେଇଛି । ସତେ ଯେମିତି ମା’ ପୁଅର ସଂପର୍କ ଗର୍ଭରୁ ଶ୍ମଶାନ ଯାଏଁ ଏକାଠି ଏକାଠି ।

ଚାରିଆଡେ କାନ୍ଦ ବୋବାଳିର ସ୍ୱର । କାହା ଆଖିରୁ ବନ୍ଦ ହେଉନାହିଁ ଲୁହର ଧାର । କାରଣ ଆଖି ଆଗରେ ଏକାସାଙ୍ଗରେ ଜଳୁଥିଲା ୯ ଜଣଙ୍କର ଜୁଇ । ମହାନଦୀରେ ଡଙ୍ଗା ବୁଡି ଘଟଣା ନୂଆ ବର୍ଷ ଆରମ୍ଭରେ ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଛି । ନିମିଷକ ମଧ୍ୟରେ ଚାଲିଯାଇଛି ୯ଟି ଜୀବନ । ଏବେବି ଜଣେ ଶିଶୁର ପତା ମିଳୁନି । ଆଜି ପାରାଦୀପ କୁଜଙ୍ଗର ହସିଣା ଗାଁରେ ସମସ୍ତ ମୃତଦେହ ପହଁଚିଛି । ଗାଁରେ ଗଣ ଶବଦାହ ମଧ୍ୟ କରାଯାଇଛି । ଏପରିକି ଗୋଟିଏ ଜୁଇରେ ଜଳିଛି ମା ଓ ପୁଅଙ୍କ ମୃତଦେହ । ସେପଟେ ମେଡିକାଲରେ ପ୍ରାୟ ୨୦ ଜଣ ଆହତଙ୍କ ଚିକିତ୍ସା ଚାଲିଛି । ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ୧୦ ଜଣ ବସିବା ଭଳି ବ୍ୟବସ୍ଥା ଥିବା ଡଙ୍ଗାରେ ବସିଥିଲେ ୫୦ରୁ ଅଧିକ ଯାତ୍ରୀ । ଫଳରେ ଏତେବଡ ଦୁର୍ଘଟଣା ଘଟିଗଲା ।

ନିମିଷକେ ମିଳେଇ ଗଲା ପିକିନିକର ମଜା । ବର୍ଷ ଆରମ୍ଭରୁ ଘଟିଗଲା ବଡ ଅଘଟଣ । ଶୀତୁଆ ରାତିରେ ପରିବାର ଓ ସଂପର୍କୀୟଙ୍କ ସହ ବଡ ଖୁସିରେ ବୁଲି ବାହାରିଥିବା ୫୫ ଜଣଙ୍କ ଉପରେ ଏମିତି ମାଡି ଆସିଥିଲା ବିପତ୍ତି । ମହାନଦୀରେ ମୃତ୍ୟୁର ତାଣ୍ଡବ ଛଡାଇନେଲା ୧୦ ଜୀବନ । ରାତିତମାମ ସ୍ଥାନୀୟ ଲୋକଙ୍କ ସହାୟତାରେ ଚାଲିଥିଲା ଉଦ୍ଧାର କାର୍ଯ୍ୟ । କେନ୍ଦ୍ରାପଡା ନିପାଣିଆ ଗାଁର ମହାନଦୀ ମୁହାଣରେ ଡଙ୍ଗାଟି ବୁଡିଯିବା ପରେ ଘଟଣାସ୍ଥଳରେ ପହଂଚିଯାଇଥିଲେ ଆଖପାଖ ଅଂଚଳ ଲୋକେ । ଉଦ୍ଧାରକାରୀ ଦଳକୁ ସହାୟତା କରିଥିଲେ । ଯେଉଁଥିପାଇଁ ବଂଚିଗଲା ୪୫ ଜଣଙ୍କ ଜୀବନ ।

ଜଗତସିଂହପୁର ଜିଲ୍ଲା କୁଞ୍ଜଙ୍ଗ ଅଂଚଳ ହସିଣା ଗାଁର ପ୍ରାୟ ୧୭ଟି ପରିବାରର ପୁରୁଷ, ମହିଳା ଓ ଶିଶୁଙ୍କୁ ମିଶାଇ ୫୫ ଜଣ ଏକ ଦେଶୀ ଡଙ୍ଗାରେ ବଣଭୋଜି କରିବାକୁ ବାହାରିଥିଲେ । ଶକ୍ତିମୟୀ ମା ମଙ୍ଗଳା ନାମକ ଏହି ବୋଟରେ ଚଉମୁହାଣ ଅଭିମୁଖେ ବାହାରିଥିଲେ ସମସ୍ତେ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ହୁକିଟୋଲାରେ ବଣଭୋଜି ସାରି ପୁଣି ମହାନଦୀରେ ଫେରୁଥିବାବେଳେ ଘଟିଥିଲା ଅଘଟଣ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡଙ୍ଗାରେ ସବାର ଜଣେ ମହିଳା ଶୌଚ ହେବାଲାଗି ନିପାଣିଆର ମହାନଦୀ ମୁହାଣରେ ଡଙ୍ଗା ଲଗାଇଥିଲେ ଚାଳକ । ତାଙ୍କ ସହ ଅନ୍ୟଦୁଇ ମହିଳା ମଧ୍ୟ ଡଙ୍ଗାରୁ ଓହ୍ଲାଇ ସାଙ୍ଗରେ ଯାଇଥିଲେ । ଆଉ ଏମାନେ ଶୌଚ ସାରି ଫେରିବା ପରେ ଡଙ୍ଗାରେ ଚଢିଲାବେଳକୁ ଘଟିଥିଲା ଏହି ଅଘଟଣ ।

ସର୍ବାଧିକ ୧୦ ଜଣଲ ବସିବାଭଳି ଏହି ଦେଶୀ ଡଙ୍ଗାରେ ସବାରଥିଲେ ୫୫ ଜଣ । ତେଣୁ ମହିଳାମାନେ ଚଢିବାବେଳେ ଡଙ୍ଗାଟି ଅସମ୍ଭବ ଭାବେ ଦୋହଲିବାକୁ ଲାଗିଲା । କ୍ଷମତାଠାରୁ ଅଧିକ ଯାତ୍ରୀ ସବାର ଥିବାରୁ ଭାରସମ୍ୟା ରକ୍ଷା କରିନପାରି ଡଙ୍ଗାଟି ଗୋଟିଏ ପାଶ୍ୱର୍କୁ ଓଲଟି ପଡିଥିଲା । ଥରେ ଚିନ୍ତା କରନ୍ତୁ ଶୀତୁଆ ରାତିରେ ମହାନଦୀ ମୁହାଣରେ ୫୫ ଜଣ ସବାର ଥିବା ଏକ ଡଙ୍ଗା ଅଚାନକ ବୁଡିଯିବା ସମୟର ସେହି ମୁହୁର୍ତକୁ । ଚାହୁଁଚାହୁଁ କୋକୁଆ ଭୟ ଖେଳିଗଲା । ଡଙ୍ଗାରୁ ପାଣି ଭିତରକୁ ଖସିପଡିଥିଲେ ସମସ୍ତ ଯାତ୍ରୀ । ପ୍ରାଣ ବିକଳରେ ରଡି କରିବାକୁ ଲାଗିଲେ । ଭରା ନଈରେ ଥଳକୂଲ ପାଉନଥିବା ଯାତ୍ରୀଙ୍କ ଛାତିଫଟା ରଡି ଆଖପାଖ ଅଂଚଳର ଲୋକଙ୍କ କାନରେ ପଡିଲା ବେଳକୁ ଭାସି ଯାଇଥିଲେ ୧୦ ଜଣ ।

2 brave girlଯାତ୍ରୀମାନଙ୍କ ଚିକ୍ରାର ଶୁଣି ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଂଚିବା ବେଳକୁ ପାଣି ଭିତରେ ଥିଲେ ସମସ୍ତ ୫୫ ଜଣ । ପ୍ରବଳ ଶୀତ ଓ ଅନ୍ଧାର ଭିତରେ ଅସୀମ ସାହସ ଦେଖାଇଥିଲେ ସ୍ଥାନୀୟ ବାସିନ୍ଦା । ନିପାଣିଆର ସେହି ସ୍ଥାନରେ କୁମ୍ଭୀରଙ୍କ ଆତଜାତ ସତ୍ୱେ ଭୃକ୍ଷେପ ନକରି ମାନବିକତା ଦେଖାଇଥିଲେ ଗ୍ରାମବାସୀ । ଗୋଟିଗୋଟି କରି ୪୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସମର୍ଥ ହେଲେ । ଅନେକ ଖୋଜାଖୋଜି କରି ବୁଧବାର ରାତି ସୁଦ୍ଧା ୮ ଜଣଙ୍କ ମୃତଦେହ ବି ପାଣିରୁ ବାହାର କରିଆଣିଲେ । ପ୍ରବଳ ଜାଡରେ ଥରୁଥିବା ଲୋକଙ୍କୁ ଶୀତବସ୍ତ୍ର ଦେବା ସହ ନିଆଁ ସେକ ପାଇଁ ବନ୍ଦୋବସ୍ତ କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ, ଓଡ୍ରାଫ ଓ କୋଷ୍ଟଗାର୍ଡ ଟିମ୍ ପହଂଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ ।