କାଳିଆ ଯୋଜନାରେ ସାମିଲ ହେବାକୁ କେମିତି ଆବେଦନ କରିବେ ଚାଷୀ ! ଜାଣନ୍ତୁ କେଉଁଠୁ ଚାଷୀ ପାଇବେ ସବୁଜ ଫର୍ମ?

1,004

କନକ ବ୍ୟୁରୋ : କାଳିଆ ଯୋଜନାକୁ ନେଇ ସାରା ରାଜ୍ୟରେ କନଫ୍ୟୁଜନ ।  କୃଷକଙ୍କ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଘୋଷଣା କରିବା ପରେ ଗାଁ ଗାଁରେ କାଳିଆ ଯୋଜନାରେ ଆବେଦନ ପାଇଁ ଆବଶ୍ୟକୀୟ ଫର୍ମ ପାଇଁ ଗଣ୍ଡଗୋଳ ଦେଖିବାକୁ ମିଳିଛି । ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏବେ ଏଭଳି ଘଟଣା ଦେଖିବାକୁ ମିଳିଛି । କେଉଁଠି ଫର୍ମ ମିଳୁନି ତ ପୁଣି କେଉଁଠି ଚଢା ଦରରେ ବିକ୍ରି ହେଉଛି ଫର୍ମ । ଏଭଳି ସ୍ଥିତିରେ କାଳିଆ ଯୋଜନାରେ ସାମିଲ ହେବାକୁ କିଭଳି ଆବେଦନ କରାଯିବ ସେନେଇ ତାହା ଉପରେ ଥରେ ନଜର ପକାନ୍ତୁ ।

କାଳିଆ ଯୋଜନାରେ ସାମିଲ ହେବା ପାଇଁ  ଚାଷୀ ମାନଙ୍କୁ ପ୍ରଥମେ ସବୁଜ ଫର୍ମରେ ଆବେଦନ କରିବାକୁ ପଡିବ । ଏଥିରେ ନିଜର ସମସ୍ତ ତଥ୍ୟ ଚାଷୀ ଦେବା ସହ କାଳିଆ ଯୋଜନାରେ ନିଜ ନାଁ ସାମିଲ କରିବାକୁ ଆବେଦନ କରିପାରିବେ । ଏଥିରେ ଚାଷୀଙ୍କ ନାଁ ସହିତ ସମସ୍ତ ତଥ୍ୟ ଉଲ୍ଲେଖ କରିବାକୁ ପଡିବ । ଯେପରିକି ପରିବାର ସଦସ୍ୟଙ୍କ ସଂଖ୍ୟା ଠାରୁ  ଆରମ୍ଭ କରି ଆଧାର କାର୍ଡ ନମ୍ବର, ଠିକଣା, ବ୍ୟାଙ୍କ ବିବରଣୀ, ଚାଷ ଜମି ବାବଦରେ ସମସ୍ତ ତଥ୍ୟ ଫର୍ମରେ ପୂରଣ କରି ଗ୍ରାମପଞ୍ଚାୟତ ଓ ପ୍ରାଥମିକ କୃଷି ସମବାୟ ସମିତିରେ ଥିବା ଡ୍ରପ ବକ୍ସରେ ଏହି ଫର୍ମକୁ ପକାଇ ପାରିବେ ।

ସେହିଭଳି ଯଦି କୌଣସି ଚାଷୀ ଫର୍ମ ନ ପାଇବା କାରଣରୁ କାଳିଆ ଯୋଜନାରେ ଆବେଦନ କରୁପାରୁ ନାହାନ୍ତି ତେବେ କାଳିଆ ୱେବସାଇଟ www.kalia.co.inରୁ ଫର୍ମ ଡାଉନଲୋଡ କରି ଏହାକୁ ପୂରଣ କରି ଆବେଦନ କରିପାରିବେ । ଏହାଛଡା ଯଦି କୌଣସି ଚାଷୀଙ୍କ ପାଖରେ କାଳିଆ ଯୋଜନାରେ ଆବେଦନ ପାଇଁ ସବୁଜ ଫର୍ମ ରହିଛି ତାହାକୁ ଜେରକ୍ସ କରି ସମସ୍ତ ତଥ୍ୟ ପୂରଣ କରିବା ପରେ ମଧ୍ୟ ଆବେଦନ କରିପାରିବେ ।

ଏସବୁ ଭିତରେ ‘କାଳିଆ’ ଯୋଜନାରେ ଆବେଦନ ଫର୍ମ ଦାଖଲ କରିବାର ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ଅଧିକାରୀ ମାନଙ୍କ ସହ କାଳିଆ ଯୋଜନାର କାର‌୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । କାଳିଆ ଯୋଜନାରେ ସାମିଲ ହେବା ପାଇଁ ଚାଷୀ ମାନଙ୍କର ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଜାନୁୟାରୀ ୧୦ ତାରିଖରୁ ଜାନୁଆରୀ ୧୫ ତାରିଖକୁ ଘୁଞ୍ଚାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ ଜାନୁଆରୀ ୨୫ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ଚାଷୀ ବାଦ୍ ନ ପଡେ, ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।