କେମିତି ବହୁଗୁଣିତ ହେଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ? ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ବ୍ୟାପକ ସଂକ୍ରମଣର ଚିତ୍ର । ୬୭ଦିନରେ ଲକ୍ଷେ ଛୁଇଁଥିଲା ଆକ୍ରାନ୍ତଙ୍କ ସଂଖ୍ୟା, ଏବେ ୪ଦିନରେ ଆକ୍ରାନ୍ତ ହେଲେଣି ଆଉ ଲକ୍ଷେ । ସଂକ୍ରମଣ ରୋକିବାକୁ କାମ ଦେବନି କେବଳ ଲକ୍ ଡାଉନ୍, ଦରକାର ମିଳିତ ପ୍ରୟାସ ।

1,640

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁରେ ବର୍ତମାନ ସୁଦ୍ଧା ସାରା ବିଶ୍ୱରେ ୧୬ହଜାର ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ୩ ଲକ୍ଷ ୯୦ ହଜାରରୁ ଅଧିକ ଲୋକ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ଲଗାତାର ଭାବେ ବେଶ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏହି ସଂଖ୍ୟାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ସତର୍କ ସୂଚନା ଜାରି କରାଯାଇଛି ।

କିଭଳି ବ୍ୟାପକ ହେଉଛି କରୋନା ଭୂତାଣୁର ସଂକ୍ରମଣ ? ଚୀନରେ ପ୍ରଥମ କରୋନା ଭୂତାଣୁ ଚିହ୍ନଟ ହେବାର ମାତ୍ର ୬୭ ଦିନରେ ସାରା ବିଶ୍ୱରେ ସଂକ୍ରମିତ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିଲା । ହେଲେ ଏହାର ୧୧ ଦିନ ପରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ୧ ଲକ୍ଷ ବଢିଗଲା । ଏବଂ ଏହା ପରବର୍ତି ୧ ଲକ୍ଷ୍ୟ କେସ୍ ମାତ୍ର ୪ ଦିନରେ ଚିହ୍ନଟ ହୋଇଥିଲା । ଏଥିରୁ ଅନୁମାନ କରାଯାଇ ପାରେ କରୋନା ଭୂତାଣୁର ସଂକ୍ରମଣ କେତେ ମାରାତ୍ମକ ହୋଇସାରିଛି । ଏହାକୁ ନେଇ ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ ସୂଚନା ଜାରି କରିଛି । ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହା ନିର୍ଦ୍ଦେଶକ କୋଭିଡ୍-୧୯ କିଭଳି ଦ୍ରୁତ ଗତିରେ ବୃଦ୍ଧି ପାଉଛି ସେନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

ସାରା ବିଶ୍ୱରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ହେଲେ ଏବେ ବି ଏହି ଗ୍ରାଫକୁ ବଦଳାଇଯାଇ ପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ କୁହାଯାଇଛି । ବିଶ୍ୱର ସବୁ ଦେଶକୁ ଶକ୍ତ ନିୟମ ପାଳନ କରିବାକୁ କହିଛି ଡବ୍ଲ୍ୟୁଏଚ୍ଓ ।

କରୋନା ଭୂତାଣୁର ବ୍ୟାପକ ସଂକ୍ରମଣକୁ ରୋକିବା ଲାଗି ସୋସିଆଲ ଡିଷ୍ଟାନସିଂ ବା ସାମାଜିକ ଦୂରତାକୁ ରୁରୁତ୍ୱ ଦିଆଯାଉଛି । ଏଥିପାଇଁ ଲୋକଙ୍କୁ ବାରମ୍ବାର ସତର୍କ କରାଯାଉଛି ଘରେ ରହିବାକୁ । ଏଥିସହ ସବୁ ପ୍ରକାର ସଭା, ସମିତି ଠାରୁ ଦୂରରେ ରହିବା ପାଇଁ କୁହାଯାଉଛି । ଭିଡରୁ ଦୂରେଇ ରହିବା ଫଳରେ କରୋନାର ସମୁହ ସଂକ୍ରମଣକୁ ରୋକିହେବ ବୋଲି ଅନୁମାନ କରାଯାଉଛି । ହେଲେ କେବଳ ସୁରକ୍ଷା ଦୃଷ୍ଟରୁ ଏଭଳି ପଦକ୍ଷେପ ନିଆଯାଉଛି । କେବଳ ଏତିକିରେ ଭୂତାଣୁକୁ ମାତ୍ ଦେଇ ହେବ ନାହିଁ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଭୂତାଣୁର ମୁକାବିଲା ପାଇଁ ବିଶ୍ୱସ୍ତରରେ ରାଜନୈତିକ ପ୍ରତିବଦ୍ଧତା ଏବଂ ସମନ୍ୱୟର ଆବଶ୍ୟକତା ରହିଛି । ଯେଉଁଥିପାଇଁ ସମସ୍ତ ଦେଶ ଏକାଠି ହୋଇ କାମ କରିବା ଆବଶ୍ୟକ ବୋଲି ଡବ୍ଲ୍ୟୁଏଚ୍ଓର ମହା ନିର୍ଦ୍ଦେଶକ କହିଛନ୍ତି ।

ବର୍ତମାନ ପରିସ୍ଥିତିରେ ସୁରକ୍ଷା ପାଇଁ ବ୍ୟବହାର ହେଉଥିବା ଉପକରଣ ଗୁଡିକର ସବୁଠାରୁ ବେଶୀ ଆବଶ୍ୟକତା ରହିଛି । ଏଥିପାଇଁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ, ଜି-୨୦ ରାଷ୍ଟ୍ର ଗୁଡିକ ସହ ଆଲୋଚନା କରି ଏହି ସବୁ ଉପକରଣର ଉତ୍ପାଦନ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେବ ।

ସାରା ବିଶ୍ୱକୁ ମହାମାରୀ ଘାରିଥିବାବେଳେ, ଏଥିରୁ ବାଦ ପଡି ନାହାଁନ୍ତି ସ୍ୱାସ୍ଥ୍ୟକର୍ମୀ । ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚିନ୍ତା ବଢାଇ ଦେଇଛି । ଯଦି ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହେବେ ତାହାହାଲେ ଆଗାମୀ ଦିନରେ କରୋନା ଭୂତାଣୁର ଚିକିତ୍ସା ପାଇଁ ଡାକ୍ତରଙ୍କ ଅଭାବ ଦେଖା ଦେଇପାରେ । ଏଥିପାଇଁ ସ୍ୱାସ୍ଥ୍ୟକର୍ମୀ ନିଜେ ସୁରକ୍ଷୀତ ରହି ରୋଗୀଙ୍କ ଚିକିତ୍ସା କରିବା ଜରୁରୀ ବୋଲି ଡବ୍ଲୁଏଚଓ କହିଛି ।