୨୦୦୦ରୁ ୨୦୧୯ । ଅର୍ଥମନ୍ତ୍ରାଳୟର ଦାୟିତ୍ୱ ତୁଲାଇ ବ୍ୟାକଫୁଟକୁ ଠେଲି ହୋଇଯାଇଛି ଅନେକ ହେଭିୱେଟଙ୍କ ନେତାଙ୍କ ରାଜନୈତିକ କ୍ୟାରିୟର

439

କନକ ବ୍ୟୁରୋ : ଅଭିଶପ୍ତ ଅର୍ଥମନ୍ତ୍ରୀ ପଦ । ଅଥାର୍ତ ଅର୍ଥମନ୍ତ୍ରୀ ପଦରେ ବସିଥିବା ଅଧିକାଂଶ ନେତାଙ୍କ ମଧ୍ୟରୁ ଅନେକଙ୍କ ରାଜନୈତିକ କ୍ୟାରିୟରରେ ଏକରକମ ପୂର୍ଣ୍ଣଛେଦ ପଡିଥିବା ବେଳେ ଅନେକ ହେଭିୱେଟଙ୍କ ନେତାଙ୍କ ରାଜନୀତି କ୍ୟାରିୟର ଉପରେ ସାମୟିକ ସମୟ ପାଇଁ ବ୍ରେକ ଲାଗିଛି । ଯଦି ବିଜେଡି ସରକାର କଥା କହିବା ତେବେ ଅଧିକାଂଶ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ନେତାଙ୍କର ରାଜନୈତିକ ଭବିଷ୍ୟତ ସେତେଟା ସୁରକ୍ଷିତ ହୋଇପାରିନାହିଁ । ଅନେକ ହେଭିୱେଟ ନେତାଙ୍କ ପାଇଁ ଅର୍ଥମନ୍ତ୍ରାଳୟ ଶୁଭ ହେଉନଥିବା ବାର୍ତ୍ତ । ଯାଇଛି ଯେତେବେଳେ ଆଜି ଶଶୀଭୂଷଣ ବେହେରାଙ୍କ ଟିକେଟ କଟିଛି ।

୨୦୦୦ ମସିହାରୁ ୨୦୧୯ । ଏହି ସମୟ ମଧ୍ୟରେ ଅନେକ ଅର୍ଥମନ୍ତ୍ରୀଙ୍କୁ ଦେଖିଛନ୍ତି ରାଜ୍ୟବାସୀ । ଯେଉଁଥିରେ ରାଜ୍ୟ ରାଜନୀତିର ହେଭିୱେଟ ନେତାଙ୍କ ନାଁ ରହିଛି । ରାମକୃଷ୍ଣ ପଟ୍ଟନାୟକଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ଟ୍ରେଣ୍ଡ ଶଶୀଭୂଷଣ ବେହେରାଙ୍କ ପାଖରେ ଆସି ଅଟକିଛି । ଯେତେବେଳେ ଶଶୀଭୂଷଣଙ୍କ ନାଁ ପ୍ରାର୍ଥୀ ତାଲିକାରୁ ବାଦ୍ ପଡିଛି । ତେବେ କିଭଳି ଅର୍ଥମନ୍ତ୍ରାଳୟର ଦାୟିତ୍ୱ ତୁଲାଇଥିବା ହେଭିୱେଟ ନେତାଙ୍କ ରାଜନୈତିକ କ୍ୟାରିୟର ପରବର୍ତ୍ତୀ ସମୟରେ ସୁରକ୍ଷିତ ରହିପାରିନାହିଁ ସେ ବିଷୟରେ ବଖାଣିଛନ୍ତି ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ।

୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାର ଗଢିଥିବା ବେଳେ ଏଥିରେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିଲେ ଦକ୍ଷିଣ ଓଡିଶାର ଟାଣୁଆ ନେତା ରାମକୃଷ୍ଣ ପଟ୍ଟନାୟକ । ତେବେ ନବୀନ ସରକାରରେ ପ୍ରଥମ ଅର୍ଥମନ୍ତ୍ରୀ ରହିବା ପରେ ରାମକୃଷ୍ଣଙ୍କ ରାଜନୈତିକ କ୍ୟାରିୟରରେ ଲାଗିଥିଲା ବ୍ରେକ । ୬ଥର ବିଧାୟକ ତଥା ରାଜ୍ୟ ରାଜ୍ୟନୀତିରେ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଏହି ହେଭିୱେଟ ନେତାଙ୍କ ରାଜନୈତିକ କ୍ୟାରିୟରରେ କଳାବାଦଲ ଘୋଟି ଆସିଥିଲା ।

ସେହିଭଳି ୨୦୦୨ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ରହିଥିବା ପଞ୍ଚାନନ କାନୁନଗୋଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଉପକୂଳ ଅଞ୍ଚଳର ଏହି ହେଭିୱେଟ ନେତା ୨୦୦୪ରେ ପରେ ଏକପ୍ରକାର ରାଜନୀତିର ବନବାସକୁ ଚାଲି ଯାଇଛନ୍ତି । ତେବେ ୨୦୧୯ରେ ପୁଣିଥରେ କଂଗ୍ରେସର ହାତ ଧରି ନିଜ ରାଜନୈତିକ କ୍ୟାରିୟରକୁ ଜୀବନ୍ୟାସ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ପଞ୍ଚାନନ ।

ରାମକୃଷ୍ଣ ଓ ପଞ୍ଚାନନଙ୍କ ପରେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳିଥିଲେ ଅନ୍ୟତମ ଟାଣୁଆ ନେତା ପ୍ରଫୁଲ ଘଡାଇ । ନବୀନ ସରକାରରେ ଅଧିକ ସମୟ ଅଥାର୍ତ ଦୀର୍ଘ ୮ ବର୍ଷ ଧରି ଅର୍ଥମନ୍ତ୍ରାଳୟର ଦାୟିତ୍ୱ ତୁଲାଇଥିବା ପ୍ରଫୁଲଙ୍କୁ ୨୦୧୨ରେ ଲାଗିଥିଲା ବଡ ଝଟକା । ସେତେବେଳେ ନବୀନ ସରକାରରେ ପ୍ରଫୁଲଙ୍କୁ ୨ ନମ୍ବର ନେତା କୁହାଯାଉଥିଲେ ମଧ୍ୟ ୨୦୧୪ରେ ପ୍ରଫୁଲଙ୍କୁ ଟିକେଟ ଦେଇନଥିଲା ଦଳ । ଏପରିକି ପ୍ରଫୁଲଙ୍କୁ ଦଳରୁ ବହିଷ୍କାର କରିଥିଲେ ବିଜେଡି ସୁପ୍ରିମୋ । ଯାହା ପ୍ରଫୁଲ୍ଲଙ୍କ ରାଜନୈତିକ କ୍ୟାରିୟରରେ ସାମୟିକ ସମୟ ପାଇଁ ବ୍ରେକ ଲଗାଇଥିଲା । ତେବେ ଚଳିତ ନିର୍ବାଚନ ପୂର୍ବରୁ ଦଳ ତାଙ୍କ ଉପରୁ ବହିଷ୍କାର ଉଠାଇବା ପରେ ପୁଣିଥରେ ପ୍ରଫୁଲ୍ଲଙ୍କ ରାଜନୈତିକ କ୍ୟାରିୟରର ଉତଥାନକୁ ନେଇ ଆଶା ଦେଖାଦେଇଛି ।

ପ୍ରଫୁଲ୍ଲଙ୍କ ରାଜନୈତିକ କ୍ୟାରିୟର ଏକପ୍ରକାର ଅସ୍ତଗାମୀ ହେଉଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଅର୍ଥମନ୍ତ୍ରାଳୟର ଦାୟିତ୍ୱ ତୁଲାଇଥିଲେ ପଶ୍ଚିମ ଓଡିଶାର ଟାଣୁଆ ନେତା ପ୍ରସନ୍ନ ଆଚାର୍ଯ୍ୟ । ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ନିର୍ବାଚନ ମୈଦାନକୁ ଓହ୍ଳାଇଥିଲେ ପ୍ରସନ୍ନ । କିନ୍ତୁ ୨୦୧୪ ନିର୍ବାଚନରେ ଅଳ୍ପ ଭୋଟରେ ହାରିବା ପରେ ପୁଣିଥରେ ଅର୍ଥମନ୍ତ୍ରାଳୟ ଆଡକୁ ଆଙ୍ଗୁଳି ଉଠିଥିଲା । ତେବେ ୨୦୧୪ ନିର୍ବାଚନ ହାରିବା ପରେ ପ୍ରସନ୍ନଙ୍କ ରାଜନୈତିକ କ୍ୟାରିୟରକୁ ପୁଣିଥରେ ଆଗେଇ ନେବା ପାଇଁ ରାଜ୍ୟସଭା ଟିକେଟ ଦେଇଥିଲେ ବିଜେଡି ସୁପ୍ରିମୋ ।

ନବୀନଙ୍କ ଚତୁର୍ଥ ପାଳିର ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ଶଶୀ ଭୂଷଣଙ୍କୁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ଦିଆଗଲା ସେତେବେଳେ ରାଜ୍ୟ ରାଜନୀତିରେ ନମ୍ବର ୨ ନେତା ଭାବେ ଉଭା ହୋଇଥିଲେ ଶଶୀ । କିନ୍ତୁ ଅର୍ଥମନ୍ତ୍ରାଳୟର ଟ୍ୟାଗ ଲାଗିବା ପରେ ମଧ୍ୟ ଏଥର ପ୍ରାର୍ଥୀ ତାଲିକାରୁ ବାଦ୍ ପଡିଛନ୍ତି ଶଶୀ । ଯାହା ଶଶୀଙ୍କ ରାଜନୈତିକ କ୍ୟାରିୟରକୁ ବ୍ୟାକଫୁଟକୁ ଠେଲି ଦେଇଥିବା ଚର୍ଚ୍ଚା ହେଉଛି । ତେବେ ଶଶୀଙ୍କ ରାଜନୈତିକ କ୍ୟାରିୟର ଏହିଠାରେ ଶେଷ ହେବ ନା ପ୍ରସନ୍ନଙ୍କ ଭଳି ରାଜ୍ୟସଭା ଟିକେଟ ପାଇ ଶଶୀ ପୁଣିଥରେ କମବ୍ୟାକ୍ କରିବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।