କେମିତି ‘ହାତ’ ଟେକିବ କଂଗ୍ରେସ? ଫର୍ମୁଲା କହିଲେ ତାରା, ଗୋଟିଏ ବିଲେଇ ରହିବ ଭଲ ମୂଷା ଧରିବ । 

3,458
କନକ ବ୍ୟୁରୋ : ତାତିଲେ ତାରା । କଂଗ୍ରେସର ଏ ଦଶା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଦାୟୀ କରିବା ସହ ପ୍ରବଳ ବର୍ଷିଛନ୍ତି ତାରା । ରାଜ୍ୟ କଂଗ୍ରେସର ସଭାପତିଙ୍କ କଥା ମାନିଲେ ହିଁ ଦଳ ଉଧେଇ ପାରିବ ବୋଲି କହିଛନ୍ତି ତାରା । ପୁଳା ପୁଳା ସମ୍ପାଦକ, କାର୍ଯ୍ୟକାରୀ ସଭାପତିଙ୍କ ପାଇଁ ଦଳକୁ ବଡ କ୍ଷତି ସହିବାକୁ ପଡିଲା । ଲକ୍ଷେ ବିଲେଇରେ ମୁଷା ମରେନାହିଁ ତେଣୁ ଗୋଟିଏ ବିଲେଇ ରହିବ ଭଲ ମୂଷା ଧରିବ । ଆଉ ଏହି ଥିଓରୀରେ ପିସିସି କାମ ଆରମ୍ଭ କରୁ ବୋଲି ତାରା କହିଛନ୍ତି ।
ନିର୍ବାଚନ ପୂର୍ବରୁ ଏଆଇସିସି ସେକ୍ରେଟାରୀ ମାନେ ଆସି ଜିଲାୱାରୀ ନେତାଙ୍କୁ ମାଳ ମାଳ ପଦବୀ ଦେଇ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଛନ୍ତି । ଯେଉଁ ପଦବୀର କୌଣସି ଆବଶ୍ୟକତା ନାହିଁ ସେଭଳି ହଜାର ହଜାର ପଦବୀ ସୃଷ୍ଟି କରାଗଲା । ଅଥଚ ତୃଣମୁଳସ୍ତରରେ ଦଳକୁ ସେତିକି ସଙ୍ଗଠିତ  ନକରିବାରୁ ନିର୍ବାଚନରେ କଂଗ୍ରେସକୁ ବଡ ପରାଜୟର ସାମ୍ନା କରିବାକୁ ପଡିଲା । ତେଣୁ କଂଗ୍ରେସକୁ ଆଗକୁ ନେବାକୁ ହେଲେ ଜଣେ ନେତାଙ୍କୁ ଏହାର ନେତୃତ୍ୱ ନେବାକୁ ପଡିବ । ତେଣୁ ରାଜ୍ୟ କାର୍ଯ୍ୟକାରୀ ସଭାପତି, ଜୋନ ସଭାପତି ଓ ଜିଲ୍ଲା କାଯ୍ୟକାରୀ ସଭାପତି ପଦର କୌଣସି ଆବଶ୍ୟକତା ନାହିଁ ।
ନିର୍ବାଚନ ପୂର୍ବରୁ କେନ୍ଦ୍ରରୁ ୪ ଜଣ ଲେଖାଏଁ ସେକ୍ରେଟାରୀ ଆସିଥିଲେ କଣ ଫଳ ହେଲା । ତୃଣମୁଳସ୍ତରରେ ସଙ୍ଗଠନ ନ ଥିଲେ ମଧ୍ୟ କାର୍ଯ୍ୟକାରୀ ସଭାପତି ଓ ସେକ୍ରେଟାରୀଙ୍କ ଅନୁମୋଦନ କ୍ରମେ ଟିକେଟ ଦିଆଗଲା । ଯେଉଁଥିପାଇଁ ତୃଣମୁଳସ୍ତରରେ କଂଗ୍ରେସରେ ଗୋଷ୍ଠୀକନ୍ଦଳ ତୀବ୍ର ହୋଇଥିଲା । ଆଉ ଏହାର ଫାଇଦା ଅନ୍ୟ ଦଳକୁ ମିଳିଥିଲା । ତେଣୁ ଏହି ବ୍ୟବସ୍ଥାକୁ ବନ୍ଦ କରାଯିବା ସହ ଗୋଡଟଣା ନୀତିରୁ ଦୂରେଇ ରହିବାକୁ କର୍ମୀ ଓ ନେତାଙ୍କୁ ପରାମର୍ଶ ଦେଇଛନ୍ତି ତାରା ।